‘ଜିତିବୁ ଆମେ’ର ଅଡିଓ-ଭିଡିଓ ଉନ୍ମୋଚନ

ଭୁବନେଶ୍ବର: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ‘ଫିଙ୍କ୍ଉଡ୍ କ୍ରିଏସନ୍ସ’ ଓ ‘ଟିମ୍ ଓଡ଼ିଆ’ର ମିଳିତ ଆନୁକୂଲ୍ୟରେ ‘ଜିତିବୁ ଆମେ’ ଅଡିଓ-ଭିଡିଓ ପ୍ରେସ୍ କ୍ଲବ ଠାରେ ରିଲିଜ୍ ହୋଇଛି। ଜଣାଶୁଣା ସଙ୍ଗୀତ ‘ହମ୍ ହୋଙ୍ଗେ କାମୟାବ୍’ର ଏହା ଓଡ଼ିଆ ରୂପାନ୍ତର। ପ୍ରତି ଓଡ଼ିଆଙ୍କ ଭିତରେ ଦେଶଭକ୍ତିର ଉଦ୍ଦୀପନା ଉଦ୍ରେକ କରିବା ଓ ଆଧୁନିକ ଭାରତ ନିର୍ମାଣରେ ଯୋଗଦେଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଓଡ଼ିଶାର କଳା, ସଂସ୍କୃତି ସହ ଆମର ବିକଶିତ ହୋଇଥିବା ସ୍ଥାନକୁ ରଖାଯାଇଛି।

ଗୀତିକାର ଦେବଦାସ ଛୋଟରାୟ ଗୀତ ରଚନା କରିଥିବା ବେଳେ ଅଭିନେତ୍ରୀ ତଥା ଗାୟିକା ପିଙ୍କି ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ, ଶିଶୁ କଳାକାର ଆଦିତ୍ୟ, ଶାନ୍ତନୁ, ବୈଷ୍ଣବୀ ଓ ଶନାୟା କଣ୍ଠଦାନ କରିଛନ୍ତି। ପିଙ୍କି ପ୍ରଧାନ ଗୀତଟିର ଅବଧାରଣା ଓ ଦୃଶ୍ୟ ପରିକଳ୍ପନା କରିଛନ୍ତି। ଏହି ଉନ୍ମୋଚନ ଉତ୍ସବରେ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ, ପୂର୍ବତନ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଦିଲୀପ ତିର୍କୀ, ଓପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ଏଲ୍ ସି ପଟ୍ଟନାୟକ ଓ ସମାଜସେବୀ କର୍ଣ୍ଣେଲ ବୀରେନ୍ଦ୍ର କୁମାର ବସ୍ତିଆ ଅତିଥି ଭାବେ ଯୋଗ ଦେଇ ‘ଜିତିବୁ ଆମେ’ ଗୀତଟି ସମସ୍ତଙ୍କୁ ଅନୁପ୍ରାଣିତ କରିପାରିବ ବୋଲି ମତ ରଖିଥିଲେ।

‘ଟିମ୍‌ ଓଡ଼ିଆ’ର ଅଧ୍ୟକ୍ଷ ତଥା ସମାଜସେବୀ ନିଶିକାନ୍ତ ମିଶ୍ର କହିଥିଲେ ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଭିତ୍ତି କରି ଓଡ଼ିଆ ଦର୍ଶକଙ୍କୁ ଶୁଦ୍ଧ ମନୋରଞ୍ଜନ ଯୋଗାଇବାକୁ ‘ଟିମ୍‌ ଗ୍ରୁପ୍‌’ ଦ୍ବାରା ପରିଚାଳିତ ‘ଟିମ୍‌ ଓଡ଼ିଆ’ ୟୁଟୁବ୍ ଚ୍ୟାନେଲ୍‌ ସବୁବେଳେ ଗୁରୁତ୍ବ ଦେଇ ଆସୁଛି। ‘ଜିତିବୁ ଆମେ’ ପରି ଉଚ୍ଚମାନର ସଙ୍ଗୀତ ନିଶ୍ଚିତ ଭାବେ ଶ୍ରୋତାଙ୍କୁ ଏକ ଅଭିନବ ସ୍ବାଦ ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସିନେ ଗବେଷକ ସୂର୍ଯ୍ୟ ଦେଓ ଓ ଇଂ ଅମର ବାରିକଙ୍କ ସମେତ ଗୀତରେ ଅଭିନୟ ଓ କଣ୍ଠଦାନ କରିଥିବା ୪ ଶିଶୁ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର