ଭୁବନେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ଅଧୀନସ୍ଥ କପିଳେଶ୍ବର ବିହାରର ଲେନ୍-୩ରେ ଜଣେ ମହିଳା ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି ସତ୍ୟବାନ ନାୟକଙ୍କ ପତ୍ନୀ ପ୍ରୀତିପ୍ରଜ୍ଞା ପରିଜା। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ ପରେ କଟକସ୍ଥିତ ଏକ ନର୍ସିଂହୋମ୍ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ପରିବାରଲୋକେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଅପରପକ୍ଷେ ପ୍ରୀତିଙ୍କ ବାପା ପ୍ରେମାନନ୍ଦ ପରିଜା ସତ୍ୟବାନ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି। ପ୍ରେମାନନ୍ଦଙ୍କ କହିବାନୁଯାୟୀ, ତାଙ୍କ ଝିଅକୁ ସତ୍ୟବାନ ସମ୍ପତ୍ତି ଲୋଭରେ ବାହା ହୋଇଥିଲେ। ମାତ୍ର ଟଙ୍କା ନ ମିଳିବାରୁ ଷଡ଼୍ଯନ୍ତ୍ର କରି ଝିଅକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପ୍ରେମାନନ୍ଦଙ୍କ ଅଭିଯୋଗ ଅନୁଯାୟୀ ମଞ୍ଚେଶ୍ବର ଥାନା ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ସତ୍ୟବାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଅପରପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସତ୍ୟବାନ ପେଶାରେ ଜଣେ ଓଲା ଡ୍ରାଇଭର। ବିବାହ ପରଠାରୁ ସତ୍ୟବାନ ସକାଳ ୮ରୁ ଘରୁ କାମକୁ ବାହାରୁଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିଲେ। ଏହାକୁ ନେଇ ପ୍ରୀତି ସ୍ବାମୀ ସତ୍ୟବାନର ଚରିତ୍ର ଉପରେ ସନ୍ଦେହ କରୁଥିଲେ। ସତ୍ୟବାନ ବାହାରେ ଅନ୍ୟ କୌଣସି ଝିଅ ସହିତ ଅନୈତିକ ସଂପର୍କ ରଖିଥିବା କହି ଝଗଡ଼ା କରୁଥିଲେ। ଏଥିପାଇଁ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ବାରମ୍ବାର କଳହ ସୃଷ୍ଟି ହେଉଥିଲା। ତେବେ ଗତ ଗୁରୁବାର ମଧ୍ୟ ପ୍ରୀତି ସମାନ କଥା ଉଠାଇ ସତ୍ୟବାନଙ୍କ ସହ ଝଗଡ଼ା କରିଥିଲେ। ସେ ଘରେ ରୋଷେଇ କରିଥିଲେ ସୁଦ୍ଧା ସତ୍ୟବାନ କାହିଁକି ବାହାରେ ଖାଇଥିଲେ ବୋଲି ପ୍ରଶ୍ନ କରି ଝଗଡ଼ା କରିଥିଲେ। ଝଗଡ଼ା ହେବାରୁ ସତ୍ୟବାନ ଘରୁ ରାଗି ବାହାରକୁ ପଳାଇଥିଲେ। ଘରୁ ବାହାରି ଯାଉଥିବା ଦେଖି ପ୍ରୀତି ତାଙ୍କୁ ନ ଯିବା ପାଇଁ କହିଥିଲେ। ପରେ ଉତ୍କ୍ଷିପ୍ତ ହୋଇ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରୀତିଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିଥିବାରୁ ମଞ୍ଚେଶ୍ବର ଥାନା ପୁଲିସ ତାଙ୍କର ବୟାନ ରେକର୍ଡ କରିପାରିନାହିଁ। ଆସନ୍ତାକାଲି ପ୍ରେମାନନ୍ଦଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି।