ବାଲିଅନ୍ତା ବଜାର: ବାପାଙ୍କ ତଣ୍ଟିରେ ଚଢ଼ିଯାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଆଜି ପାହାଳ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ସେ ହେଲା ସ୍ଥାନୀୟ ହରିଦାସପୁରର ମିର୍ଜା ଅତହାର୍‌ ବେଗ୍‌ଙ୍କ ସାନପୁଅ ମିର୍ଜା ଇସ୍‌ଲାମ୍ ବେଗ୍‌(୨୯)। ଏକ ରାଷ୍ଟ୍ରୀୟ ଦଳର ସଂଖ୍ୟାଲଘୁ ସେଲ୍‌ର ଉପାଧ୍ୟକ୍ଷ ଥିବା ମିର୍ଜା ଇସ୍‌ଲାମ୍‌ ବାପାଙ୍କୁ ମାଡ଼ମାରିବା ଭଳି ଅଭାବନୀୟ କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ପୁଲିସ ସୂଚନାନୁସାରେ ପୂର୍ବରୁ ଏକ ମାମଲାରେ ମିର୍ଜା ଇସ୍‌ଲାମ୍‌କୁ ପୁଲିସ ଜେଲ୍‌ ହାଜତ ପଠାଇଥିଲା। ପୁଅର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କ ପତ୍ନୀଙ୍କ ଆବେଦନକୁ ବିଚାର କରି କୋର୍ଟ ମିର୍ଜା ଇସ୍‌ଲାମ୍‌କୁ ଜାମିନ ଦେଇଥିଲେ। ଜାମିନ‌ରେ ଆସିବା ପରେ ସେ ଘରେ ଗଣ୍ଡଗୋଳ ଆରମ୍ଭ କରିଦେଲେ। ନିଜର ଆର୍ଥିକ ସମସ୍ୟାରୁ ମୁକୁଳିବା ଲାଗି ସେ ଏକ ଜମି ବିକ୍ରି କରିବା ଲାଗି ବାପା ମିର୍ଜା ଅତହାର୍‌ଙ୍କ ଉପରେ ଚାପ ପକାଇବାରୁ ବିବାଦ ଲାଗି ରହିଥିଲା। ଜମି ବିକିବା ପାଇଁ ପରିବାର ଲୋକେ ରାଜି ହୋଇନଥିଲେ।

Advertisment

ମଙ୍ଗଳବାର ଅପରାହ୍ନରେ ମିର୍ଜା ଇସ୍‌ଲାମ ପୁଣି ସମାନ କାରଣକୁ ନେଇ ବାପାଙ୍କ ସହ ପାଟିତୁଣ୍ଡ କଲା। ପରିବାର ଲୋକେ ପ୍ରତିବାଦ କରିବାରୁ ସେ ସମସ୍ତଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାପାଙ୍କୁ ଆକ୍ରମଣ କରିଥିଲା। ବାପା ତଳେ ପଡ଼ିଯିବାରୁ ସେ ନିର୍ଦ୍ଦୟ ଭାବେ ତାଙ୍କ ବେକ ଉପରେ ଚଢ଼ି ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ପରିବାର ଲୋକେ ଉଦ୍ୟମ କରିବାରୁ କ୍ରୋଧରେ ଅନ୍ଧା ହୋଇଯାଇଥବା ମିର୍ଜା ଇସ୍‌ଲାମ୍ ଏକ ବଡ଼ କଇଁଚି ଧରି ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। କେବଳ ସେତିକି ନୁ‌ହେଁ, ଏନେଇ କେହି ପୁଲିସକୁ ଜଣାଇଲେ ଓ ଜମି ବିକି ତୁରନ୍ତ ଟଙ୍କା ନଦେଲେ, ସେ ଗୋଟି ଗୋଟି କରି ହତ୍ୟା କରିବ ବୋଲି ଧମକ ଦେଲା। ପୂର୍ବରୁ ତା’ ନାଁରେ ବିଭିନ୍ନ ଥାନାରେ ୫ଟି ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି।