ଭୁବନେଶ୍ୱର : ଘରୁ ଚୋରି ଉଦ୍ୟମ ବିଫଳ, ଧରା ପଡ଼ିଲା ଯୁବତୀ

ଭୁବନେଶ୍ୱର : ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ଘରେ ପଶି ଲୁଟ୍ କରିବାକୁ ଉଦ୍ୟମ କରୁଥିବାବେଳେ ଆଜି ଜଣେ ଯୁବତୀ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଛି। ପୁଲିସ ଥାନାରେ ଅଟକ ରଖି ଯୁବତୀକୁ ପଚରାଉଚରା ଚଳାଇଛି। ତେବେ ସେ ନିଜର ବୟସ ୧୬ ବର୍ଷ ବୋଲି କହୁଥିଲେ ହେଁ ଏହା ସ୍ପଷ୍ଟ ହୋଇନଥିବାରୁ ସେ ନାବାଳିକା କି ଯୁବତୀ ଜଣାପଡ଼ିନାହିଁ। ସେହିଭଳି ପୁଲିସ ତା’ ବାବଦରେ ଅଧିକ ଛାନ୍‌ଭିନ୍ ଜାରି ରଖିଛି ଓ ସେ ପେସାଦାର ଚୋରଣୀ କି ନା, ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଯୁବତୀ ହରିହର ସାହୁଙ୍କ ଘରେ ପଶିଥିଲା। ସେ ଦୁଇଟି ମୋବାଇଲ୍‌ ଫୋନ୍ ଚୋରି କରି ଚମ୍ପଟ ମାରୁଥିବାବେଳେ ହରିହରଙ୍କ ପତ୍ନୀ ଦେଖି ପକାଇ ପା‌ଟି କରିବା ସହ ଗେଟ୍ ତାଲା ପକାଇ ଦେଇଥିଲେ। ପିସିଆର୍ ଭ୍ୟାନ୍ ସେଠାରେ ପହଞ୍ଚି ଯୁବତୀକୁ ଥାନାକୁ ନେଇଥିଲା। ତାଙ୍କ ଘର ବାଲେଶ୍ବର ବୋଲି ସେ କହିଛି। ବାଲେଶ୍ବରରୁ ଆସିବା ପରେ ସେ ଏବେ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଛି ଓ ବୁଲି ବୁଲି ମାଗିଯାଚି ଖାଉଥିବା କହିଛି। ସେହି ଆଶାରେ ସେ ହରିହରଙ୍କ ଘରେ ପହଞ୍ଚିଥିଲା ଓ ଡାକି ଡାକି ଘରେ ପଶିଥିଲା। ମାତ୍ର କେହି ନଥିବା ଦେଖି ସେ ଲୋଭରେ ପଡ଼ି ଦୁଇଟିଯାକ ମୋବାଇଲ୍‌ ଫୋନ୍‌ ନେବାକୁ ମନ ବଳାଇଥିଲେ। ମାତ୍ର ଖସିଯିବା ପୂର୍ବରୁ ସେ ଧରା ପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର