ମହିଳାଙ୍କୁ ସଉତୁଣୀଙ୍କ ହତ୍ୟା ଉଦ୍ୟମ: ଚିତ୍କାର ଶୁଣି ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଜଣେ କିନ୍ନର, ୩ଜଣଙ୍କୁ ବିବାହ କରିଛି ରସିକିଆ ସ୍ବାମୀ

ଭୁବନେଶ୍ବର/ମେଣ୍ଢାଶାଳ : ଗୁରୁବାର ରାତିରେ ଚନ୍ଦକା ଥାନା ଅଧୀନ ଗୋଠପାଟଣା ଅଞ୍ଚଳରେ ଜଣେ ମହିଳାଙ୍କୁ ଏକ ଅଟୋ ଭିତରେ ତାଙ୍କ ସଉତୁଣୀ ଓ ଅନ୍ୟ ୨ ଜଣ ମୁଣ୍ଡରେ ବନ୍ଧୁକ ଲଗାଇ ନିସ୍ତୁକ ମାଡ଼ ମାରୁଥିବା ବେଳେ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର କରିଛନ୍ତି। ଲୋକଙ୍କୁ ଦେଖି ଏକ ଅଟୋରେ ଆସିଥିବା ୩ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ଆଜି ଖଣ୍ଡଗିରି ଥାନାରେ ମହିଳାଜଣକ ଅଭିଯୋଗ କରିବାରୁ ପୁଲିସ୍ ଅପହରଣ ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ପୀଡ଼ିତା ମହିଳା ଜଣକ ହେଉଛନ୍ତି ସରିତା ପରିଡ଼ା(୨୧) ଏବଂ ତାଙ୍କ ସ୍ବାମୀଙ୍କ ନାମ ସୁଶାନ୍ତ କୁମାର ପାତ୍ର। ସରିତା ଏମ୍ସ ଦାମୋଦରପୁରସ୍ଥିତ ଅଫିସର୍ସ ଏନ୍‌କ୍ଲେଭ୍‌ରେ ରହନ୍ତି। ସରିତା ଥାନାରେ କରିଥିବା ଅଭିଯୋଗ ମୁତାବକ, ତାଙ୍କୁ ହତ୍ୟା ଉଦ୍ୟମ କରୁଥିବା ୩ ଜଣଙ୍କୁ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ହେଉଛି ତାଙ୍କ ସଉତୁଣୀ ଲୋପାମୁଦ୍ରା ବିଶ୍ବାଳ। ସୁଶାନ୍ତ ପ୍ରଥମେ ଲୋପାମୁଦ୍ରାଙ୍କୁ ବିବାହ କରିଥି‌ବାବେଳେ ପରେ ଆଉ ଜଣଙ୍କୁ ମଧ୍ୟ ବାହା ହୋଇଥିଲେ। ଶେଷରେ ସରିତାଙ୍କୁ ତୃତୀୟ ବିବାହ କରିଥିଲେ। ବାହା ହେବା ପରଠୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଯେଉଁଥିପାଇଁ ତାଙ୍କ ବଡ଼ ସଉତୁଣୀ ଲୋପାମୁଦ୍ରା ଗତକାଲି ଚତୁରତାର ସହ ଝିଅର ଡ୍ରେସ୍ କିଣିବାକୁ କହି ସନ୍ଧ୍ୟାବେଳେ ସରିତାଙ୍କୁ ଡାକିଥିଲେ। ଏହା ପରେ ଏକ ଅଟୋରେ ଲୋପାମୁଦ୍ରା ତାଙ୍କର ଜଣେ କିନ୍ନର ବନ୍ଧୁଙ୍କୁ ନେଇ ଖଣ୍ଡଗିରି ଯାଇଥିଲେ। ଏହା ପରେ କଥାରେ ଭୁଲାଇ ରଖି ସେମାନେ ତାଙ୍କୁ ଖଣ୍ଡଗିରି ପାହାଡ଼ ଦେଇ ସମ୍‌ ହସ୍ପିଟାଲ ପରେ ସିଡିଏ ଓ ଶେଷରେ ମଳିପଡ଼ା ଦେଇ ଗୋଠପାଟଣାର ଏକ ନିଛାଟିଆ ଜାଗାକୁ ନେଇଥିଲେ। ଏହା ପରେ ସରିତା କିଛି ବୁଝିବା ପୂର୍ବରୁ ତାଙ୍କୁ ଲୋପାମୁଦ୍ରାଙ୍କ ସମେତ ଅଟୋଚାଳକ ଓ କିନ୍ନର ଆକ୍ରମଣ କରିଥିଲେ। ସେମାନେ ପାଖରେ ଥିବା ଏକ ବନ୍ଧୁକ ତାଙ୍କ ମୁଣ୍ଡରେ ଲଗାଇ ମାଡ଼ ମାରିବାରୁ ସରିତା ଜୀବନ ବିକଳରେ ଚିତ୍କାର କରିଥି‌‌ଲେ। ତେବେ ସ୍ଥାନୀୟ ଲୋକେ ତାଙ୍କ ଚିତ୍କାର ଶୁଣି ଚାଲି ଆସିବା ପରେ ସେଠାରେ ସରିତାଙ୍କୁ ଫୋପାଡ଼ି ଦେଇ ସେମାନେ ଅଟୋରେ ପଳାଇଥିଲେ।

ସମ୍ବନ୍ଧିତ ଖବର