ଭୁବନେଶ୍ବର: ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ କଲେଜ ପଛପାର୍ଶ୍ବ ମେ ଫେୟାର୍ ଛକ ରାସ୍ତାରେ ସାଲିଆସାହିର ଦୁର୍ଦ୍ଦାନ୍ତ ନୀଳାଚଳ ବେହେରାକୁ ସଂଘବଦ୍ଧ ଆକ୍ରମଣ ହୋଇଛି। ପ୍ରାୟ ୭ ଜଣ ଦୁର୍ବୃତ୍ତ ନୀଳାଚଳକୁ ଗୋଡ଼େଇ ଗୋଡ଼େଇ ଖଣ୍ଡା ଓ ଭୁଜାଲିରେ ବଡ଼ ନିର୍ମମ ଭାବେ ହାଣି ପକାଇଛନ୍ତି। ସୌଭାଗ୍ୟକୁ ସେ ବର୍ତ୍ତିଯାଇଥିଲେ ବି ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏହି ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ୨ ଦୁର୍ବୃତ୍ତଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ଆକ୍ରମଣର କାରଣ ଜଣାପଡ଼ିନାହିଁ। କିନ୍ତୁ ଆକ୍ରମଣକାରୀମାନଙ୍କ ଭିତରେ ନୀଳାଚଳର କିଛି ଘନିଷ୍ଠ ବନ୍ଧୁ ବା ସହଯୋଗୀ ଥିବା ଜଣାପଡ଼ିଛି। ତେଣୁ ପୂର୍ବଶତ୍ରୁତା, ନିଶା କାରବାର ଓ କିମ୍ବା ପ୍ରେମ ବ୍ୟାପାରକୁ ନେଇ ନୀଳାଚଳକୁ ହତ୍ୟା ଉଦ୍ୟମ କରାଯାଇଛି ବୋଲି ଅନୁମାନ କରାଯାଉଛି। ତେବେ ନିଶା କାରବାରକୁ ବିରୋଧ କରିବାରୁ ତାକୁ ଏଭଳି ହତ୍ୟା ଉଦ୍ୟମ କରାଯାଇଛି ବୋଲି ନୀଳାଚଳର ଭାଇ ଅକ୍ଷୟ ଥାନାରେ ଅଭିଯୋଗ କରିଛି।
ସୂଚନାନୁସାରେ ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ନୀଳାଚଳ ଏକ ସ୍ପ୍ଲେଣ୍ଡର୍ ବାଇକ୍(ଓଡି ୦୨ଏଜେ ୫୬୯୬) ଧରି ବିଜୁ ପଟ୍ଟନାୟକ କଲେଜ ଲେଡିଜ୍ ହଷ୍ଟେଲ୍ ପଛ ପାର୍ଶ୍ବରେ ଛିଡ଼ା ହୋଇଥିଲା। ସେଠାରେ ଜଣେ ଯୁବତୀ ଓ ନୀଳାଚଳର ବନ୍ଧୁ ଆଣ୍ଟୋନି ମଧ୍ୟ ଥିଲେ। ସେହି ସମୟରେ ଏକ ବୁଲେଟ୍, ଏଫ୍ଜେଡ୍ଏସ୍ ଭଳି ବାଇକ୍ରେ ୭ ଜଣ ଆସି ନୀଳାଚଳ ପାଖରେ ଅଟକିଥିଲେ ଓ ଅତର୍କିତ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ନୀଳାଚଳ ଆହତ ହେବା ପରେ ବି ପ୍ରାଣ ବିକଳରେ ଦୌଡ଼ିଥିଲା। କିନ୍ତୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବେଶି ଦୂର ଯାଇନପାରି ଏକ ଚା’ ଦୋକାନ ପିଣ୍ଡି ନିକଟରେ ପଡ଼ି ଯାଇଥିଲା। ପିଛା କରୁଥିବା ଦୁର୍ବୃତ୍ତମାନେ ତାକୁ ସେଠାରେ ପୁଣି ହାଣିପକାଇଥିଲେ। ଖଣ୍ଡା ଚୋଟରୁ ମୁଣ୍ଡକୁ ବଞ୍ଚାଇବା ପାଇଁ ନୀଳାଚଳ ଦୁଇ ହାତରେ ପ୍ରତିରୋଧ କରିଥିଲା। ଫଳରେ ତା’ ଦୁଇ ହାତ, କାନ୍ଧ ଆଦି ସ୍ଥାନରେ ୨୦ରୁ ଅଧିକ କ୍ଷତ ସୃଷ୍ଟି ହୋଇଥିଲା। ଦୁର୍ବୃତ୍ତମାନେ ତା’ର ଗୁପ୍ତାଙ୍ଗକୁ ମଧ୍ୟ ମାଡ଼ ମାରିଥିବା ଜଣାପଡ଼ିଛି। ନୀଳାଚଳ ନିସ୍ତେଜ ହୋଇଯିବା ପରେ ତାକୁ ମୃତ ଭାବି ସେମାନେ ସେଠାରୁ ତରବରରେ ଖଣ୍ଡା ବୁଲାଇ ବୁଲାଇ ପଳାଇଥିଲେ ଓ ୨ଟି ବାଇକ୍ ଛାଡ଼ି ପଳାଇଥିଲେ।
କୁହାଯାଉଛି ଯେ ନୀଳାଚଳ ଜଣେ ଯୁବତୀକୁ ପ୍ରେମ କରୁଥିଲା ଓ ସେଥିପାଇଁ କିଛି ଦିନ ତଳେ ସେ ଜଣେ ଯୁବକକୁ ମାଡ଼ ମାରିଥିଲେ। ଅବଶ୍ୟ ପରେ ଏହି ଘଟଣାର ଆପୋଷ ସମାଧାନ ହୋଇଯାଇଥିଲା। ଉକ୍ତ ଘଟଣାକୁ କେନ୍ଦ୍ର କରି ଆଜି ନୀଳାଚଳକୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ ନୀଳାଚଳର ସାନ ଭାଇ ଅକ୍ଷୟ ଥାନାରେ ଅଭିଯୋଗ କରିଛି ଯେ ତା’ ଭାଇ ବସ୍ତିରେ ନିଶା କାରବାରକୁ ବିରୋଧ କରିବାରୁ ଏହି ଆକ୍ରମଣ ହୋଇଛି। ଯଦୁପୁର ଅଞ୍ଚଳର କିଛି ଯୁବକ ସାଲିଆସାହି ନୀଳକଣ୍ଠନଗରରେ ନିଶା କାରବାର କରୁଥିବାରୁ ନୀଳାଚଳ ପୁଲିସକୁ ଖବର ଦେଇଥିଲା ଓ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ତେଣୁ ଆଜି ନିଶାମାଫିଆମାନେ ଏହି ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ନୂଆପଲ୍ଲୀ ଥାନା ପୁଲିସ ପ୍ରାଥମିକ ତଦନ୍ତ କରି ଏହି ଘଟଣାକୁ ପୂର୍ବଶତ୍ରୁତାଜନିତ ଗଣ୍ଡଗୋଳ ବୋଲି କହିଛି। ତେବେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ନୀଳାଚଳର ସାଙ୍ଗ ଆଣ୍ଟୋନି ଓ ଉକ୍ତ ଯୁବତୀକୁ ଠାବ କରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ଅଟୋ ଚଳାଇ ରୋଜଗାର କରୁଥିବା ନୀଳାଚଳ ଅପରାଧ ଜଗତ ସହ ଜଡ଼ିତ ଥିଲା। ତା’ ନାଁରେ ନୂଆପଲ୍ଲୀ ଥାନାରେ ହତ୍ୟା ଉଦ୍ୟମ, ନିଶା କାରବାର ଭଳି ସଙ୍ଗିନ୍ ଅଭିଯୋଗ ରହିଛି। ୨୦୨୧ ମେ’ ୧୦ ତାରିଖରେ ଦାଦାବଟି ଆଦାୟକୁ କେନ୍ଦ୍ର କରି ସେ ଓ ତା’ର ସହଯୋଗୀମାନେ ରାକେଶ ସ୍ବାଇଁ ଓ ତାଙ୍କ ଭାଇ ବିକାଶକୁ ଘରେ ପଶି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେହି ମାମଲାରେ ନୀଳାଚଳ ସହ ସାହାନାଜ୍ ମଲିକ୍ ଓରଫ୍ ମୁଫି ଥିଲା। ଆଜି ନୀଳାଚଳକୁ ହୋଇଥିବା ଆକ୍ରମଣରେ ସେହି ସାଲିଆସାହି ନୀଳକଣ୍ଠନଗରର ମୁଫି ସହିତ ଚିତ୍ତରଂଜନ ଓରଫ୍ କୁନା, ମୁନା ଓ ମଣ୍ଟୁ ଆଦି ସାମିଲ୍ ଅଛନ୍ତି ବୋଲି ଜଣାପଡ଼ିଛି। ପୁଲିସ ମଧ୍ୟ ସ୍ଥାନୀୟ ଅଞ୍ଚଳର କିଛି ଦୋକାନର ସିସିଟିଭି ଫୁଟେଜ୍ରୁ ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରି ୨ଜଣଙ୍କୁ ଉଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/29-11.jpg)
