ପୁରୁଣା ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଭାଙ୍ଗିବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ୍ ଜାମୁକୋଳି ଉପରସାହିର ନୀଳକଣ୍ଠ ଦାସ (୩୦) ଓରଫ୍ ଡାଙ୍ଗୁଆ ଓ ଲିଙ୍ଗରାଜ ଦାସ (୨୮) ଓରଫ୍ କୁନାକୁ ଗିରଫ କରିଛି। ପୁଲିସ ସୂଚନାନୁଯାୟୀ, ଗତ ୧୪ ତାରିଖ ରାତିରେ ଉପର ସାହିର ପ୍ରଭାତୀ ଦାସ, ତାଙ୍କ ସ୍ୱାମୀ ଶବର ଦାସ ଓ ଦୁଇ ପୁଅ ଘରେ ଶୋଇଥିଲେ। ସେହି ସମୟରେ ଡାଙ୍ଗୁଆ ଓ କୁନା କୁରାଢ଼ୀ ଧରି ପ୍ରଭାତୀଙ୍କ ବାଡ଼ିରେ ପଶି ତାଙ୍କ ଗୁହାଳ ଘରକୁ ଭାଙ୍ଗିଥିଲେ।
ଶବର ଏହା ଦେଖି ବିରୋଧ କରିବାରୁ ଡାଙ୍ଗୁଆ ଓ କୁନା ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲେ। ଶବର ଜୀବନ ବିକଳରେ ଘରେ ପଶି କବାଟ ଦେଇ ଦେଇଥିଲେ। ଅପରପକ୍ଷେ ପାଟିତୁଣ୍ଡ ଶୁଣି ପ୍ରଭାତୀଙ୍କ ନିଦ ଭାଙ୍ଗି ଯିବାରୁ ସେ କବାଟ ଖୋଲି ବାହାରକୁ ଚାଲି ଆସିଥିଲେ। ଏହି ମୌକାରେ ଅଭିଯୁକ୍ତଦ୍ବୟ ତାଙ୍କ ଘରେ ପଶି ଶବରଙ୍କୁ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟବଶତଃ ଶବର ବର୍ତ୍ତି ଯାଇଥିଲେ। ପରେ ଅଭିଯୁକ୍ତଦ୍ବୟ ତାଙ୍କ ଘର ଆସବାବପତ୍ର ସବୁକୁ ଏଣେତେଣେ ଫୋପାଡ଼ିବା ସହ ୧୦ ହଜାର ଟଙ୍କା ଲୁଟି ନେଇଥିଲେ। ଏ ସଂପର୍କରେ ପ୍ରଭାତୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।