ପାରମ୍ପରିକ ନୃତ୍ୟ ଓ ସଙ୍ଗୀତରେ ମଜିଲେ ଦର୍ଶକ

ସୁର ଭାଇବ୍ରେସନ୍‌ର ‘ରାଜଧାନୀଥି ନୂଅାଁଖାଇ’

ଭୁବନେଶ୍ୱର: ପାରମ୍ପରିକ ବେଶଭୂଷା ସାଙ୍ଗକୁ ଢୋଲ, ନିଶାନ, ତୀସା ଓ ଡାଲଖାଇର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ଅବସର ଥିଲା ସୁର ଭାଇବ୍ରେସନ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ‘ରାଜଧାନୀଥି ନୂଅାଁଖାଇ’। କାର୍ଯ୍ୟକ୍ରମରେ ପୁରୁଣା ଓ ମନଛୁଅାଁ ସମ୍ବଲପୁରୀ ସଙ୍ଗୀତ ସାଙ୍ଗକୁ ଭଜନ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।
ସନ୍ଧ୍ୟା ଆରମ୍ଭ ହୋଇଥିଲା କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କ ସଙ୍ଗୀତ ‘ହାଏ ମୋ ଲବଙ୍ଗଲତା ଗଜମୁକୁତା…’ରୁ। ଦର୍ଶକଙ୍କୁ ଏହା ଭରପୂର ମନୋରଂଜନର ଖୋରାକ୍‌ ଯୋଗାଇଥିଲା। ପରେ ପରେ କଣ୍ଠଶିଳ୍ପୀ ପଙ୍କଜ ଜାଲ, ମାନସୀ, ହୃଦାନନ୍ଦ, ଜିତୁ ଦାସ, ସନ୍ତୋଷଙ୍କ ସହିତ ମୟୂରୀ ଡ୍ୟାନ୍ସ ଏକାଡେମିର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଓ ସଙ୍ଗୀତ ବେଶ ମନଛୁଆଁ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟରତ ୨୦ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ଶ୍ରୀକାନ୍ତ ସାହୁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ବିଜୟ କୁମାର ଜେନାଙ୍କ ସହିତ ଅନୁଷ୍ଠାର ଉପଦେଷ୍ଟା ସୁଶୀଲ ଦାସ ଏବଂ ଜୟଶ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ମୀନାକ୍ଷୀ ଧର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶୁଭେନ୍ଦୁ ଦାସ, ଅଜୟ ନାୟକ, ଅମୀୟବାଳା ପରିଡ଼ା ଓ ଲୀଳାବତୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର