ଉତ୍ସାହିତ ଦର୍ଶକ, ଅପରାହ୍ଣ ୨ଟାରୁ ଲମ୍ବା ଲାଇନ୍‌

ସନ୍ଧ୍ୟା ୫ଟା ୩୦ରେ ଉଦ୍‌ଘାଟନୀ ଉତ୍ସବ ହେବାକୁ ଥିବା ବେଳେ ଅପରାହ୍ଣ ୨ଟାରୁ ଲାଗିଥିଲା ଦର୍ଶକଙ୍କ ଲମ୍ବା ଲାଇନ୍‌। ଟିକେଟ୍‌ ପାଇଥିବା ଦର୍ଶକମାନେ ୩ ନମ୍ବର ଓ ୪ ନମ୍ବର ଫାଟକ ନିକଟରେ ଲମ୍ବା ଧାଡ଼ିରେ ଛିଡ଼ା‌ ହୋଇଥି‌ଲେ। ମୁଖ୍ୟ ରାସ୍ତା ଉପରକୁ ବି ମାଡ଼ି ଆସିଥିଲେ। ଶାନ୍ତିଶୃଙ୍ଖଳାରେ ଦର୍ଶକଙ୍କୁ ଭିତରକୁ ଛଡ଼ାଯାଇଥିଲା। ଉତ୍ସବ ଆରମ୍ଭ ହେବା ପରେ ବି ଲୋକେ ଧାଡ଼ିରେ ଛିଡ଼ା ହୋଇ ଭିତକୁ ପ୍ରବେଶ କରିଥିଲେ।

ଖୁଚୁରା ନାଁରେ ପାର୍କିଂରେ ଲୁଟିଲେ
ଉଦ୍‌ଘାଟନୀ ଉତ୍ସବରେ ବାଇକ୍‌ ଚାଳକମାନଙ୍କୁ ହଟହଟା ହେବାକୁ ପଡ଼ିଛି। ପାର୍କିଂରେ ବାଇକ୍‌ ରଖିବା ପାଇଁ ଟିକେଟ୍‌ର ମୂଲ୍ୟ ୨୫ ଟଙ୍କା ରଖାଯାଇଛି। ପାର୍କିଂରେ ଗାଡ଼ି ରଖି ଚାଳକମାନେ ୩୦ ଟଙ୍କା ଦେଲେ ମଧ୍ୟ ସେଠାରେ ଟିକେଟ୍‌ ଆଦାୟ କରୁଥିବା ବ୍ୟକ୍ତିମାନେ ଖୁଚୁରା ଫେରାଉ ନ ଥିଲେ। ଲୋକଙ୍କଠାରୁ ୩୦ ଟଙ୍କା ନେଉଥିଲେ। ଷ୍ଟାଡିୟମ୍‌ ଭିତରକୁ ଖୁଚୁରା ନେବାକୁ ଅନୁମତି ନ ଥିବାରୁ ଦର୍ଶକମାନେ ମଧ୍ୟରେ ସାଙ୍ଗରେ ଖୁଚୁରା ନେଇ ନଥିବାରୁ ସେମାନେ ହଟହଟା ହୋଇଛନ୍ତି। ଏହାକୁ ନେଇ ପାର୍କିଂ ସ୍ଥାନରେ ଗଣ୍ଡଗୋଳ ମଧ୍ୟ ହୋଇଛି।

ଗୋଟିଏ ଗ୍ୟାଲେରି ଖାଲି
ଷ୍ଟାଡିୟମ୍‌ ଖଚାଖଚ ଭିଡ଼ ହୋଇଥିଲା। ‌ସବୁ ଗ୍ୟାଲେରିରେ ଖାଲି ଲୋକ। ପିମ୍ପୁଡ଼ି ଗଳିବାକୁ ବି ବାଟ ନାହିଁ। ବହୁ ଦର୍ଶକ ଗ୍ୟାଲେରିରେ ସିଟ୍‌ ନ ପାଇ ପାହାଚରେ ବସିଥିଲେ। କିନ୍ତୁ ଭିତରେ ଷ୍ଟାଡିୟମ୍‌ର ଗୋଟିଏ ଗ୍ୟାଲେରିରେ ଆଦୌ ଦର୍ଶକ ନଥିଲେ। ମିଳିଥିବା ସୂଚନା ଅନୁଯୟୀ ଉକ୍ତ ଗ୍ୟାଲେରିର ସିଟ୍‌ ବୁକିଂ ହୋଇ ନଥିଲା। ‌ମୁଖ୍ୟ ମଞ୍ଚ ପଛପାର୍ଶ୍ବରେ ଥିବା ଏହି ଗ୍ୟାଲେରିକୁ ଦର୍ଶକଙ୍କୁ ଛଡ଼ାଯାଇ ନଥିଲା କି ଟିକେଟ୍‌ ହୋଇ ନଥିଲା।

‘ମୋ ବସ୍‌’ରେ ଦର୍ଶକ ନାହାନ୍ତି
ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଥିଲା। ଜନତା ମଇଦାନରେ ମାଗଣା ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିଲା। ସେଠାରୁ ପ୍ରତି ଦୁଇ ମିନିଟ୍‌ରେ ‘ମୋ ବସ୍’ରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ନେବାକୁ ସୁବିଧା କରାଯାଇଥିଲା। ହେଲେ ତାହା ଆଜି କିଛି ବି କାମ ଦେଇନି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜନତା ମଇଦାନରେ ୨୦ରୁ ଅଧିକ ବସ୍‌ ରଖାଯାଇଥିଲା। ପ୍ରତି ଦୁଇ ମିନିଟ୍‌‌ରେ ବସ୍‌ ଛାଡ଼ିବାକୁ ପ୍ରସ୍ତୁତ ହୋଇ ରହିଥିବା ବେଳେ ଦର୍ଶକଙ୍କ ଦେଖା ମିଳି ନଥିଲା। ବାଇକ୍‌ ଚାଳକମାନେ ଜନତା ମଇଦାନ ବଦଳରେ ବେହେରା ସାହି ଓ ନିକୋ ପାର୍କ ରାସ୍ତାରେ ହୋଇଥିବା ପାର୍କିଂ ସ୍ଥାନରେ ବାଇକ୍‌ ରଖିଥିଲେ। ତେଣୁ ସେମାନଙ୍କୁ ‘ମୋ ବସ୍‌’ର କୌଣସି ଆବଶ୍ୟକତା ପଡ଼ି ନ ଥିଲା।

ଫ୍ୟାନ୍‌ ଭିଲେଜ୍‌
କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ଖୋଲିଛି ୨ଟି ଫ୍ୟାନ୍‌ ଭିଲେଜ୍‌। ଏହା ମଧ୍ୟରେ ଖାଦ୍ୟ ଉପଲବ୍ଧ ହେଉଥିବା ‌ବେଳେ ଜନଜାତି କଳାବସ୍ତୁ ପ୍ରଦର୍ଶିତ ହୋଇଛି। ଦେହ ଓ ମୁହଁକୁ ତ୍ରିରଙ୍ଗା ଓ ମାନଚିତ୍ରରେ ସଜେଇବାକୁ ଚାହୁଁଥିବା ପ୍ରଶଂସକଙ୍କ ପାଇଁ ଏହା ମଧ୍ୟରେ ବ୍ୟବସ୍ଥା ରହିଛି। ଏହି ପରିସର ମଧ୍ୟରେ ବ୍ୟାଣ୍ଡ୍‌ ପରିବେଷଣ କରାଯାଉଥିବା ବେଳେ ସାଇକେଲିଂ ବ୍ୟାୟାମ ପାଇଁ ସୁବିଧା ରହିଛି। ବିଶେଷକରି ପରିସର ଚଟାଣ ଘାସ ଗାଲିଚା ସଦୃଶ ହୋଇଥିବାରୁ ଏହା ପ୍ରଶଂସକମାନଙ୍କୁ ଅଟକାଇ ଦେଉଥିଲା।

ଗଳି କନ୍ଦିରେ ଏଲ୍‌ଇଡି
ଉଦ୍‌ଘାଟନୀ ଉତ୍ସବରୁ ବାଦ୍‌ ପଡ଼ି ନଥିଲା ରାଜଧାନୀର ଗଳିକନ୍ଦି। ସବୁଠି ଭରି ଯାଇଥିଲା ହକି ଫିଭର। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସନ୍ଧ୍ୟା ହେବା କ୍ଷଣି ଟିଭି ଆଗରେ ବସିପଡ଼ିଥିଲେ। ଟିକେଟ୍‌ ନ ପାଇ ଷ୍ଟାଡିୟମ୍‌ ଭିତରକୁ ଯାଇପାରି ନଥିବା ଦର୍ଶକ ନିରାଶ ହୋଇ ନଥିଲେ। ବରଂ ସହରର ବିଭିନ୍ନ ପଡ଼ିଆରେ ଲାଗିଥିବା ସ୍କ୍ରିନ୍‌ରେ ଉତ୍ସବର ମଜା ନେଇଥିଲେ। ସପିଂ ମଲ୍‌ଗୁଡ଼ିକରେ ବି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ସହରର ବସ୍ତି ଓ ଗଳିକନ୍ଦିରେ ବି ଲୋକେ ରାତି ୯ଟା ପର୍ଯ୍ୟନ୍ତ ଟିଭି ସମ୍ମୁଖରେ ବସି ରହିଥିଲେ। କେବଳ ଭୁବନେଶ୍ବର ନୁହେଁ, ସାରା ରାଜ୍ୟକୁ ବ୍ୟାପୀ ଯାଇଛି ହକି ଫିଭର। ବୁଧବାରଠାରୁ ହକି ମହାସମର ହେବାକୁ ଥିବା ବେଳେ ଉଦ୍‌ଘାଟନୀ ଉତ୍ସବ ଦେଖିବାକୁ ସବୁ ନିର୍ବାଚନମଣ୍ଡଳୀରେ ବ୍ୟବସ୍ଥା କରାଯାଇଥିଲା। ବିଧାୟକ ଓ ତାଙ୍କ ପ୍ରତିନିଧିମାନେ ପ୍ରତି ବ୍ଲକ, ପୌର ସଂସ୍ଥା, ମହାନଗର ଅଞ୍ଚଳରେ ରହି ତଦାରଖ କରିଥିଲେ। ବିଶ୍ବକପ୍‌ ହକିର ଉଦ୍‌ଘାଟନୀ ଉତ୍ସବ ଦେଖିବାକୁ ବଡ଼ ଏଲ୍‌ଇଡି ସ୍କ୍ରିନ୍‌ ଲାଗିଥିଲା।

କିସ୍‌ରେ ରହେମାନ
ଭୁବନେଶ୍ବର: ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ପଦ୍ମଭୂଷଣ ଏ ଆର ରହମାନ ଆଜି କିସ୍‌ ପରିଦର୍ଶନ କରିଥିଲେ। ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ଭୁବନେଶ୍ବର ଆସିଥିବା ଅବସରରେ ର‌ହେମାନ କିସ୍‌ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ଏଠାରେ ୨୭ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ଦେଖି ସେ ବିମୋହିତ ହୋଇପଡ଼ିଥିଲେ। ସେ କହିଥିଲେ ଭୁବନେଶ୍ବର ଆସି ଯଦି କିସ୍‌ ନ ଦେଖି ଫେରି ଯାଇଥାନ୍ତି, ତେବେ ମୋ ମନରେ ଅବସୋସ ରହିଯାଇଥାଆନ୍ତା। କିସ୍‌ ଭଳି ଅନୁଷ୍ଠାନ ପାଇଥିବାରୁ ଛାତ୍ରଛାତ୍ରୀ ଏହାର ସୁଯୋଗ ନେବା ଉଚିତ। କିସ୍‌ ପ୍ରତିଷ୍ଠା କରିବା ଦିଗରେ ଅଚ୍ୟୁତ ସାମନ୍ତଙ୍କ ଭୂମିକାକୁ ସେ ପ୍ରଶ˚ସା କରିଥିଲେ। ଏହି ଅବସରରେ କିସ୍‌ ଛାତ୍ରଛାତ୍ରୀ ରହେମାନଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଥିଲେ। ପରେ ର‌ହେମାନଙ୍କୁ କିସ୍‌ ତରଫରୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର ସମ୍ପାଦକ ଆର ଏନ୍‌ ଦାଶ, କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି କେ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

କଏନ୍‌ ଛାଡ଼ିଲେନି
ଷ୍ଟାଡିୟମ୍‌ ଭିତରକୁ ପାଣି ବୋତଲ, ରେଜା ପଇସା ଖାଦ୍ୟ ଜିନିଷ ଅନୁମତି ନ ଥିଲା। ଏଣୁ ଯେଉଁମାନଙ୍କ ପକଟେ୍‌ରେ ରେଜା ପଇସା ଥିଲା ସେଗୁଡ଼ିକୁ ଗେଟ୍‌ ପାଖରେ ରଖା ଯାଉଥିଲା। ଖାଦ୍ୟ ଜିନିଷ ମଧ୍ୟ ରଖି ଦିଆଯାଉଥିଲା। ଏଥିପ୍ରତି ଦର୍ଶକଙ୍କର ଅସନ୍ତୋଷ ବେଶ୍‌ ବୁଝା ପଡ଼ୁଥିଲା। ହେଲେ ଗେଟ୍‌ ପ୍ରବେଶ କରିବାର କିଛି ଦୂରରେ ଅସନ୍ତୋଷ ସୀମା ଲଂଘିଥିବା ଦେଖା ଯାଇଥିଲା। ଜଣେ ନବବିବାହିତା କାନ୍ଦୁଥିବା ବେଳେ ତାଙ୍କ ସ୍ବାମୀ ବୁଝାଉଥିଲେ। କଥା କଣ ବୁଝିବା ବେଳକୁ ତାଙ୍କ ଲିପ୍‌ଷ୍ଟିକ୍‌ ମଧ୍ୟ ପୁଲିସ୍‌ ରଖି ଦେଇଥିଲା। ଆଉ କିଛି ଯୁବକ ନବବିବାହିତାଙ୍କ ସମଥର୍ନରେ ସୁରକ୍ଷା କର୍ମୀଙ୍କୁ ଧମକ ଦେବାକୁ ଯାଉଥିବା ବେଳେ ଲିପ୍‌ଷ୍ଟିକ୍‌ ବି ବ୍ୟାନ୍‌ ବୋଲି କହିଥିଲେ।

ପାଣି ୨୦, ମୃଦୁପାନୀୟ ୫୦
ବାହାରୁ କୌଣସି ପାଣି ଷ୍ଟାଡିୟମକୁ ଛଡ଼ା ଯାଇ ନଥିଲା। ଏଣୁ ଦର୍ଶକ ପାଣି କିଣିଥିଲେ। ଗୋଟିଏ ଗ୍ଲାସ୍‌(ଶହେ ଗ୍ରାମ୍‌) ପାଣିର ଦର ୨୦ ଟଙ୍କା ଥିବା ବେଳେ ଗୋଟିଏ ଗ୍ଲାସ୍‌(ଦେଢ଼ଶହ ଗ୍ରାମ୍‌) ମୃଦୁପାନୀୟର ଦର ୫୦ ଟଙ୍କା ଥିଲା। ମାଗଣାରେ ପାଣିର ବ୍ୟବସ୍ଥା ଥିଲେ ମଧ୍ୟ ସୂଚନା ନଥିବାରୁ ଲୋକମାନେ ପାଣି କିଣିବାକୁ ବାଧ୍ୟ ହୋଇଥିଲେ।

ଯାଞ୍ଚ ହେଲା ଗଛ ମୂଳ
ଉଦ୍‌ଘାଟନୀ ଉତ୍ସବର ସୁରକ୍ଷା ଥିଲା କଡ଼ାକଡ଼ି। ସୁରକ୍ଷାକର୍ମୀମାନେ ଷ୍ଟାଡିୟମ୍‌ ଚାରିପାଖକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ଗଛ ମୂଳ ବି ଛାଡ଼ି ନ ଥିଲେ। ଦର୍ଶକ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିବା ପୂର୍ବରୁ କୁକୁର ଲଗାଇ ସବୁ ସ୍ଥାନ ଯାଞ୍ଚ କରାଯାଇଥିଲା। ମୁଖ୍ୟ ଫାଟକ ନିକଟରୁ ସିଟ୍‌ ପାଖରେ ପହଞ୍ଚିବା ମଧ୍ୟରେ ଦର୍ଶକମାନେ ତିନି ଥର ଯାଞ୍ଚ ହୋଇଥିଲେ।

ସମ୍ବନ୍ଧିତ ଖବର