ଗାଈଚୋରିକୁ ବିରୋଧ କରିବାରୁ ଲୁହା ରଡ୍‌ରେ ଆକ୍ରମଣ: କନେଷ୍ଟବଳଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ

ଭୁବନେଶ୍ବର: ରାଜଧାନୀରେ ଗାଈ ଚୋରି କରୁଥିବା ଏକ ଗ୍ୟାଙ୍ଗ୍‌ର ପ୍ରାଣାନ୍ତକ ଆକ୍ରମଣରେ ଜଣେ କନେଷ୍ଟବଳ ଲହୁଲୁହାଣ ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା ଉଦ୍ୟମ କରିଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ସେ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଛନ୍ତି। ସେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଓ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଥିବା ଏହି ଅକ୍ରମଣର ଶିକାର ହୋଇଛନ୍ତି କନେଷ୍ଟବଳ ଧୀରେନ୍ଦ୍ର କୁମାର ସାହୁ। ପାଟ୍ରୋଲିଂ କରୁଥିବାବେଳେ ତାଙ୍କ ଆଖି ଆଗରେ ଦୁର୍ବୃତ୍ତମାନେ ଏକ ଟ୍ରାଭେରା ଗାଡ଼ିରେ ଗାଈ ଉଠାଇ ନେଉଥିବାବେଳେ ସେ ସେମାନଙ୍କୁ ଅଟକାଇବାକୁ ଯାଇ ଏହି ଆକ୍ରମଣର ଶିକାର ହୋଇଛନ୍ତି। ବଡ଼ଗଡ଼ ଥାନା ପୂଲିସ ଦୁର୍ବୃତ୍ତମାନଙ୍କୁ ଠାବ କରି ପାରିନାହିଁ। ପୁଲିସ ଟ୍ରାଭେରାକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରୁଛି। କିନ୍ତୁ କିଛି ବି ସୁରାକ୍‌ ମିଳିନଥିବା ଜଣାପଡ଼ିଛି।

ସୂଚନାନୁସାରେ ରବିବାର ରାତି ପ୍ରାୟ ୨ଟା ବେଳେ ବଡ଼ଗଡ଼ ଥାନା ଠାରୁ ମାତ୍ର କିଛି ଦୂରରେ କନେଷ୍ଟବଳ ଧୀରେନ୍ଦ୍ର ଡ୍ୟୁଟି କରୁଥିଲେ। ତାଙ୍କଠାରୁ କିଛି ଦୂରରେ ଅଟକିଥିବା ଏକ ଟ୍ରା‌ଭେରା ଗାଡ଼ି ଉପରେ ତାଙ୍କର ସନ୍ଦେହ ହେବାରୁ ସେ ଗାଡ଼ି ପାଖକୁ ଚାଲି ଚାଲି ଯାଇଥିଲେ। ଏତିକିବେଳେ ଗାଡ଼ିରୁ ଦୁଇ ଜଣ ବାହାରି ଏକ ଗାଈକୁ ଧରିଥିଲେ ଓ ଜୋର୍‌ କରି ତାକୁ ଗାଡ଼ି ଭିତରକୁ ଠେଲି ପୁରାଇବା ପାଇଁ ଉଦ୍ୟମ କରିଥିଲେ। ସେମାନେ ଗାଈ ଚୋର ବୋଲି ଜାଣିବା ପରେ ଧୀରେନ୍ଦ୍ର ଅପେକ୍ଷା ନ କରି ‌ସେମାନଙ୍କ ପାଖକୁ ଦୌଡ଼ି ଯାଇ ଜଣକୁ ମାଡ଼ି ବସିଥିଲେ। ହେଲେ ହଠାତ୍ ଗାଡ଼ି ଭିତରୁ ଆଉ ୪ ଜଣ ବାହାରି ପଡ଼ିଥିଲେ ଓ ଲୁହା ରଡ୍‌ରେ ଆଣି ତାଙ୍କୁ ପିଟି ପକାଇଥିଲେ। ଧୀରେନ୍ଦ୍ର ଚିତ୍କାର କରିଥିଲେ ବି ଥାନାରୁ କୌଣସି କର୍ମଚାରୀ ସେଠାରେ ପହଞ୍ଚି ପାରିନଥିଲେ। ଧୀରେନ୍ଦ୍ର ସଂଜ୍ଞାହୀନ ହୋଇପଡ଼ିବା ପରେ ଦୁର୍ବୃତ୍ତମାନେ ଫେରାର୍‌ ହୋଇ ଯାଇଥିଲେ। କିଛି ସମୟ ପରେ ବଡ଼ଗଡ଼ ଥାନା କର୍ମଚାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ ନେଇଥି‌ଲେ। ତାଙ୍କ ମୁଣ୍ଡ ଓ ଶରୀରରେ ୮ଟି ଷ୍ଟିଚ୍‌ ପଡ଼ିଛି।

ଉଲ୍ଲେଖଯୋଗ୍ୟ ରାଜଧାନୀରେ ଗାଈ ଚୋରି ନୂଆ କଥା ନୁହେଁ। ଗତ ସପ୍ତାହରେ ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକରେ ଦୁର୍ବୃତ୍ତମାନେ ଅନୁରୂପଭାବରେ ଗୋଟିଏ ଗାଈକୁ ଗାଡ଼ିରେ ଉଠାଇ ନେଇଥିଲେ। ସେତିକିବେଳେ ଜଣେ ସ୍ଥାନୀୟ ଯୁବକ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ। ପ୍ରାଣ ରକ୍ଷା କରିବାକୁ ଯୁବକ ଜଣକ ସେଠାରୁ ଦୌଡ଼ି ପଳାଇଥିଲେ ଓ ଦୁର୍ବୃତ୍ତମାନେ ଗାଈ ନେଇ ପାର୍ ହୋଇଯାଇଥିଲେ। ସେହିଭଳି ପୂର୍ବରୁ ଜଟଣୀ ଓ ଡୁମୁଡୁମା ଅଞ୍ଚଳରେ ଗାଈ ଚୋରମାନେ ରାସ୍ତାରୁ ଗାଡ଼ିରେ ଗାଈ ଉଠାଇ ନେଉଥିବା ଅଭିଯୋଗ ହୋଇଥିଲା। ଏହି ଚୋରିର ସିସିଟିଭି ଫୁଟେଜ୍‌ ମଧ୍ୟ ଭାଇରାଲ୍‌ ହୋଇଥିଲା। ତେବେ ଏହି ଘଟଣାରେ ଗାଈ ଚୋରମାନେ ଥାନା ପାଖ‌ରେ ପୁଲିସକୁ ମାଡ଼ ମାରି ଫେରାର୍ ହୋଇଯାଇଥିବାରୁ ସେମାନଙ୍କ ସାହସକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଥାନା ପାଖରେ ପୁଲିସ ସୁରକ୍ଷିତ ନଥିବା ରାଜଧାନୀରେ ଏଣିକି ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣିବା କିଛି ବଡ଼ କଥା ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର