ଲୋକସେବା ଭବନରୁ ଚୋରି ଉଦ୍ୟମ, ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ସୁରକ୍ଷା କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ବର : କଡ଼ା ସୁରକ୍ଷା ବଳୟରେ ଥିବା ଲୋକସେବା ଭବନରୁ ଚୋରି କରିବାକୁ ପଛାଉ ନାହାନ୍ତି କର୍ମଚାରୀ। ଭବନର ଶତାଧିକ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ କାର୍ଯ୍ୟାଳୟରୁ ସାମଗ୍ରୀ ଚୋରି କରି ନେବାକୁ ଉଦ୍ୟମ କରୁଛନ୍ତି। ଗତ ମେ’ ୨୪ରେ ଉଚ୍ଚଶିକ୍ଷା ବିଭାଗରେ ଘଟିଥିବା ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିଭାଗୀୟ ଶାସନ ସଚିବ ଶାଶ୍ବତ ମିଶ୍ର ଆଜି ଏସିପି (ଲୋକସେବା ଭବନ ସୁରକ୍ଷା)ଙ୍କୁ ଲେଖିଥିବା ଚିଠିରେ ଏ ସମ୍ପର୍କରେ ଉଲ୍ଲେଖ କରିବା ସହ ଲୋକସେବା ଭବନର ସୁରକ୍ଷା କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସଚିବ ଶ୍ରୀ ମିଶ୍ର ଚିଠିରେ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗର ଡାଟା ଏଣ୍ଟ୍ରି ଅପରେଟର (ଘରୋଇ ସଂସ୍ଥା ପକ୍ଷରୁ ନିୟୋଜିତ କର୍ମଚାରୀ) ଭୁବନେଶ୍ବର ନାୟକ ଗତ ୨୪ ତାରିଖ ସନ୍ଧ୍ୟା ୭ଟାରେ ଉଚ୍ଚଶିକ୍ଷା ବିଭାଗରୁ ପ୍ରିଣ୍ଟର ଓ ସ୍କାନର ନେଇ ଲୋକସେବା ଭବନ ବାହାରକୁ ଯାଉଥିଲେ। ସେଠାରେ ଥିବା ସୁରକ୍ଷା କର୍ମୀ ଶ୍ରୀ ନାୟକଙ୍କ ବେଆଇନ କାର୍ଯ୍ୟକୁ ଧରିବା ସହ ଉଚ୍ଚଶିକ୍ଷା ବିଭାଗ ଦୃଷ୍ଟିକୁ ଆଣିଥିଲେ। ଏହାପରେ ଶ୍ରୀ ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସୁରକ୍ଷା କର୍ମୀଙ୍କ ଏଭଳି କାର୍ଯ୍ୟ ପ୍ରଶଂସନୀୟ।

ସୂଚନାଯୋଗ୍ୟ ଯେ ବିଭାଗୀୟ ଦପ୍ତର ତଥା ୟୁନିଟ୍‌-୫ରେ ଥିବା ନ’ ତାଲାରେ ଥିବା ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମେତ କେତେକ ସେକ୍ସନର ଝରକା ଗ୍ରିଲ୍‌ ଏପ୍ରିଲ ମାସରେ ଚୋରି ହୋଇଥିଲା। ଯେଉଁଥିପାଇଁ ବିଭାଗୀୟ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇ ରାତ୍ରିକାଳୀନ ପେଟ୍ରୋଲିଂକୁ ବଢ଼ାଇବା ଲାଗି ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର