କଟକ-ମହାନଦୀବିହାର : ୧୫ ମିନିଟ୍‌ ବିଳମ୍ବ ହୋଇଥିଲେ ଲୁଟି ନେଇଥା’ନ୍ତା ୩୦ ଲକ୍ଷ

କଟକ-ମହାନଦୀବିହାର : ଚାଉଳିଆଗଞ୍ଜ ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଗତକାଲି ରାତି ୩ଟା ସମୟରେ ଲୁଟ୍‌ ଉଦ୍ୟମ ହୋଇଛି। ଜଗତସିଂହପୁର ଅଞ୍ଚଳର ଜଣେ ଯୁବକ ଏକ କଳାରଙ୍ଗର ପଲସର୍‌ରେ ଆସି ଏଟିଏମ୍‌କୁ ଗ୍ୟାସ୍‌ କଟର୍‌ ସାହାଯ୍ୟରେ କାଟି ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଚାଉଳିଆଗଞ୍ଜ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିଛି।

ସୂଚନା ଅନୁଯାୟୀ, ଯୁବକଜଣକ ପ୍ରାୟ ୧୫ ଦିନ ହେବ କଟକ ସହରକୁ ଆସି ବିଭିନ୍ନ ଏଟିଏମ୍‌କୁ ଯାଇ ନଜ଼ର ରଖୁଥିଲା। ଦୁଇ ଦିନ ପୂର୍ବରୁ ସେ ଗଣ୍ଡରପୁରର ଏକ ହୋଟେଲରେ ରହି ଲୁଟ୍‌ର ପ୍ଲାନ କରିଥିଲା। ଏହି ଏଟିଏମ୍‌ରେ ରାତି ଜଗୁଆଳି ନଥିବାରୁ ସେ ରାତି ପ୍ରାୟ ଦୁଇଟା ବେଳେ ଏଟିଏମ୍‌ କାଉଣ୍ଟର୍‌ ଭିତରେ ପଶି ଗ୍ୟାସ୍‌ କଟର୍‌ ଦ୍ୱାରା ଏଟିଏମ୍‌କୁ କାଟିଥିଲା। ସେହି ସମୟରେ ଚାଉଳିଆଗଞ୍ଜର ପିସିଆର୍‌ ଗାଡ଼ି ଯାଉଥିବା ବେଳେ ଏଟିଏମର ସଟର୍‌ ବନ୍ଦ ଥିବା ଏବଂ ଭିତରେ ଲାଇଟ ଜଳୁଥିବା ଦେଖି ସନ୍ଦେହ କରିଥିଲା। ଏ ସଂକ୍ରାନ୍ତରେ ଖବର ପାଇ ଚାଉଳିଆଗଞ୍ଜ ଥାନା ଆଇଆଇସି ତାପସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସଟର୍‌ ଉଠାଇବା ବେଳେ ଯୁବକଜଣକ ଗ୍ୟାସ କଟର୍‌ରେ ଏଟିଏମକୁ ଅଧା କାଟି ଦେଇଥିଲା। ମାତ୍ର ପନ୍ଦର ମିନିଟ ବିଳମ୍ବ ହୋଇଥିଲେ, ଏଟିଏମ ରେ ଥିବା ତିରିଶ ଲକ୍ଷ ଟଙ୍କା ଲୁଟ ହୋଇଯାଇଥାନ୍ତା ବୋଲି ଏଟିଏମ ଦାୟିତ୍ୱରେ ଥିବା ବ୍ୟାଙ୍କ ଅଧିକାରୀ କହିଛନ୍ତି। ଚାଉଳିଆଗଞ୍ଜ ପୁଲିସ ଯୁବକକୁ ଅଟକ ରଖି ଭୁବନେଶ୍ୱର ପଟିଆ ଅଞ୍ଚଳରୁ ଦୁଇ ଦିନ ପୂର୍ବରୁ ଏକ ଏଟିଏମରୁ ଚୋରି ହୋଇଥିବା ୨୮ ଲକ୍ଷ ଟଙ୍କା ସଂପର୍କରେ ପଚରାଉଚରା କରୁଛି। ଲୁଟ୍‌ର ତରିକା ସମାନ ହୋଇଥିବାରୁ ଏହି ଘଟଣାରେ ତା’ର ହାତ ଥିବା ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର