ଭୁବନେଶ୍ବର: ଜଣେ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ବରବାରି ବସ୍ତିର ପ୍ରେମାନନ୍ଦ ଗୌଡ଼ ଓରଫ କାହ୍ନା(୨୩)କୁ ଗିରଫ କରିଛି। ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ସୁଜ୍ଞାନୀ ନାୟକଙ୍କ ସହ କାହ୍ନାର ବିବାଦ ଲାଗିରହିଥିଲା। ଗୁରୁବାର ସନ୍ଧ୍ୟାରେ ସୁଜ୍ଞାନୀ ଘରେ ଥିବା ବେଳେ କାହ୍ନା ସେଠାରେ ପହଞ୍ଚି ତାଙ୍କୁ ଗାଳିମନ୍ଦ କରିଥିଲା। ପ୍ରତିବାଦ କରିବାରୁ ସେ ରାଗିଯାଇ ସୁଜ୍ଞାନୀଙ୍କୁ ନିସ୍ତୁକ ମାଡ଼ମାରିଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।
ବଟି ପାଇଁ ବାଡ଼େଇ ବନ୍ଧାହେଲା
ଧଉଳି: ବଟି ନ ମିଳିବାରୁ ଦୁଇ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଆଜି ଧଉଳି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଲିଙ୍ଗିପୁର ଅଞ୍ଚଳରେ ରହୁଥିବା ସୌମ୍ୟରଞ୍ଜନ ପାତ୍ର (୨୪)। ଜାମିନ ଖାରଜ ହୋଇଯିବାରୁ ସୌମ୍ୟରଞ୍ଜନକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସରଦେଇପୁର ଗ୍ରାମର ସୁଦର୍ଶନ ପ୍ରଧାନଙ୍କ ଅଭିଯୋଗ ଆଧାରରେ ପୁଲିସ ସୌମ୍ୟରଞ୍ଜନଙ୍କୁ ଗିରଫ କରିଛି। ସୂଚନାନୁସାରେ ଗତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ସରଦେଇପୁର ଗ୍ରାମର ସନାତନ ଉତରା ଛକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ବାହାରେ ଠିଆ ହୋଇଥିଲେ। ସେହି ସମୟରେ ସୌମ୍ୟରଞ୍ଜନ ଓ ଅନ୍ୟ ୮ ଜଣ ଯୁବକ ତାଙ୍କ ପାଖରେ ପହଞ୍ଚି ୫ ହଜାର ଟଙ୍କା ବଟି ମାଗିଥିଲେ। କିନ୍ତୁ ସନାତନ ଟଙ୍କା ନଦେବାରୁ ଅଭିଯୁକ୍ତମାନେ ଦୁଇ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଖବର ପାଇ ଧଉଳି ଥାନା ପୁଲିସ ସେମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ବର୍ଷକ ପରେ ପୁଲିସ ସୌମ୍ୟରଞ୍ଜନକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଏନେଇ ଥାନାରେ ନଂ ୪୬/ ୨୨ରେ ମାମଲା ରୁଜୁ ହୋଇଥିଲା।
ବ୍ରାଉନ୍ସୁଗାର ବେପାରୀ ଗିରଫ
ଭୁବନେଶ୍ବର: ବ୍ରାଉନ୍ସୁଗାର କାରବାର କରୁଥିବା ବେଳେ ବଡ଼ଗଡ଼ ଥାନା ପୁଲିସ ଜଣେ ବ୍ୟବସାୟୀକୁ ଗିରଫ କରିଛି। ସେ ହେଲା କେଶୁରା ବିବିନଗର ଅଞ୍ଚଳର ସରୋଜ ସାହୁ। ପୁଲିସ ତା’ଠାରୁ ୧୦ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଓ ନଗଦ ୧୧ ହଜାର ଟଙ୍କା ଜବତ କରିଛି। ଜବତ ବ୍ରାଉନ୍ସୁଗାରର ଆନୁମାନିକ ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଶୁକ୍ରବାର ଅପରାହ୍ଣରେ ସରୋଜକୁ କେଶୁରା ଅଞ୍ଚଳରୁ ଗିରଫ କରାଯାଇଛି।
ଯୁବତୀଙ୍କୁ ଅସଦାଚରଣ, ଯୁବକ ଗିରଫ
ଭୁବନେଶ୍ବର: ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ବାଲିପାଟଣା ଅଞ୍ଚଳର ଶାନ୍ତନୁ ମିଶ୍ର(୨୬)କୁ ଗିରଫ କରିଛି। ସୂଚନା ମୁତାବକ, କିଛି ମାସ ତଳେ ଯୁବତୀ ଜଣଙ୍କ ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସମୟରେ ଶାନ୍ତନୁ ସହ ଦେଖାସାକ୍ଷାତ ହୋଇଥିଲା। ସେବେଠୁ ଶାନ୍ତନୁ ଯୁବତୀଙ୍କୁ ଏକତରଫା ଭଲପାଇ ବସିଥିଲା। କିଛି ଦିନ ତଳେ ଯୁବତୀଙ୍କର ଶିରିପୁର ଶାଖାକୁ ବଦଳି ହେବାରୁ ସେ ୟୁନିଟ୍-୮ ଅଞ୍ଚଳରେ ରହୁଥିଲେ। ଶାନ୍ତନୁ ତାଙ୍କ ଠିକଣା ଠାବ କରିବା ପରେ ଗତକାଲି ଅପରାହ୍ଣରେ ତାଙ୍କ ଫେରିବା ବାଟକୁ ଜଗି ବସିଥିଲା। ସେ ବ୍ୟାଙ୍କରୁ ଘରକୁ ଫେରିବା ବେଳେ ତାଙ୍କୁ ଶିରିପୁର ନିକଟରେ ଅଟକାଇ ଶାନ୍ତନୁ ପ୍ରେମ ନିବେଦନ କରିଥିଲା। ଯୁବତୀ ପ୍ରତିବାଦ କରିବାରୁ ସେ ତାଙ୍କୁ ଅସଦାଚରଣ କରିଥିଲା। ଆଖପାଖରେ ଥିବା ଲୋକମାନେ ଧାଇଁ ଆସି ତାକୁ କାବୁ କରିବା ସହ ଖଣ୍ଡଗିରି ଥାନା ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚି ତାକୁ ଥାନାକୁ ନେଇଥିଲା। ଏନେଇ ଯୁବତୀ ଥାନାରେ ଅଭିଯୋଗ ପରେ ପୁଲିସ ଏକା ମାମଲା ରୁଜୁକରି ଆଜି ତାକୁ କୋର୍ଟ ଚାଲାଣ କରିଛି। ତେବେ ପୂର୍ବରୁ ମଧ୍ୟ ଯୁବତୀ ପିପିଲି ଥାନାରେ ଶାନ୍ତନୁ ନାମରେ ଅଭିଯୋଗ କରିଥିଲେ। ହେଲେ ଆପୋସ ବୁଝାମଣା ପରେ ପୁଲିସ ତାକୁ ନୋଟିସ୍ ଦେଇ ଛାଡ଼ିଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/arrest.jpg)