ଭୁବନେଶ୍ବର: ଘରେ ଏକାକୀ ଥିବା ଜଣେ ୭୨ ବର୍ଷ ବୟସର ବୃଦ୍ଧାଙ୍କ ବେକକୁ ଛୁରିରେ ଆଘାତ କରି ଲୁଟ୍ ଉଦ୍ୟମ କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ପରମା ରାଓକୁ ମୈତ୍ରୀବିହାର ଥାନା ପୁଲିସ ବାନ୍ଧିଛି। ଚୋରି କଲାବେଳେ କଳା ରଙ୍ଗର ମୁଖା, ପ୍ୟାଣ୍ଟସାର୍ଟ ଓ ଟୋପି ପିନ୍ଧୁଥିବାରୁ ବ୍ଲାକ୍ କୋବ୍ରା ଭାବେ ଜଣାଶୁଣା ଅପରାଧୀ ଗଞ୍ଜାମ ବେଲଗୁଣ୍ଠାର ପରମା, ସାଲିଆସାହି ମହାବୀରନଗରରେ ରହୁଛି। ତା’ ନିକଟରୁ ଘଟଣା ଦିନ ବ୍ୟବହାର କରିଥିବା ଛୁରି ଓ ସେ ପିନ୍ଧିଥିବା ସମସ୍ତ କଳା ରଙ୍ଗର ପୋଷାକପତ୍ର ଜବତ କରାଯାଇଛି। ତା’ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ଦେଢ଼ ଡଜନରୁ ଅଧିକ ସଂଗିନ ମାମଲା ରହିଛି। ନିକଟରେ ସେ ଜାମିନରେ ଜେଲ୍ରୁ ମୁକୁଳିଛି ବୋଲି ଜଣାପଡ଼ିଛି।
ଛୁରି ସହ କଳା ରଙ୍ଗର ମୁଖା, ଟୋପି, ପ୍ୟାଣ୍ଟସାର୍ଟ ଜବତ
ଘଟଣାଟି ଥିଲା ଏମିତି। ଚଳିତ ମାସ ୫ ତାରିଖ ରାତି ପ୍ରାୟ ୮ଟା। ଗଜପତିନଗରରେ ରହୁଥିବା ସୌମେନ୍ଦ୍ର ଚୌଧୁରୀ କୌଣସି ଜରୁରି କାମରେ ସପରିବାର ବାହାରକୁ ଯାଇଥିଲେ। ଘରେ ତାଙ୍କର ବୃଦ୍ଧା ମାଆ ଅନସୂୟା ଚୌଧୁରୀ ଏକାକୀ ଥିଲେ ଏବଂ ସେ ଘର ଭିତରୁ କବାଟ ବନ୍ଦ କରି ଟିଭି ଦେଖୁଥିଲେ। ହଠାତ୍ ଘର ଭିତରକୁ ଝରକା ବାଟ ଦେଇ ପଶି ଯାଇଥିଲା ପରମା। କଳା ରଙ୍ଗର ପୋଷାକରେ ନିଜକୁ ଆବୃତ୍ତ କରି ଭୂତ ଭଳି ଦେଖାଯାଉଥିବା ପରମାକୁ ଦେଖି ବୃଦ୍ଧା ଅନସୂୟା ଭୟ କରିଯାଇଥିଲେ। କିନ୍ତୁ ସେ ଚିତ୍କାର କରିବା ପୂର୍ବରୁ ପରମା ଏକ ଛୁରି ବାହାର କରି ତାଙ୍କ ବେକରେ ଲଗାଇଦେଇଥିଲା ଏବଂ ଟଙ୍କା, ପଇସା ଓ ଗହଣାଗାଣ୍ଠି କେଉଁଠି ଅଛି ବୋଲି ପଚାରିଥିଲା। ଘରେ ଟଙ୍କା ପଇସା କିଛି ନାହିଁ ବୋଲି ଭୟରେ ଥରିଥରି ଅନସୂୟା କହିଥିଲେ। ବାରମ୍ବାର ପଚାରିବା ପରେ ବି ଅନସୂୟା କିଛି କହିପାରି ନଥିଲେ। ତେଣୁ ରାଗରେ ପରମା ଛୁରିକୁ ତାଙ୍କ ବେକରେ ସାମାନ୍ୟ ଭାବେ ଦବାଇ ଦେଇଥିଲା।
ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଏହି ଘଟଣା ପରେ ସେଦିନ ଗଜପତିନଗରରେ ଭୟର ବାତାବରଣ ଖେଳିଯାଇଥିଲା। ସଂଜ ପହରରେ ଯଦି ଏଭଳି ଘଟଣା ଘଟେ, ବରିଷ୍ଠ ନାଗରିକମାନେ ବଞ୍ଚିବେ କେମିତି ବୋଲି ବହୁ ଲୋକ ପ୍ରଶ୍ନ କରିଥିଲେ। ସଂଜ ବୁଡ଼ୁବୁଡ଼ୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବି ଘରେ ଚୋର ପଶିଯାଉଥିବାରୁ ସେମାନେ କମିସନରେଟ୍ ପୁଲିସର ଦୁର୍ବଳ ପାଟ୍ରୋଲିଂକୁ ଦାୟୀ କରିଥିଲେ। ସବୁବେଳେ ପୁଲିସ ବରିଷ୍ଠ ନାଗରିକଙ୍କ ସୁରକ୍ଷା କଥା କହି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ସେଭଳି କିଛି ହେଉନାହିଁ ବୋଲି ଆଲୋଚନା ହୋଇଥିଲା। କେବଳ ସଭାସମିତି କରି ପୁଲିସ କାଗଜପତ୍ରରେ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେଉଛି ବୋଲି ସ୍ଥାନୀୟ ବରିଷ୍ଠ ନାଗରିକମାନେ ଅଭିଯୋଗ କରିଥିଲେ।
ଫଳରେ ତଣ୍ଟି କାଟି ହୋଇଯାଇଥିଲା ଏବଂ ରକ୍ତ ବାହାରି ଆସିଥିଲା। ପରମା ଭାବିଥିଲା ଯେ ରକ୍ତ ଦେଖି ବୃଦ୍ଧା ଅଧିକ ଡରିଯିବେ ଏବଂ ଆଲ୍ମିରା ଚାବି ବଢ଼ାଇଦେବେ। କିନ୍ତୁ ତଣ୍ଟିରେ କ୍ଷତ ହେବା ଓ ରକ୍ତ ଝରିବା ଦେଖି ଅନସୂୟା ଚଉକିରୁ ତଳକୁ ଗଡ଼ିପଡ଼ିଥିଲେ। ଠିକ୍ ଏତିକିବେଳେ ବାହାରୁ କିଛି ଶବ୍ଦ ଶୁଣି ପରମା ପୁଣି ଝରକା ବାଟେ ବାହାରକୁ ଡେଇଁ ପଳାଇଥିଲା। ଘଟଣାର କିଛି ମିନିଟ୍ ପରେ ସୌମେନ୍ଦ୍ର ଘରକୁ ଫେରିଥିଲେ। ମାଆଙ୍କ ଏଭଳି ଅବସ୍ଥା ଦେଖି ସେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସୌଭାଗ୍ୟକୁ ଅନସୂୟାଙ୍କ ତଣ୍ଟିରେ ହୋଇଥିବା କ୍ଷତ ବିଶେଷ ଗଭୀର ନଥିଲା। ଖବର ପାଇ ମୈତ୍ରୀବିହାର ଥାନା ପୁଲିସ ସୌମେନ୍ଦ୍ରଙ୍କ ଘରେ ପହଞ୍ଚି ଅନସୂୟାଙ୍କୁ ପଚରାଉଚରା କରିଥିଲା। ତାଙ୍କଠାରୁ ସବୁ ଶୁଣିବା ପରେ ପୁଲିସ ବ୍ଲାକ୍ କୋବ୍ରା ପରମାକୁ ଖୋଜିବା ଆରମ୍ଭ କରିଥିଲା। ଗତକାଲି ରାତିରେ ତାକୁ ସାଲିଆସାହିର ଏକ ପରିତ୍ୟକ୍ତ ଘରୁ ପୁଲିସ ଉଠାଇଥିଲା।