ଗାଡ଼ି ସାଇଡ୍‌ମରାରୁ ତୁମୁଳକାଣ୍ଡ: ୩ ଜଣଙ୍କୁ ଗୋଡ଼େଇ ହାଣିଲେ

ଭୁବନେଶ୍ବର: ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ଭରତପୁର ବନଦୁର୍ଗା ସାହିରେ ଶନିବାର ରାତିରେ ୨ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀର ପ୍ରାୟ ୮ରୁ ଅଧିକ ଯୁବକ ପ୍ରତିପକ୍ଷ ଗୋଷ୍ଠୀର ୪ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ କଟୁରିରେ ଆକ୍ରମଣ କରିଛନ୍ତି। ଖଣ୍ଡା ଚୋଟରେ ବଳରାମ ବେହେରାଙ୍କ ଆଙ୍ଗୁଠି ଛିଣ୍ଡି ଯାଇଥିବା ବେଳେ ଶିବରାମ ବେହେରାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି। ସେହିଭଳି ସୁବ୍ରତ ମହାରଣା ଓ ରଜତ ବେହେରା ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୨ ନାବାଳକଙ୍କୁ ସ୍ବଧାର ଗୃହକୁ ପଠାଇଛି। ଗିରଫ ଅଭିଯୁକ୍ତ ହେଲା, ରଂଜିତ ବିଶ୍ବାଳ। କୋର୍ଟ‌ରେ ତା’ର ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ବଳରାମ ଓ ତା’ର କିଛି ସହଯୋଗୀଙ୍କ ସହ ରଂଜିତର ବଚସା ହୋଇଥିଲା। ଗତ ରାତିରେ ବଳରାମ ଗୋଷ୍ଠୀ ସାହିରେ ଛିଡ଼ା ହୋଇଥିବା ବେଳେ ରଂଜିତ ଓ ତା’ର ସହଯୋଗୀମାନେ ଖଣ୍ଡା ଓ କଟୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଗୋଡ଼ାଇ ଗୋଡ଼ାଇ ବଳରାମ ଗୋଷ୍ଠୀର ୪ ଜଣଙ୍କୁ ଖଣ୍ଡା ଚୋଟ ପକାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଏମ୍ସରେ ଭର୍ତ୍ତି କରା‌ଇଥିଲା। ଏହି ଘଟଣା‌‌‌ରେ ସଂପୃକ୍ତ ଆଉ ୫ ଅଭିଯୁକ୍ତ ଫେରାର୍‌ ଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର