ଜଗନ୍ନାଥଙ୍କୁ ମନାଇବାକୁ କସରତ

ଭୁବନେଶ୍ବର : ବିଜେପି ନେତା ଜଗନ୍ନାଥ ପ୍ରଧାନ ଦଳରେ ଚାଲିଥିବା ଅନ୍ତଃକନ୍ଦଳକୁ ନେଇ ଅସନ୍ତୋଷ ଜାହିର୍ କରିଥିଲେ। ଏହାପରେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ସହ ତାଙ୍କ ଘନ ଘନ ବୈଠକକୁ ନେଇ ସେ ବିଜେଡିରେ ମିଶିବା ନେଇ ଜୋରଦାର୍ ଚର୍ଚ୍ଚା ହେଉଛି। ଜଗା ବିଜେଡିରେ ମିଶିବା ଚର୍ଚ୍ଚା ଯେତେ ବଢ଼ୁଛି, ବିଜେପି ନେତା ତାଙ୍କୁ ମନାଇବାକୁ ସେତେ ଉଦ୍ୟମ କରୁଛନ୍ତି। ଏପରିକି ପ୍ରଥମେ ଜଗାଙ୍କୁ ମନାଇବାକୁ ଯେଉଁମାନେ କଲ୍‌ଟିଏ କରୁନଥିଲେ, ଏବେ ସେମାନେ ଜଗାଙ୍କୁ ‌ବାରମ୍ବାର ଫୋନ୍ କରୁଛନ୍ତି ଓ ଡାକିକି ଆଲୋଚନା କରୁଛନ୍ତି। ଏବେ ରାଜ୍ୟ ବିଜେପି ଜଗାଙ୍କୁ ମନାଇବାରେ ଲାଗିପଡ଼ିଛି।

କିନ୍ତୁ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ବିଜେପି ଛାଡ଼ିବା ଏକପ୍ରକାର ନିଶ୍ଚିତ। ସେ ଯେଉଁ ସବୁ ସର୍ତ୍ତ ରଖିଛନ୍ତି, ତାହାକୁ ପୂରଣ କରାନଗଲେ ସେ ବିଜେପି ଛାଡ଼ିବେ। ଏବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କ ସହ ବାରମ୍ବାର କଥା ହେଉଥିଲେ ହେଁ ତାଙ୍କ ଦାବି ପୂରଣ କରିବା ନେଇ କିଛି ନିର୍ଭର ପ୍ରତିଶ୍ରୁତି ଦେଉନାହାନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ୍‌ରେ ଜଗନ୍ନାଥଙ୍କ ସହ କଥା ହୋଇଥିଲେ ବି କିଛି ନିର୍ଭର ପ୍ରତିଶ୍ରୁତି ଦେଇନାହାନ୍ତି। ୧୯ତାରିଖରେ ସେ ଭୁବନେଶ୍ବର ଫେରିବା ପରେ ଆଲୋଚନା କରିବେ ବୋଲି କହିଛନ୍ତି।

ଏନେଇ ଜଗନ୍ନାଥଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ଦଳର ପ୍ରମୁଖ ନେତାଙ୍କ ପାଖରେ ଯେଉଁ ସବୁ ଅଭିଯୋଗ କରିଛି ତାହା ଯୁକ୍ତିଯୁକ୍ତ ଓ ଠିକ୍। ଦଳର ନିୟମ ଦୃଷ୍ଟିରୁ ଯାହା ହେବା କଥା ତାହା ହୋଇନି। ସେଥିରେ ସଂଶୋଧନ ଆଣିବାକୁ କହିଛି। ଭୁବନେଶ୍ବରରେ ବିଜେପିକୁ ସୁଦୃଢ କରିବାକୁ ଆବଶ୍ୟକୀୟ ପରାମର୍ଶ ଦେଇଛି। ଯଦି ମୋ କଥାରେ କେହି ରାଜି ହେବେନି, ତେବେ ମୁଁ ମୋ ନିଷ୍ପତ୍ତି ନେବି।

ସମ୍ବନ୍ଧିତ ଖବର