ମଦ ପିଇବାକୁ ଟଙ୍କା ନ ଦେବାରୁ… ଘରେ ନିଆଁ ଲଗାଇ ବାପା-ମା’ଙ୍କୁ ହତ୍ୟା ଉଦ୍ୟମ: ପୁଅ ଗିରଫ

ଭୁବନେଶ୍ବର: ମଦ ପିଇବାକୁ ଟଙ୍କା ନ ଦେବାରୁ ନିଜ ଘରେ ନିଆଁ ଲଗାଇ ବାପା-ମା’ଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଛି ପୁଅ। ଏନେଇ ଭରତପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ବରମୁଣ୍ଡାସ୍ଥିତ ରୁଚିକା ମାର୍କେଟ୍‌ ବସ୍ତିର ବାବୁ ନାହାକ (୨୫)।

ପୁଲିସ୍‌ ସୂଚନା ମୁତାବକ, ଗତକାଲି ବାବୁ ଘରେ ସକାଳୁ ବାପା ଉତ୍ତମ ନାହାକକୁ ମଦ ପିଇବାକୁ ଟଙ୍କା ମାଗିଥିଲା। କିନ୍ତୁ ଉତ୍ତମ ଟଙ୍କା ନ ଦେବାରୁ ସେ ଉତ୍ୟକ୍ତ ହୋଇ ଘରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରିଥିଲା। ଏପରିକି ଉତ୍ତମଙ୍କୁ ମଧ୍ୟ ମାଡ଼ ମାରିଥିଲା। ଏହାପରେ ଦିନ ଦି’ ପହରେ ଘରେ ବାପା-ମା’ ଶୋଇଥିବା ବେଳେ ସେ ବାହାରପଟୁ କବାଟ ତାଲା ପକାଇ ଘରେ ନିଆଁ ଲଗାଇ ଦେଇଥିଲା। ନିଆଁ ଦେଖି ସ୍ଥାନୀୟ ପଡ଼ୋଶୀ କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ଏ ସଂପର୍କରେ ଉତ୍ତମ ଭରତପୁର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର