ବାରଙ୍ଗ/ତ୍ରିଶୁଳିଆ : ଗୁରୁବାର ଦିନ ତ୍ରିଶୁଳିଆ-ବାଙ୍କୀ ରାସ୍ତାରେ ଫକୀରପଡ଼ା ଛକସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍ ଶାଖାରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ବନ୍ଧୁକ, ଛୁରି ଭଳି ମାରଣାସ୍ତ୍ରରେ ସଜ୍ଜିତ ତିନି ଦୁର୍ବୃତ୍ତ ବ୍ୟାଙ୍କ୍ ଭିତରେ ପଶିଯାଇଥିଲେ ହେଁ ଅପରେସନ୍ ଆରମ୍ଭ କରିବା ପୂର୍ବରୁ ସାଇରନ୍ ବାଜିଉଠିବାରୁ ଧରାପଡ଼ିଯିବା ଭୟରେ ଫେରିପଳାଇଥିଲେ। ବ୍ୟାଙ୍କ୍ ଅଧିକାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ବଡ଼ଧରଣର ଲୁଟ୍ ଯୋଜନା ଫସର ଫାଟିଯାଇଥିଲା। ଖବର ପାଇ ବାରଙ୍ଗ ଥାନା ପୁଲିସ ଉକ୍ତ ବ୍ୟାଙ୍କ୍ ଓ ରାସ୍ତାରେ ଥିବା ବିଭିନ୍ନ ସ୍ଥାନର ସିସି କ୍ୟାମେରା ଯାଞ୍ଚ କରିଥିଲା, କିନ୍ତୁ ଲୁଟେରାମାନଙ୍କ ବିଷୟରେ କୌଣସି ସୁରାକ୍ ମିଳିନଥିବା ଜଣାପଡ଼ିଛି।
ବ୍ୟାଙ୍କ୍ କର୍ମଚାରୀମାନଙ୍କ ସୂଚନାନୁସାରେ ସକାଳ ୧୦ଟା ବାଜିସାରିଥିଲା ଏବଂ ସେମାନେ ନିଜ ନିଜ ଚେୟାରରେ ବସିବାକୁ ପ୍ରସ୍ତୁତ ହେଉଥିଲେ। ପିଅନ ଝାଡ଼ୁ ମାରିବାରେ ବ୍ୟସ୍ତ ଥିଲେ। କୌଣସି ଗ୍ରାହକ ବ୍ୟାଙ୍କ୍ ଭିତରକୁ ଆସିନଥିଲେ। ଏତିକିବେଳେ ହେଲ୍ମେଟ୍ ପିନ୍ଧିଥିବା ୩ ଯୁବକ କାଚ କବାଟକୁ ଠେଲି ଭିତରକୁ ପଶିଯାଇଥିଲେ। ଚଟାଣରେ ଝାଡ଼ୁ ମାରୁଥିବା ପିଅନ ସେମାନଙ୍କୁ କିଛି ମିନିଟ୍ ପାଇଁ ବାହାରେ ଅପେକ୍ଷା କରିବାକୁ କହିଥିଲେ। ମାତ୍ର ଆଗରେ ଥିବା ଯୁବକଜଣକ(ଆକାଶିଆ ରଙ୍ଗର ଫୁଲ୍ ସାର୍ଟ ପିନ୍ଧିଥିଲା) ଏକ ଭୁଜାଲି ଭଳି ବଡ଼ ଛୁରି ବାହାର କରି ‘ସାଇଡ୍ ହେଇଯା’ ବୋଲି ଧମକ ଦେଇଥିଲା। ଭୟରେ ପିଅନ ହାତରୁ ଝାଡ଼ୁ ଖସିପଡ଼ିଥିଲା।
ଏତିକିବେଳେ ଜଣେ ବନ୍ଧୁକଧାରୀ ଦୁର୍ବୃତ୍ତ(ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିଲା) ସମସ୍ତଙ୍କୁ ଧମକ ଦେଇ ଚୁପ୍ଚାପ ହାତ ଟେକି ଠିଆ ହୋଇରହିବାକୁ କହିଥିଲା। ତେଣୁ ଭୟରେ ବ୍ୟାଙ୍କ୍ କର୍ମଚାରୀମାନେ ଉପରକୁ ହାତ ଟେକି ଠିଆହୋଇରହିଲେ। କିନ୍ତୁ ଏତିକିବେଳେ ହଠାତ୍ ସାଇରନ୍ ଗର୍ଜନ କଲା। ସାଇରନ୍ ଶବ୍ଦ ଶୁଣି ସେମାନେ ହଡ଼ବଡ଼େଇ ଗଲେ। ସାଇରନ୍ ବଜାଇଥିବା ଅଧିକାରୀ କିଏ, ତାଙ୍କୁ ଗୁଳି କରିବ ବୋଲି ବନ୍ଧୁକଧାରୀ ଦୁର୍ବୃତ୍ତ ରଡ଼ି ଛାଡ଼ିଲା। କିନ୍ତୁ ଅନ୍ୟ ଦୁଇ ଦୁର୍ବୃତ୍ତ ତାକୁ ଟାଣି ଟାଣି ବାହାରକୁ ନେଇଯାଇଥିଲେ। ବାହାରକୁ ଆସିବା ପରେ ସେମାନେ ଏକ କଳା ରଙ୍ଗର ପଲସର୍ ଯୋଗେ ଷଣ୍ଢପୁର ଦିଗରେ ପଳାଇଥିଲେ। ସେତେବେଳେ ବଜାରରେ ଅଳ୍ପ କିଛି ଲୋକ ଥିବାରୁ କେହି କିଛି ହଠାତ୍ ବୁଝିପାରିନଥିଲେ କି ସେମାନଙ୍କୁ କେହି ପିଛା କରିନଥିଲେ। ସେମାନେ ବଜାର ପାର୍ ହେବା ପରେ ଯାଇ କେତେଜଣ ବ୍ୟାଙ୍କ କର୍ମଚାରୀ ବାହାରକୁ ଆସି ଡକାୟତ ଡକାୟତ ବୋଲି ପାଟି କରିଥିଲେ। ଖବର ପାଇ ବାରଙ୍ଗ ଥାନା ପୁଲିସ ବ୍ୟାଙ୍କ୍ରେ ପହଞ୍ଚି ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ବାଇକ୍ ନମ୍ବରରୁ ସେମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା।