ଭୁବନେଶ୍ବର: ଦିନ ପାଖାପାଖି ସାଢ଼େ ୩ଟା ହେବ। ଆଇଡିବିଆଇ ଛକ ନିକଟରେ ୧୦ଟି ବାଇକ୍‌ରେ ୨୦ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି, ହକିଷ୍ଟିକ୍‌ ଆଦି ମାରଣାସ୍ତ୍ର ଧରି ହୋ-ହଲ୍ଲା କରି ଆତଙ୍କ ଖେଳାଇଲେ। ଭାଷା ଅଭାଷାରେ ଲୋକଙ୍କୁ ଗାଳିଗୁଲଜ କଲେ। କେହି କିଛି ବୁଝିବା ପୂର୍ବରୁ ମହର୍ଷି କଲେଜର ଜଣେ ଛାତ୍ରଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଆହତ ଯୁବକଜଣଙ୍କ ହେଲେ, +୨ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ର ମଳୟ ରଂଜନ ରାଉତ। ସହିଦନଗର ଥାନା ପୁଲିସ୍‌ ମଳୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

Advertisment

ରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି

୪ ଅଟକ, ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି

୨ ମାସ ତଳେ ମୁହାଁମୁହିଁ ହୋଇଥିଲେ

ସୂଚନା ମୁତାବକ, ମଳୟ ଏବଂ +୨ ବାଣିଜ୍ୟ ଦ୍ବିତୀୟ ବର୍ଷ ଛାତ୍ର ସୋମେଶ ପ୍ରଧାନଙ୍କ ମଧ୍ୟରେ ଦୁଇ ମାସ ହେଲା ଲାଗି ରହିଥିବା ବିବାଦ ଆଜି ଭୟଙ୍କର ରୂପ ନେଇଥିଲା। କୌଣସି କାରଣକୁ ନେଇ ଦିନ ପାଖାପାଖି ୧୧ଟାରେ କଲେଜ୍‌ କ୍ୟାମ୍ପସରେ ଦୁଇ ଛାତ୍ରଙ୍କ ମଧ୍ୟରେ କଥା କଟାକଟି ଧସ୍ତାଧସ୍ତିର ରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ମାଡ଼ପିଟ୍‌ ଦେଖି ପରସ୍ପରର ସମର୍ଥକ ବି ବାଡ଼ିଆପିଟା ହୋଇଥିଲେ। ଏହାକୁ ନେଇ କଲେଜ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପରେ ଦୁଇ ଛାତ୍ରଗୋଷ୍ଠୀ ଫେରି ଯାଇଥିଲେ। ସ୍ଥିତି ଆୟତ୍ତ ହୋଇଥିଲେ ବି ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।

ଅପରାହ୍‌ଣ ପାଖାପାଖି ସାଢ଼େ ୩ଟାରେ ମଳୟ କ୍ଲାସ ସାରି ଘରକୁ ଯିବା ପାଇଁ ଆଇଡିବିଆଇ ଛକ ନିକଟ ବସ୍‌ଷ୍ଟପରେ ବସିଥିବା ବେଳେ ପ୍ରତିଶୋଧ ନିଆଁରେ ଜଳୁଥିବା ସୋମେଶ ଏବଂ ତା’ର ସମର୍ଥକ ହାତରେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। ଅତର୍କିତ ଭାବେ ସେମାନେ ମଳୟଙ୍କୁ ଲୁହା ରଡ୍‌, ଖଣ୍ଡାରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମଳୟ ଜୀବନ ବିକଳରେ ଦୌଡ଼ିଥିଲେ ହେଁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଏ ପ୍ରକାର ଆତଙ୍କ ଦେଖି ସ୍ଥାନୀୟ ଲୋକ ମଳୟଙ୍କୁ ରକ୍ଷା କରିବାକୁ ସାହସ ଜୁଟାଇ ପାରିନଥିଲେ। ଏପରିକି ଏଥିରେ ଭୟଭୀତ ହୋଇ ରାସ୍ତାରେ ଯାଉଥିବା ଲୋକ ବି ଜୀବନ ବିକଳରେ ଯୁଆଡ଼େ ପାରିଲେ, ଧାଇଁଥିଲେ।

ଖବର ପାଇ ମଳୟଙ୍କ ସମର୍ଥକ ସେଠାରେ ପହଞ୍ଚିବା ବେଳକୁ ଅପରଗୋଷ୍ଠୀର ଯୁବକମାନେ ସେଠାରୁ ପଳାଇଥ‌ିଲେ। କିଛି ସମୟ ପାଇଁ ସେଠାରେ ରାସ୍ତା ଜାମ ସ୍ଥିତି ଉପୁଜିବା ସହ ଉତ୍ତେଜନା ଦେଖାଦେଇଥିଲା। ସହିଦନଗର ପୁଲିସ ସେଠାରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରି ମଳୟଙ୍କୁ ହସ୍ପିଟାଲ୍‌ ନେଇଥିଲା। ପରେ ଛାତ୍ରମାନେ ଥାନାକୁ ଯାଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖିଛି। ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ଛକରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

କିଛି ଛାତ୍ର କହିଛନ୍ତି ଯେ ଗତ ଏପ୍ରିଲ୍‌ରେ ମଳୟ ଓ ସୋମେଶ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କିଛ ଅଣଛାତ୍ର ମଳୟଙ୍କୁ କ୍ୟାମ୍ପସରୁ ବାହାରକୁ ନେଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ସେତେବେଳେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଲା।

ସହିଦନଗର ଥାନା ଅଧିକାରୀ ମନୋଜ ଶତପଥୀ କହିଛନ୍ତି ଯେ ପୂର୍ବ ଘଟଣାରେ କେହି ଥାନାରେ ଅଭିଯୋଗ କରିନଥିଲେ। କଲେଜ ଅଧ୍ୟକ୍ଷଙ୍କୁ ଚିଠି ବି କରାଯାଇଥିଲା। ଯେହେତୁ କୌଣସି ଅଭିଯୋଗ ହୋଇନଥିଲା କି କଲେଜ୍‌ କର୍ତୃପକ୍ଷ ଉତ୍ତର ରଖିନଥିଲେ, ତେଣୁ ମାମଲା ରୁଜୁ ହୋଇନଥିଲା।