ମାଟି କାମୁଡ଼ି ପଡ଼ିଛି ‘ଦାଦାବଟିକୁ ନା’: କୋଦାଳ ବେଣ୍ଟରେ ସାମ୍ବାଦିକଙ୍କୁ ଆକ୍ରମଣ

ରୁପାଲିରେ ସୁପ୍ ପିଆ ନାଁରେ ଦାଦାବଟି

ଭୁବନେଶ୍ବର: କମିସନରେଟ୍‌ ପୁଲିସର ‘ଦାଦାବଟିକୁ ନା’ ଅଭିଯାନଟି ଏବେ ମାଟି କାମୁଡ଼ି ପଡ଼ିଛି। ଗତ ଦଶହରା ବେଳେ ବେଶ୍ ଚର୍ଚ୍ଚାରେ ଥିବା ଏହି ଅଭିଯାନଟି ଏବେ କିଛି ଦିନ ହେଲା କୁଆଡ଼େ ଉଭାନ୍ ହୋଇଯାଇଛି। ସହିଦନଗର ଥାନା ରୁପାଲି ଛକରେ ସୁପ୍ ପିଆ ନାଁରେ ଦାଦାବଟି ଆଦାୟକୁ ନେଇ ଘଟିଥିବା ଗୋଷ୍ଠୀ ସଂଘର୍ଷ ହେଉଛି ଏହାର ନଗ୍ନ ନମୁନା।

ଦୁଇ ଦୁଇ ଥର ଗଣ୍ଡ‌ଗୋଳ ଘଟିବା ପରେ ବି ପୁଲିସ ଉଭୟ ପକ୍ଷରୁ କାହାକୁ ଗିରଫ କରିପାରିନାହିଁ। କିନ୍ତୁ ଦାଦାମାନେ ଖୋଲାଖୋଲି ଭୁବନେଶ୍ବରରେ ବୁଲୁଛନ୍ତି ଓ ଖବର ସଂଗ୍ରହ କରୁଥିବା ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। କଂଗ୍ରେସ ଭବନରେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଲେ ଦୁର୍ଗାମାଧବ ମହଲା। ରୁପାଲି ଛକରେ ଗଣ୍ଡଗୋଳ କରିଥିବା ଏକ ଗୋଷ୍ଠୀର ସଦସ୍ୟମାନେ ତାଙ୍କୁ କୋଦାଳ ବେଣ୍ଟରେ ପିଟିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି।

ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜନପଥ କଡ଼ରେ ଥିବା ଉଠାଦୋକାନୀଙ୍କଠାରୁ କିଛି ଯୁବକ ନିୟମିତ ଦାଦାବଟି ଆଦାୟ କରୁଛନ୍ତି। ଏହାକୁ ନେଇ ଗତ କିଛି ଦିନ ହେଲା ଦୁଇଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ସୁପ୍ ପିଆ ବାହାନା‌ରେ ଗତ ୫ ତାରିଖ ସନ୍ଧ୍ୟାରେ ସେମାନଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା। ଗତକାଲି ସନ୍ଧ୍ୟାରେ ପୁଣି ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଅପରଗୋଷ୍ଠୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ।

ଏଥିରେ ୫ଜଣ ଆହତ ହୋଇଥିଲେ। ଏମିତିକି କିଛି ସାଧାରଣ ଲୋକ ମଧ୍ୟ ଆକ୍ରମଣରୁ ବର୍ତ୍ତି ନଥିଲେ। ରୁପାଲି ଅଞ୍ଚଳରେ ଲାଗଲାଗ ଗୋଷ୍ଠୀସଂଘର୍ଷ ଘଟିଥିଲେ ବି ପୁଲିସ କୌଣସି ପକ୍ଷରୁ କାହାକୁ ଗିରଫ କରିପାରିଲା ନାହିଁ। ଆଜି କଂଗ୍ରେସ ଭବନରେ ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକ ଦୁର୍ଗାମାଧବଙ୍କୁ ହଠାତ୍ କିଛି ଯୁବକ ଆକ୍ରମଣ କରିଥିଲେ। ଦୁର୍ଗାମାଧବଙ୍କ ଅଭିଯୋଗ ଅନୁସାରେ ରୁପାଲି ଗୋଷ୍ଠୀ ସଂଘର୍ଷରେ ଏହି ଆକ୍ରମଣକାରୀମାନେ ସାମିଲ୍‌ ଥିଲେ। ରୁପାଲି ଗଣ୍ଡଗୋଳ ଖବର ସଂଗ୍ରହ କରିଥିବାରୁ ଉକ୍ତ ଯୁବକମାନେ ତାଙ୍କୁ ଟାର୍ଗେଟ୍‌ କରି ମାଡ଼ ମାରିଥିଲେ।

ସେହିଭଳି ଗତକାଲି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଅନୁରୂପ ଘଟଣା ଘଟିଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବମିଖାଲ ଦୁର୍ଗାପୂଜା ମଣ୍ଡପ ନିକଟରେ ଜଣେ ଟ୍ରାଭେଲ୍ସ ମାଲିକ ଓ ତାଙ୍କ ପୁଅକୁ ୧୦/୧୨ଦୁର୍ବୃତ୍ତ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ସିଧାସଳଖ ବଟି ଦେବା ପାଇଁ ଧମକ ଦେଇଥିଲେ। ଏହା ପରେ ସେମାନେ ଟ୍ରାଭେଲ୍ସ ମାଲିକଙ୍କ ପୁଅ ପାଖରୁ ସୁନାଚେନ୍, ବ୍ରେସଲେଟ୍, ମୁଦି ଓ ପର୍ସରେ ଥିବା ୩୦ହଜାର ଟଙ୍କା ଲୁଟି ନେଇଛନ୍ତି।

ଏନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ଗତକାଲି ଲିଙ୍ଗରାଜ ଥାନା ଅଞ୍ଚଳରେ ରାସ୍ତା କାମ କରୁଥିବା ଜଣେ ଠିକାଦାରଙ୍କୁ ସ୍ଥାନୀୟ ଅଞ୍ଚଳର ୨ ଦୁର୍ବୃତ୍ତ ୧୫ହଜାର ଦାଦାବଟି ମାଗିଥିଲେ। ଠିକାଦାର ଦେବାକୁ ମନା କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡା ଦେଖାଇ ଭୟଭୀତ କରାଇବା ସହ ନିସ୍ତୁକ ପିଟିଥିଲେ। ଗତ ମାସ ୨୪ ତାରିଖରେ କ୍ୟାପିଟାଲ୍ ଥାନା ଅନ୍ତର୍ଗତ ମାର୍କେଟ୍ ବିଲ୍ଡିଂରେ ଦାଦାବଟିକୁ କେନ୍ଦ୍ର କରି ଜଣେ ବ୍ୟବସାୟୀଙ୍କୁ ଦୁର୍ବତ୍ତମାନେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ।

ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରରେ ଜଣେ ଫାଷ୍ଟଫୁଡ଼୍ ଉଠାଦୋକାନୀ ସ୍ଥାନୀୟ ଦାଦାଙ୍କୁ ବଟି ନ ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ଏମିତି ଉଦାହରଣ ଅନେକ ରହିଛି। ରାଜଧାନୀରେ ପ୍ରତିଦିନ ବିଭିନ୍ନ ଛକ, ହାଟ, ବଜାରରେ ଦାଦାବଟି ପାଇଁ ବ୍ୟବସାୟୀଙ୍କ ଉପରେ ଜୁଲମ୍ ଚାଲିଛି। ମାତ୍ର କମିସନରେଟ୍‌ ପୁଲିସ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।

 

ସମ୍ବନ୍ଧିତ ଖବର