ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ଆଇ ଆମ୍ କାଳିଆ’ର ଅଡିଓ ରିଲିଜ୍ ହୋଇଯାଇଛି। ଲି ବ୍ଲିସ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ ବ୍ୟାନର୍‌ରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ଜୁଲାଇ ୪ ତାରିଖରେ ବାହୁଡ଼ାରେ ମୁକ୍ତିଲାଭ କରିବ। ଅଡିଓ ରିଲିଜ୍ ଉତ୍ସବରେ ଅତିଥି ଭାବେ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ, ବିଜେପିର ବରିଷ୍ଠ କର୍ମକର୍ତ୍ତା ସମୀର ମହାନ୍ତି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ, ନିର୍ଦ୍ଦେଶକ ସୁବାସ ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଅଭିନେତା ଶକ୍ତି ବରାଳ, କାହାଣୀର ଲେଖକ ତଥା ନିର୍ଦ୍ଦେଶକ ହରିହର ମହାପାତ୍ର, ପ୍ରଯୋଜକ ସୁବାସ ସାହୁ, ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ଟିକି ପ୍ରମୁଖ ଯୋଗ ଦେଇଥିଲେ। ଏହି ସିନେମାରେ ୪ଟି ସଂଗୀତ ରହିଛି। ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଥିଲା ବେଳେ ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର, ଶୁଭ ଦାଶ, ପ୍ରମୋଦ ପରିଡ଼ା ଓ ନିହାର ପ୍ରିୟାଶିଷ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଲଦୀପ, ପ୍ରଜ୍ଞା ହୋତା, ଶ୍ରୀଚରଣ, ସୁକାନ୍ତ କୁଣ୍ଡୁ ଓ ସଞ୍ଜୁ ମହାନ୍ତି। ସୁଧାକର ବସନ୍ତ, ରାଜା ମହନ୍ତ ଓ କୁମାର ମଣ୍ଟୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲା ବେଳେ ସହନିର୍ଦ୍ଦେଶନାରେ ଆଶିଷ ବେହେରା, ଚିତ୍ର ଉତ୍ତୋଳନରେ କାହ୍ନୁନନ୍ଦ ଶୁଭମ୍‌, ପ୍ରଡକ୍ସନ ଡିଜାଇନର୍‌ ଭାବେ ସାରଦା ନାୟକ ଓ ପ୍ରଚାରପ୍ରସାରରେ ପ୍ରଣୟ ଜେଠୀ ଦାୟିତ୍ବ ତୁଲାଇଛନ୍ତି। ପୁରୀରେ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ସୁଟିଂ ହୋଇଛି।