ପୁଲିସ ଉପରେ ବଢ଼ୁଛି ଆକ୍ରମଣ: ୩ ବର୍ଷରେ ୨୭ଥର

୨୦୨୦ ଅପେକ୍ଷା ୨୦୨୧ରେ ୨୦% ଅଧିକ ମାମଲା

ଭୁବନେଶ୍ବର : ସ୍ମାର୍ଟସିଟିରୁ ଅପରାଧ କମାଇବା ପାଇଁ କମିସନରେଟ୍ ପୁଲିସ ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା କରୁଛି। ବସ୍ତିବାସିନ୍ଦାଙ୍କ ନିକଟତର ହେବା ପାଇଁ ‘ବସ୍ତିକୁ ଚାଲ ଯୋଜନା’ କରାଯାଇଛି। କିନ୍ତୁ ଲୋକଙ୍କ ସହ ଯୋଡ଼ି ହୋଇ ଅପରାଧ କମାଇବ କ’ଣ, ପୁଲିସ ନିଜେ ଆକ୍ରମଣର ଶିକାର ହେଉଛି। କେତେବେଳେ ଅପରାଧୀଙ୍କୁ ଧରିବାକୁ ଯାଇ ମାଡ଼ ଖାଉଛି ତ ଆଉ କେତେବେଳେ ନିଶା ଜବତ କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଉଛି। ନିକଟରେ ବାଲିପାଟଣା କୃଷ୍ଣପୁର ଗାଁରେ ପୁଲିସକୁ ମାଡ଼ ଘଟଣା, ଏହାର ସଦ୍ୟତମ ଉଦାହରଣ। ଜୁଆଡ଼ିଙ୍କୁ ଧରିବାକୁ ଯାଇଥିବା ପୁଲିସ୍‌ ସେଠାରେ ଉପସ୍ଥିତ ସାଧାରଣ ଲୋକଙ୍କ ଉପରେ ମଧ୍ୟ ଆଖିବୁଜା ଲାଠିଚାଳନା କରିଥିଲା। ତେଣୁ ଏହାକୁ କେନ୍ଦ୍ର କରି ବଡ଼ ଅଘଟଣ ଘଟିଗଲା। ଏହାକୁ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରି ସ୍ଥାନୀୟ ଲୋକ ଟେକାପଥର ମାଡ଼ କରିବା ସହ ପୁଲିସକୁ ପିଟିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, କମିସନରେଟ୍ ପୁଲିସ ଓ ଅବକାରୀ ବିଭାଗ ଉପରେ ଗତ ୩ବର୍ଷ ମଧ୍ୟରେ ପ୍ରାୟ ୨୭ଥର ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ପୁଲିସ ଗୁଇନ୍ଦା ଫେଲ୍
ବାଲିପାଟଣାର କୃଷ୍ଣପୁର ଗାଁ ଯାତ୍ରାରେ ଜୁଆ ଖେଳ ଚାଲିଥିବା ଖବର ପାଇ ଡିସିପିଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ପିଓପିଡି ଓ ଟିମ୍-୬୦ ଚଢ଼ଉ କରିଥିଲା। ଚଢ଼ଉ କରିବାକୁ ଘଟଣାସ୍ଥଳକୁ ମାତ୍ର ୧୭ଜଣ ପୁଲିସ କର୍ମଚାରୀ ଯାଇଥିଲେ। ଗାଁ ଯାତ୍ରାରେ ଏତେସଂଖ୍ୟକ ଲୋକଙ୍କ ସମାଗମ ହୋଇଥିବା ବେଳେ ପୁଲିସ୍‌ କାହିଁକି ଏତେ କମ୍‌ କର୍ମଚାରୀଙ୍କୁ ନେଇ ଚଢ଼ଉ କରିବାକୁ ଗଲା? ବାଲିପାଟଣା ପୁଲିସର ଗୁଇନ୍ଦା ଏଠି ଫେଲ୍‌ ମାରିଲା ବୋଲି କୁହାଯାଉଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ଗତ ପୌର ନିର୍ବାଚନ ଗଣତି ବେଳେ ବିଜେବି କଲେଜ ପରିସର ରଣକ୍ଷେତ୍ର ପାଲଟିବା ଘଟଣାରେ ମଧ୍ୟ ସେହି ସ୍ଥିତି ଦେଖିବାକୁ ମିଳିଥିଲା। ଅଧିକ ଫୋର୍ସ ଅଭାବରୁ ପୁଲିସ ସମେତ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀମାନେ ମାଡ଼ ଖାଇଥିଲେ। ଷ୍ଟ୍ରଙ୍ଗ୍‌ରୁମ୍ ପରିସରରେ ଏତେ ବଡ଼ ଭିଡ଼ ଗଣ୍ଡଗୋଳ ପାଇଁ ଏକାଠି ହେଉଥିବା ବେଳେ କାହିଁକି ଅଧିକ ପ୍ଲାଟୁନ୍ ପୁଲିସ ଘଟଣାସ୍ଥଳକୁ ପଠା ଯାଇନଥିଲା।

ଖବର ଲିକ୍ ହେବା ଭୟରେ ସ୍ଥାନୀୟ ପୁଲିସକୁ ଖବର ଦିଆଯାଉନି
ନିୟମ ଦୃଷ୍ଟିରୁ, ଅନ୍ୟ ଥାନା ଅଧୀନରେ ଆତ୍ମଗୋପନ କରିଥିବା ଅପରାଧୀକୁ ଧରିବା ପାଇଁ କିମ୍ବା ଆଡ଼ାରେ ଚଢ଼ଉ ପାଇଁ ଯିବା ପୂର୍ବରୁ ସେ ଥାନା ପୁଲିସକୁ ଆଗୁଆ ସୂଚନା ଦିଆଯିବା କଥା। ମାତ୍ର ଖବର ଲିକ୍‌ ହୋଇଯିବା ଭୟରେ କିଛି ଥାନାଧିକାରୀ ସୂଚନା ଦେଉନାହାନ୍ତି। ସ୍ଥାନୀୟ ଥାନା ପୁଲିସକୁ ଖବର ଦେଲେ କିଛି ଅସାଧୁ କର୍ମଚାରୀ ଅପରାଧୀଙ୍କୁ ପ୍ରାକ୍ ସୂଚନା ଦେଇ ଦେଉଥିବା ଅଭିଯୋଗ ହେଉଛି। ଫଳରେ ଅଭିଯୁକ୍ତ ଧରାପଡ଼ିବା ପୂର୍ବରୁ ଖସିଯାଉଛନ୍ତି। ଏଥିପାଇଁ କମିସନରେଟ୍ ପୁଲିସ ଅଧୀନରେ ରହି ମଧ୍ୟ ଥାନାଗୁଡ଼ିକ ମଧ୍ୟରେ ଏଭଳି ସମନ୍ବୟ ଅଭାବ ଦେଖାଦେଉଛି। ସେହିଭଳି ଅବକାରୀ ବିଭାଗ ମଧ୍ୟ ଯେକୌଣସି ବସ୍ତିରେ ଚଢ଼ଉ କରିବାକୁ ଯାଉଛି, ସ୍ଥାନୀୟ ଥାନା ପୁଲିସକୁ ଖବର ଦେଉ ନଥିବା ଜଣାଯାଇଛି। ଏଥିପାଇଁ ଗତବର୍ଷ ଭରତପୁରରେ ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଥିଲା। ନିଶା ମାଫିଆମାନେ ଚଢ଼ଉ କରିବାକୁ ଯାଇଥିବା ଅବକାରୀ ବିଭାଗ ଗାଡ଼ିକୁ ଅଟକାଇବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

ଫେଲ୍ ମାରିଛି କମ୍ୟୁନିଟି ପୁଲିସିଂ
ଅପରାଧ ଦମନ କ୍ଷେତ୍ରରେ ବି ପୁଲିସ ଅପାରଗତା ପଦାକୁ ଆସିଛି। କମିସନରେଟ୍ ପୁଲିସ ଦେଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ୨୦୨୦ରେ ୮୨୧ଟି ସଙ୍ଗିନ୍ ଅପରାଧ ସମେତ ୭୬୭୪ଟି ମାମଲା ରୁଜୁ ହୋଇଥିଲା। ମାତ୍ର ୨୦୨୧ରେ ପ୍ରାୟ ୨୦ପ୍ରତିଶତ ଅଧିକ ମାମଲା ରୁଜୁ ହୋଇଛି। ୩୦୦ ଅଧିକ ସଙ୍ଗିନ୍ ମାମଲାକୁ ମିଶାଇ ୧୧୧୪ଟି ମାମଲା ହୋଇଥିବା ବେଳେ ମୋଟ ୯୨୬୫ଟି ମାମଲା ରୁଜୁ ହୋଇଛି। କମିସନରେଟ୍ ପୁଲିସର ଏହି ତଥ୍ୟକୁ ଅନୁଶୀଳନ କଲେ ଯେଉଁ ଉଦ୍ଦେଶ୍ୟ ନେଇ କମ୍ୟୁନିଟି ପୁଲିସିଂର ପରିକଳ୍ପନା କରାଯାଇଥିଲା, ତାହା ଏକପ୍ରକାରର ଫେଲ୍ ମାରୁଛି। ଅପରାଧୀଙ୍କ କବଳରୁ ପୁଲିସ୍‌ ନା ଲୋକଙ୍କୁ ସୁରକ୍ଷା ଦେଇପାରୁଛି ନା ନିଜ ସୁରକ୍ଷା କରିପାରୁଛି।

Odisha News Insight

ପୁଲିସକୁ ଆକ୍ରମଣ
୩ଜୁନ୍ ୨୦୨୧: ସକାଳ ପ୍ରାୟ ୯ଟା ବେଳେ ଭରତପୁର ବସ୍ତିର ହରପାର୍ବତୀ ସାହିରେ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା। ନିଶା ବେପାରୀ ସୁନୀତା ନାୟକଙ୍କ ଘରେ ଚଢ଼ଉ କରିବା ବେଳେ ତାଙ୍କ ପରିବାର ଲୋକେ ଓ ସାହିର ଅନ୍ୟ କିଛି ମଦ ବେପାରୀ ମିଳିତ ଭାବେ ଅବକାରୀ ବିଭାଗକୁ ନିସ୍ତୁକ ପିଟିଥିଲେ। ଗାଡ଼ି ଭଙ୍ଗାରୁଜା କରିବା ସହିତ ପ୍ରାୟ ୩ଘଣ୍ଟା କାଳ ସେମାନଙ୍କୁ ଛାଡ଼ି ନଥିଲେ।

ଜୁନ୍ ୨୦୨୧: ପୁଲିସ ନିଜେ ମାସ୍କ ନ ପିନ୍ଧି ବମିଖାଲରେ ମାସ୍କ୍ ଚେକିଂ କରୁଥିଲା। ଏହି ସମୟରେ ଲୋକେ ପାଲଟା ପୁଲିସକୁ ମାସ୍କ୍ କେଉଁଠି ଅଛି ବୋଲି ପ୍ରଶ୍ନ କରି ଧକ୍କା ମାରିଥିଲେ। ତମାଣ୍ଡୋର ନାରଗୋଦା ଛକରେ ମଧ୍ୟ ଏହିଭଳି ଘଟଣାର ପୁନରାବୃତ୍ତି। ପୁଲିସ ମାସ୍କ୍ ଚେକିଂ କରୁଥିବା ବେଳେ ବିନା ମାସ୍କ୍‌ରେ ଯାଉଥିବା ଭାଇ-ଭଉଣୀଙ୍କ ପ୍ରତି ଅଶ୍ଳୀଳ କଥା କହିଥିଲା। ପରେ ଭାଇ-ଭଉଣୀ ଓ ସ୍ଥାନୀୟ ଲୋକେ ମିଶି ପୁଲିସକୁ ଅଟକାଇ ନିର୍ଧୂମ୍ ପିଟିଥିଲେ। ଏପରି ଏହି ଘଟଣାରେ ଜଣେ ଏଏସ୍‌ଆଇଙ୍କର ଅନ୍ୟତ୍ର ବଦଳି ହୋଇଥିଲା।

୬ ଅଗଷ୍ଟ ୨୦୨୧: ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ କିଛି କିନ୍ନର ଜୋର୍‌ ଜବରଦସ୍ତ ଯାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ସହିତ ଲୁଟ୍‌ପାଟ୍ କରୁଥିଲେ। ଖବର ପାଇ ବସ୍‌ଷ୍ଟାଣ୍ଡ ଫାଣ୍ଡିର କନେଷ୍ଟବଳ ଦିନେଶ ଘଟଣାସ୍ଥଳରେ ପହଞ୍ଚି କିନ୍ନରଙ୍କୁ ଅଟକାଇଥିଲେ। ଉତ୍‌କ୍ଷିପ୍ତ ହୋଇ କିନ୍ନରମାନେ ପୁଲିସକୁ ଏକ ଲୁହାରଡ୍‌ରେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ। ପରେ ଉତ୍ୟକ୍ତ ଲୋକେ କିନ୍ନରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ଘଟଣାରେ ୬ରୁ ଅଧିକ କିନ୍ନର ଗିରଫ ହୋଇଥିଲେ।

୨୦୨୧ ନଭେମ୍ବର: ଖଣ୍ଡଗିରି ଥାନାକୁ ଅଭିଯୋଗ ନେଇ ଆସିଥିବା ଜଣେ ମହିଳାଙ୍କ ଅଭିଯୋଗ ନ ରଖିବା ଓ କାର୍ଯ୍ୟାନୁଷ୍ଠାନ ନ ନେବାକୁ କେନ୍ଦ୍ର କରି ସେ ପୁଲିସକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପୁଲିସ ତାଙ୍କୁ ଧରିବାକୁ ଯିବାରୁ ୨ଜଣ ମହିଳା କର୍ମଚାରୀଙ୍କୁ ମାଡ଼ ମାରି ତାଙ୍କ ହାତ ଭାଙ୍ଗିଦେଇଥିଲେ। ଏପରିକି ଖଣ୍ଡଗିରି ଥାନା ଉପରକୁ ଢେଲା ମାଡ଼ କରିଥିଲେ।

୩ଅଗଷ୍ଟ ୨୦୨୧: ଲକ୍ଷ୍ମୀସାଗର ଚିନ୍ତାମଣିଶ୍ବର ଶବର ସାହିକୁ ପୁଲିସ ଯାଇଥିବା ବେଳେ ଘର ମାଲିକାଣୀ ସୁଶ୍ରୀ ପଣ୍ଡା ମହିଳା ଏସ୍‌ଆଇ ପ୍ରିୟଦର୍ଶିନୀ ବେହେରାଙ୍କ ଚୁଟି ଘୋଷାରି ପିଟିଥିଲେ। ଏପରିକି ପୁଲିସ ତାଙ୍କୁ ଅଟକାଇବାକୁ ଗଲା ବେଳକୁ ମହିଳା ପୁଲିସକୁ କାମୁଡ଼ି ପକାଇଥିଲେ।

 

ସମ୍ବନ୍ଧିତ ଖବର