ସବ୍ୟସାଚୀଙ୍କ ନାମରେ ଲୁଟ୍‌ ଉଦ୍ୟମ, ବନ୍ଧା ହେଲା ଅଭିଯୁକ୍ତ

ଭୁବନେଶ୍ବର: ‘ମୁଁ ସବ୍ୟସାଚୀଙ୍କ ସହ କଥା ହେଇଛି। ତୁମେମ‌ାନେ ମୁଣ୍ଡପିଛା ୬ହଜାର ୫ଶହ ଟଙ୍କା ଲେଖାଏ ଯୋଗାଡ଼ କର। ତୁମ ପାଇଁ ଗାଡ଼ି ବନ୍ଦୋବସ୍ତ ହେଇଯାଇଛି। ବ୍ୟସ୍ତ ହୁଅନି, ଆମେ ପ୍ରବାସୀ ଓଡ଼ିଆ ପରିବାର ହିସାବରେ ଏହି କାମ କରୁଛୁ।’ କୋଏମ୍ବାରଟୁରରେ ଫସି ରହିଥିବା କିଛି ପ୍ରବାସୀ ଓଡ଼ିଆଙ୍କୁ ସବ୍ୟସାଚୀଙ୍କ ନାଁ’ରେ ଆସିଥିଲା ଏମିତି ଏକ ଫେକ୍‌ କଲ୍‌। ପ୍ରବାସୀମାନେ ଏହି କଲ୍‌କୁ ବିଶ୍ବାସ କରି ଟଙ୍କା ଯୋଗାଡ଼ରେ ଲାଗି ପଡ଼ିଥିଲେ। ମାତ୍ର ସୌଭାଗ୍ୟବଶତଃ କୌଣସିମ‌ତେ ଘଟଣାଟି ସବ୍ୟସାଚୀଙ୍କ କାନରେ ପଡ଼ିଗଲା। ତୁରନ୍ତ ସେ‌ ଘଟଣା ସମ୍ପର୍କରେ ଡିସିପି ଅନୁପ ସାହୁଙ୍କୁ ଜଣାଇଥିଲେ। ଏହା ପରେ ଆରମ୍ଭ ହୋଇଯାଇଥିଲା ମିଡ୍‌ ନାଇଟ୍‌ ଅପରେସନ୍‌। ଡିସିପି ଶ୍ରୀ ସାହୁଙ୍କଠାରୁ ଖବର ପାଇ କୋଏମ୍ବାଟୁର ପୁଲିସ୍‌ ଉକ୍ତ ଧୂର୍ତ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା। ଫଳରେ ଠକ ଶେଷରେ କୋଏମ୍ବାଟୁର ଗାନ୍ଧୀପୁରମରେ ତାମିଲନାଡ଼ୁ ପୁଲିସ ଜାଲରେ ପଡ଼ିଗଲା। ଏବେ ଅଭିଯୁକ୍ତ ନୟାଗଡ଼ର ଗୋପାଳ ଚନ୍ଦ୍ର ସାହୁ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ।

କୋଏମ୍ବାଟୁରରେ ଫସି ରହିଥିବା ୧୨ ଜଣ ଓଡ଼ିଆ ଶ୍ରମିକ ସୋସିଆଲ ମିଡିଆ ଜରିଆରେ ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କୁ ଓଡ଼ିଶା ଫେରାଇ ନେବାକୁ ସେମାନେ ନିବେଦନ କରିଥିଲେ। ବାଦଲ ନାମକ ଜଣେ ଶ୍ରମିକ ନିଜର ଫୋନ୍‌ ନମ୍ବର ଏହି ସୋସିଆଲ୍‌ ମିଡିଆ ପୋଷ୍ଟରେ ସେୟାର୍‌ କରିଥିଲେ। ଏହାକୁ ମଉକାଭାବେ ନେଇ ଅଭିଯୁକ୍ତ ଗୋପାଳ ବାଦଲଙ୍କୁ ଫୋନ୍‌ କରିଥିଲା। ସବ୍ୟସାଚୀଙ୍କ ନାଁ ନେଇ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ପ୍ରତ୍ୟେକ ୬ହଜାର ୫ଶହ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ଏହି ଟଙ୍କା ସେମାନେ କ୍ବାରାଣ୍ଟିନ୍‌ କେନ୍ଦ୍ରରୁ ପାଇଯିବେ ବୋଲି ବୁଝାଇଥିଲା। ଜିଲ୍ଲାପାଳ ଓ ସରପଞ୍ଚଙ୍କ ସହ କଥା ହୋଇ ସେ ଏହି ଟଙ୍କା ଫେରାଇବା ବ୍ୟବସ୍ଥା କରିବ ବୋଲି କହିଥିଲା। ମାତ୍ର ଗୋପାଳ କଥାରେ ସନ୍ଦେହ କରି ବାଦଲ ସବ୍ୟସାଚୀଙ୍କୁ ସିଧାସଳଖ କଲ୍‌ କରିଥିଲେ। ଫଳରେ ଗୋପାଳର ଚାଲ୍ ଧରାପଡ଼ି ଯାଇଥିଲା। ପୁଲିସର ଯୋଜନା ମୁତାବକ ବାଦଲ ଗୋପାଳକୁ ଆଜି ସକାଳ ୯ଟା ୪୫ରେ ନିର୍ଧାରିତ ସ୍ଥାନକୁ କଲ୍‌ କରି ଡାକିଥିଲେ। ଗୋପାଳ ସେଠାରେ ପହଞ୍ଚିବା ମାତ୍ରେ ପୂର୍ବରୁ ସାଦା ପୋଷାକରେ ଛକି ବସିଥିବା ପୁଲିସ୍‌ ତାକୁ ମାଡ଼ି ବସିଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ୧୨ ଜଣ ଶ୍ରମିକଙ୍କୁ ଓଡ଼ିଶା ଫେରାଇବାକୁ ସବ୍ୟସାଚୀ ଉଦ୍ୟମ କରୁଛନ୍ତି। ଏଣିକି ଫସି ରହିଥିବା ଶ୍ରମିକମାନେ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର