ଭୁବନେଶ୍ୱର : ଖାରବେଳ ନଗରରେ ଥିବା ବିଜେପି କାର୍ଯ୍ୟାଳୟରେ କର୍ମୀ ଘଟାଇଛନ୍ତି ଉନ୍ମତ୍ତକାଣ୍ଡ। ଫନି ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରୁଥିବା ବେଳେ ନିର୍ବାଚନରେ ପ୍ରଚାର ପ୍ରସଙ୍ଗକୁ ନେଇ କର୍ମୀମାନଙ୍କର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କେତେକ କର୍ମୀ ମିଶି ଉମେଶ ଖଣ୍ଡେଲୱାଲ ନାମକ ଜଣେ କର୍ମୀଙ୍କର ଗାଡ଼ି ଭାଙ୍ଗି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗତ ୫ତାରିଖରେ ଏହି ଅଘଟଣ ଘଟିଛି। ୫ରୁ ଊର୍ଦ୍ଧ୍ବ କର୍ମୀ ବାଉଁଶରେ ପିଟି ପିଟି ଗାଡ଼ିକୁ ଭାଙ୍ଗିଛନ୍ତି। ଖବର ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଆମ ଦଳୀୟ ମାମଲା, ଆମେ ଆପୋସ ବୁଝାମଣା କରିବୁ ବୋଲି ବରିଷ୍ଠ କର୍ମୀ କହିବା ପରେ ପୁଲିସ ଫେରି ଆସିଥିଲା। କିନ୍ତୁ ଘଟଣାର ଘଣ୍ଟାକ ପରେ ଉମେଶ ଖଣ୍ଡେଲୱାଲ ଖାରବେଳ ନଗର ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ମୁତାବକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାତ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ୫ ତାରିଖ ଦିନ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଖବର ପାଇ ଅନ୍ୟ କର୍ମୀମାନଙ୍କ ସହ ସେ ମଧ୍ୟ ପାର୍ଟି ଅଫିସ୍ରେ ପହଞ୍ଚିଥିଲେ। ସମୀକ୍ଷା ଚାଲିଥିବା ବେଳେ ନିର୍ବାଚନ ପାଇଁ ପ୍ରଚାର ପ୍ରସଙ୍ଗ ଉଠିଥିଲା। ଉମେଶ କାହିଁକି ଜଗନ୍ନାଥ ପ୍ରଧାନ(ବିଜେପି ବିଧାୟକ ପ୍ରାର୍ଥୀ)ଙ୍କ ପାଇଁ ପ୍ରଚାର ନ କରି ପୁରୀ ଚାଲିଗଲେ ବୋଲି ଜଗନ୍ନାଥ ପ୍ରଧାନଙ୍କ କେତେକ ସମର୍ଥକ ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ କଥା କଟାକଟି ହୋଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ଶ୍ରୀ ପ୍ରଧାନାଙ୍କ ୫ରୁ ଊର୍ଦ୍ଧ୍ବ ସମର୍ଥକ ବାହାରକୁ ଆସି କାର୍ଯ୍ୟାଳୟ ପରିସରରେ ପଡ଼ିଥିବା ବାଉଁଶ ବହ୍ଲା ଧରି ଉମେଶଙ୍କ ଗାଡ଼ିକୁ ପିଟିବା ଆରମ୍ଭ କରିଥିଲେ। ଗାଡ଼ିର ଆଗ ଓ ପଛ କାଚ ସମେତ ବିଭିନ୍ନ ଅଂଶକୁ ପିଟିବାରେ ଲାଗିଥିଲେ। ଗାଡ଼ି ଭାଙ୍ଗିଯିବା ପରେ ସେମାନେ ଉମେଶଙ୍କୁ ମାଡ଼ ମାରିବା ପାଇଁ ଉଦ୍ୟତ ହୋଇଥିଲେ। ତେବେ ଅନ୍ୟ ବରିଷ୍ଠ କର୍ମୀଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତି ଶାନ୍ତ ହୋଇଥିଲା। ଆପୋସ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଶେଷରେ ବିଳମ୍ବିତ ରାତ୍ରିରେ ଉମେଶ ଖାରବେଳ ନଗର ଥାନାରେ ଶ୍ରୀ ପ୍ରଧାନ ଓ ତାଙ୍କ ସମର୍ଥକଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୁଲିସ ଶ୍ରୀ ପ୍ରଧାନଙ୍କ ନାମରେ ଏକ ମାମଲା ରୁଜୁ କରିଛି। ତାଙ୍କୁ ଗିରଫ କରିବା ପାଇଁ ଦୁଇଟି ଜାଗାରେ ଚଢ଼ଉ କରିଥିବା ଥାନାସୂତ୍ରରୁ ଜଣାପଡ଼ିଛି।
ବିଜେପି ଦଳୀୟ କାର୍ଯ୍ୟାଳୟରେ ଉନ୍ମତ୍ତକାଣ୍ଡ, କର୍ମୀଙ୍କ ଗାଡ଼ି ଭାଙ୍ଗିଦେଲେ
/sambad/media/post_attachments/wp-content/uploads/2019/05/bjp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)