ଘରେ ପଶି ମା’ ଓ ଝିଅଙ୍କୁ ମ୍ୟାକ୍ସି ପିନ୍ଧା ଯୁବକର ଆକ୍ରମଣ ଘଟଣା: ପୁଲିସକୁ ପାଣି ପିଆଉଛି ରୂପେଶ

ଲୁଟ୍‌ ଅଭିଯୋଗ ଆଣିଲେ ପ୍ରଫେସରଙ୍କ ପରିବାର

ଚନ୍ଦ୍ରଶେଖରପୁର : ମ୍ୟାକ୍ସି ପିନ୍ଧି ଯୁବତୀ ବେଶରେ ପଡ଼ୋଶୀ ଘରେ ପଶି ମା’ ଓ ଝିଅଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ରୂପେଶ ସୁସ୍ଥ ହୋଇଛି। ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ତାକୁ ହସ୍ପିଟାଲରୁ ଥାନାକୁ ଆଣି ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର୍‌ କରିଛି। ରୂପେଶକୁ ନେଇ ଅପହରଣ ସ୍ଥାନ( ତା’ କାହାଣୀ ଅନୁଯାୟୀ) ବୁଲାଇଛି। ଏଣେ ପ୍ରଫେସର ମିଶ୍ରାଙ୍କ ପରିବାର ପକ୍ଷରୁ ରୂପେଶ ନାମରେ ଥାନାରେ ଲୁଟ୍‌ ଅଭିଯୋଗ ଦାଏର ହୋଇଛି। ସେହିଭଳି ପୁଲିସକୁ ଭୁଆଁ ବୁଲାଉଥିବା ଅଭିଯୋଗରେ ତା’ ନାଁରେ ମାମଲା ରୁଜୁ କରିବାକୁ ପୁଲିସ ଯୋଜନା କରୁଥିବା ମଧ୍ୟ ଜଣାପଡ଼ିଛି। ଡିସିପି ଉମାଶଙ୍କର ଦାଶ ଏହି ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ଏବଂ ଅଭିଯୁକ୍ତ ରୂପେଶ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେଣୁ ପ୍ରଫେସରଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ତା’କୁ ଲୁଟ୍‌ ଓ ଆକ୍ରମଣ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇପାରେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଦୁଇ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ରୂପେଶ ସୁସ୍ଥ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ ଆଜି ପୁଲିସକୁ ସୂଚନା ଦିଆଯାଇଥିଲା। ତେଣୁ ଏହି ମାମଲାର ତଦନ୍ତ କରୁଥିବା ଟିମ୍‌ ଆଜି ରୂପେଶକୁ ହସ୍ପିଟାଲରୁ ସିଧା ଥାନାକୁ ନେଇଥିଲା। ପଚରାଉଚରା ବେଳେ ପୁଣି ମନଗଢ଼ା କାହାଣୀ ଶୁଣାଇଲା ରୂପେଶ। ଏମିତିକି ଘଟଣା ଦିନ ଯେମିତି କହିଥିଲା, ଆଜି ଆହୁରି ଅଧିକ ବନେଇଚୁନେଇ କହିଥିଲା। ଅଫିସ ଯିବା ବାଟରେ ତା’କୁ ଦୁର୍ବୃତ୍ତମାନେ ଅପହରଣ କରି ମ୍ୟାକ୍ସି ପିନ୍ଧାଇଲେ ଓ ପ୍ରଫେସର ମିଶ୍ରାଙ୍କ ଘରେ ପଶି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ। ନ ହେଲେ ତାକୁ ହତ୍ୟା କରିବେ ବୋଲି ଅପହରଣକାରୀମାନେ ଧମକ ଦେଲେ। ସେଦିନର ଏହି କାହାଣୀକୁ ପୁଣି ଆଜି ବଡ଼ ସୁନ୍ଦର ଭାବେ ରୂପେଶ ବର୍ଣ୍ଣନା କରିଥିଲା। ତେଣୁ ପୁଲିସ ତାକୁ ଧରି ନୀଳାଦ୍ରିବିହାରର କଥିତ ଅପହରଣ ସ୍ଥାନକୁ ନେଇଥିଲା। ମାତ୍ର ସେ କହିଥିବା ଓ ଦେଖାଇଥିବା ଜାଗା ଭିତରେ ତାଳମେଳ ନଥିବା ଜଣାପଡ଼ିଥିଲା। କଥାରେ ତାଳମେଳ ନଥିଲେ ବି ରୂପେଶ ଏଣୁତେଣୁ କହି ପୁଲିସକୁ ପାଣି ପିଆଇଥିଲା। ତେଣୁ ଆଜି ବି ପୁଲିସ ତା’ଠାରୁ ସତ ଉଗାରି ପାରିନାହିଁ। ସେହିଭଳି ମ୍ୟାକ୍ସି ଓ ଛୁରିକୁ ନେଇ ସେ ପୁଲିସକୁ ଦେଇଥିବା ସୂଚନାରେ ମଧ୍ୟ ତାଳମେଳ ରହୁନଥିବା ଜଣାପଡ଼ିଛି। ତା’ ପରିବାର ଲୋକେ ମ୍ୟାକ୍ସି ସେମାନଙ୍କର ନୁହେଁ ବୋଲି କହୁଥିଲେ ହେଁ ତାହା ମଧ୍ୟ ସତ ନୁହେଁ ବୋଲି ପୁଲିସ ଜାଣିବାକୁ ପାଇଛି। ତେଣୁ ବର୍ତ୍ତମାନ ସୁଦ୍ଧା ଏହି ରହସ୍ୟମୟ ଘଟଣାଟି ଏକ ସୁଚିନ୍ତିତ ଲୁଟ୍‌ ଉଦ୍ୟମ ବୋଲି କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଶୈଳଶ୍ରୀବିହାର ଭିଆଇଏମ୍‌ କଲୋନିରେ ରହୁଥିବା ଅବସରପ୍ରାପ୍ତ ପ୍ରଫେସର ସୁରେଶ ମିଶ୍ରା ଘରେ ନଥିବା ବେଳେ ହଠାତ୍ ରୂପେଶ ମ୍ୟାକ୍ସି ପିନ୍ଧି ତାଙ୍କ ଘରେ ପଶିଥିଲା। ମୁଣ୍ଡରେ ହେଲ୍‌ମେଟ୍‌ ଥିବାରୁ ପ୍ରଫେସର ମିଶ୍ରାଙ୍କ ସ୍ତ୍ରୀ ଓ ଝିଅ ରୂପେଶକୁ ଚିହ୍ନି ପାରିନଥିଲେ। ସେମାନେ କବାଟ ଖୋଲିବା ମାତ୍ରେ ରୂପେଶ ଏକ ଖେଳଣା ବନ୍ଧୁକ ଓ ଛୁରି ଦେଖାଇ ମା’ ଝିଅଙ୍କୁ ରଶିରେ ବାନ୍ଧିବାକୁ ଉଦ୍ୟମ କରିଥିଲା। ମାତ୍ର ସାହସ ଜୁଟାଇ ମା’, ଝିଅ ରୂପେଶକୁ ପାଲଟା ଆକ୍ରମଣ କରିଥିଲେ। ଧସ୍ତା‌ଧସ୍ତିରେ ଉଭୟ ପକ୍ଷ ଆହତ ହୋଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଯିବା ପରେ ମ୍ୟାକ୍ସି ପିନ୍ଧା ଲୋକଟି ରୂପେଶ ବୋଲି ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର