ସ୍ବିଗି ବୟ ଓ ଭାଇକୁ ହତ୍ୟା ଉଦ୍ୟମ ଘଟଣା: ୧୦ଦିନ ପରେ ଜଣଙ୍କୁ ଧରିଲା ପୁଲିସ, ଏବେ ବି ୯ ଫେରାର

ଅନ୍ଧାରରେ ସୌମ୍ୟଙ୍କ ଭବିଷ୍ୟତ, ଅଭିଯୁକ୍ତର ଟିଆଇ ପରେଡ୍ କରାଯିବ

ଭୁବନେଶ୍ବର: ଫାୟାର ଷ୍ଟେସନ୍ ଛକରେ ଡେଲିଭରି ବୟ ଓ ତାଙ୍କ ଭାଇକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିବା ଘଟଣାର ୧୦ଦିନ ପରେ ଭରତପୁର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି, ଭରତପୁର ଷଣ୍ଢସାହିର ରାକେଶ କୁମାର ବେହେରା ଓରଫ ଜଗା(୨୦)। ସେପ୍ଟେମ୍ବର ୨୬ ତାରିଖ ମଧ୍ୟାହ୍ନ ୧୨ଟାବେଳେ ଫାୟାର ଷ୍ଟେସନ୍ ଛକରେ ଏଭଳି ଏକ ପ୍ରାଣାନ୍ତକ ଆକ୍ରମଣ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିଲା। ନିଜେ ଭୁଲ୍ କରି ମହାବୀର ଫାଇନାନ୍ସର କିଛି କର୍ମଚାରୀ ଦୁଇଭାଇ ସୁପ୍ରଭାସ ଓ ସୌମ୍ୟରଂଜନଙ୍କ ଜୀବନ ନେବାକୁ ବସିଥିଲେ। ପ୍ରଥମେ ଗାଡ଼ି ଛଡ଼ାଇବା ପାଇଁ ଭୁଲ୍ ଲୋକ ଅର୍ଥାତ୍ ସ୍ବିଗି ବୟ ସୁପ୍ରଭାସଙ୍କ ଗାଡ଼ିକୁ ଅଟକାଇ ତାଙ୍କୁ ମାଡ଼ ମାରିଥିଲେ। ପରେ ଜାଣିଲେ ଯେ ତାଙ୍କ ସଂସ୍ଥାରୁ ଫାଇନାନ୍ସ ନେଇଥିବା ଗାଡ଼ିଚାଳକ ସୁପ୍ରଭାତ ନୁହନ୍ତି। ସୁପ୍ରଭାତ ଏନେଇ ଯେତେବେଳେ ପିସିଆର୍‌କୁ ଫୋନ୍ ଯୋଗେ ଅଭିଯୋଗ କଲେ ତାଙ୍କୁ ଭୁଲ୍ ମାଗି ଫାଇନାନ୍ସ କର୍ମଚାରୀମାନେ ଘଟଣାସ୍ଥଳରୁ ଚାଲିଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହାରି ଭିତରେ ସୁପ୍ରଭାତ ଭୟଭୀତ ହୋଇ ତାଙ୍କ ଭାଇ ସୌମ୍ୟରଂଜନକୁ ଘଟଣାସ୍ଥଳକୁ ଡାକିଥିଲେ। ସୌମ୍ୟ ଘଟଣାସ୍ଥଳରେ ଆସି ପହଞ୍ଚିବା ପରେ ଭାଇକୁ କାହିଁକି ଡାକିଲୁ ବୋଲି କହି ଫାଇନାନ୍ସ କର୍ମଚାରୀମାନେ ପ୍ରଥମେ ଦୁଇଭାଇକୁ ଛୁରିରେ ଆକ୍ରମଣ କରିଥିଲେ। ଆଉ ପରେ ଦୁଇଜଣ ପେସାଦାର ଗୁଣ୍ଡା ରାଜକିଶୋର ଓ ମିଲନଙ୍କୁ ଡାକି ଦୁଇଭାଇଙ୍କୁ ଧାରୁଆ ଅସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଏବେ ବି ଦୁଇ ପେସାଦାର ଅପରାଧୀଙ୍କ ସମେତ ୯ଜଣ ଫେରାର୍ ଥିବା ଜଣାପଡ଼ିଛି।

ଅନ୍ଧାରରେ ସୌମ୍ୟଙ୍କ ଭବିଷ୍ୟତ
ଆକ୍ରମଣ କରିଥିବା ମହାବୀର ଫାଇନାନ୍ସର କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡାଙ୍କ ମୁର୍ଖାମୀ ଯୋଗୁଁ ଜଣେ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି। ସୌମ୍ୟରଂଜନ ବିଜେବି କଲେଜରେ ଯୁକ୍ତ ୩ ଶେଷ କରିବା ପରେ କଟକସ୍ଥିତ ଏକ ସରକାରୀ କଲେଜରେ ବିଏଡ୍‌ କରୁଥିଲେ। ଏହା ସହିତ ବିଭିନ୍ନ ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ମାତ୍ର ସାମାନ୍ୟ କଥାକୁ ନେଇ ମହାବୀର ଫାଇନାନ୍ସର କର୍ମଚାରୀମାନଙ୍କ ଆକ୍ରମଣ ପାଇଁ ୧୫ଦିନ ହେବ ସେ ଚେତା ହରାଇ ଆଇସିୟୁରେ ଥିବା ଜଣାପଡ଼ିଛି।

ଅଭିଯୁକ୍ତର ଟିଆଇ ପରେଡ୍ କରାଯିବ
ଏହି ଆକ୍ରମଣ ଘଟଣାରେ ଗିରଫ ଅଭିଯୁକ୍ତ ଜଗାର ଆସନ୍ତା ୭ଦିନ ମଧ୍ୟରେ ଟିଆଇ ପରେଡ୍ କରାଯିବ। ଡିସିପି କୋର୍ଟ ସମ୍ମୁଖରେ ଜଗାକୁ ଆକ୍ରମଣର ଶିକାର ହୋଇଥିବା ସୁପ୍ରଭାସ ତାଙ୍କୁ ଚିହ୍ନିବେ। ଅଭିଯୁକ୍ତ ଚିହ୍ନଟ ପ୍ରକ୍ରିୟା ସଫଳ ହେବା ପରେ ଜଗାକୁ ରିମାଣ୍ଡରେ ଆଣି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର