ଝିଅକୁ ଦୁଷ୍କର୍ମ ଉଦ୍ୟମ ମାମଲା: ଆସାମୀ ବାପାକୁ ୧୪ ବର୍ଷ କାରାବାସ

ଭୁବନେଶ୍ବର : ନିଜ ଜନ୍ମ କଲା ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଭଳି ଏକ ସମ୍ବେଦନଶୀଳ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଭୁବନେଶ୍ବର ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ଏହି ପୋକ୍ସ ଆଇନ ସଂକ୍ରାନ୍ତୀୟ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଆସାମୀ ବାପାକୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ତଥ୍ୟଭିତ୍ତିକ ପ୍ରମାଣ ପାଇବା ପରେ କୋର୍ଟ ଆସାମୀ ମହମ୍ମଦ ତାଫିକ୍‌କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାନୁସାରେ ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ରହୁଥିବା ମହମ୍ମଦ ତାଫିକ୍(୪୬) ନିଜ ନାବାଳିକା ସାନ ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଖୋଦ୍‌ ତାଫିକ୍‌ର ସ୍ତ୍ରୀ ୨୦୨୦ ମସିହାରେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ତାଫିକ୍‌ ଦୁଇ ଦୁଇ ଥର ଦୁଷ୍କର୍ମ ଉଦ୍ୟମ କରିଥିଲା। ସ୍ତ୍ରୀ ଓ ବଡ଼ ଝିଅ ଘରେ ନଥିବା ବେଳେ ତାଫିକ୍‌ ଏଭଳି ବର୍ବରକାଣ୍ଡ ଭିଆଉଥିଲା। ପ୍ରଥମେ ଲୋକ ଲଜ୍ଜାକୁ ଡରି ସ୍ତ୍ରୀ ଚୁପ୍‌ ରହିଥିଲେ। କିନ୍ତୁ ପିଶାଚ ତାଫିକ୍‌ ବାରମ୍ବାର ଦୁଷ୍କର୍ମ ଉଦ୍ୟମ କରିଥିଲା। ୨୦୨୦ ସେପ୍ଟେମ୍ବର ୧୭ରେ ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରିଥିଲା ତାଫିକ୍‌। ତେଣୁ ଆଉ ଚୁପ୍‌ ରହିନଥିଲେ ନାବାଳିକାର ମା’। ଏନେଇ ତାଫିକ୍‌ଙ୍କ ପତ୍ନୀ ପ୍ରଥମେ ଖଣ୍ଡଗିରି ଓ ପରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ଅଧିକାରୀ ଏସ୍‌ଆଇ ରଶ୍ମୀରେଖା ବେହେରା ତାଫିକ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ମାମଲାର ଗୁରୁତ୍ବ ଦୃଷ୍ଟିରୁ ଏହାର ଶୁଣାଣି ଫାଷ୍ଟ୍‌ଟ୍ରାକ୍‌ କୋର୍ଟରେ ହୋଇଥିଲା। ତଦନ୍ତ ଅଧିକାରୀ ଅଭିଯୁକ୍ତ ତାଫିକ୍‌ ବିରୋଧରେ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସହ ଠିକଣା ସମୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ତାଫିକ୍ ବିରୋଧରେ ୧୩ ଜଣ ସାକ୍ଷୀ କୋର୍ଟରେ ବୟାନ୍‌ ଦେଇଥିଲେ। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପିପି ରାଜୀବ ଜୟସ୍ବାଲ୍‌ଙ୍କ ସୂଚନାନୁସାରେ ବିଚାରପତି ଭିକାରୀ ଚରଣ ରାଉତ ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ତଦନ୍ତ ସଂକ୍ରାନ୍ତୀୟ କାଗଜପତ୍ର ତନ୍ନତନ୍ନ କରି ଦେଖିବା ପରେ ଏହି ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର