କୋଭିଡ୍‌ ହସ୍‌ପିଟାଲ ବିରୋଧରେ ଭାଇରାଲ ଅଡିଓ ପ୍ରସାରଣ ମାମଲା: ଥାନାରେ ହାଜର ହେଲେ ୩ କର୍ମଚାରୀ

ଭୁବନେଶ୍ବର: କୋଭିଡ୍‌-୧୯ ଚିକିତ୍ସା ସମ୍ବନ୍ଧିତ ଭାଇରାଲ ଅଡିଓ ପ୍ରସାରଣକୁ ନେଇ ନୋଟିସ୍‌ ପାଇଥିବା ଏକ ଘରୋଇ ଟିଭି ଚାନେଲ ଓ ୱେବ୍‌ ପୋର୍ଟାଲର ୩ ଜଣ କର୍ମଚାରୀ ଆଜି କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି। ଅପରାହ୍ନରେ ସେମାନେ ହାଜର ହେବା ପରେ ସେମାନଙ୍କୁ ପୁଲିସ ରାତି ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ଜେରା କରିଛି। ଏକ ଭାଇରାଲ ଅଡିଓର ସତ୍ୟାସତ୍ୟ ଯାଞ୍ଚ ନ କରି ୱେବ୍‌ ପେଜ୍‌ରେ ପ୍ରସାରଣ କରିବାକୁ ନେଇ ପୁଲିସ ସମସ୍ତଙ୍କ ଠାରୁ କାରଣ ଜାଣିବାକୁ ଚାହିଥିଲା। ଥାନା ଇନ୍‌ସ୍‌ପେକ୍ଟରଙ୍କ ସମେତ କେତେକ ବରିଷ୍ଠ ଅଧିକାରୀ ମଧ୍ୟ ଜେରା କରିଥିଲେ।

ଭାଇରାଲ ଅଡିଓକୁ ନେଇ ଖବର ପ୍ରସାରଣ ହେବା ପରେ ଥାନାରେ ହାଜର ହେବା ପାଇଁ ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଓ ୱେବ୍‌ ପୋର୍ଟାଲର କର୍ମଚାରୀଙ୍କୁ କ୍ୟାପିଟାଲ ଥାନା ପୁଲିସ ନୋଟିସ୍‌ କରିଥିଲା। ନୋଟିସ୍‌ ପାଇବା ପରେ ଏହି ସବୁ କର୍ମଚାରୀ ଗିରଫଦାରୀ ଆଶଙ୍କାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଆଦେଶ ଦେଇଥିଲେ କି ଆବେଦନକାରୀ ଥାନାକୁ ଯାଇ ପୁଲିସକୁ ତଦନ୍ତରେ ସହଯୋଗ କରିବେ, ସେମାନଙ୍କୁ ପୁଲିସ ଗିରଫ କରିବ ନାହିଁ। ଏଣୁ କେବଳ ପଚରା ଉଚରା କରି ପୁଲିସ ସମସ୍ତଙ୍କୁ ଛାଡ଼ି ଦେଇଛି।

ସୂଚନାଯୋଗ୍ୟ, କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ବହୁ ଅର୍ଥ ବିନିଯୋଗ କରୁଛନ୍ତି। ଏହି ଅର୍ଥ ହଡ଼ପ କରିବା ଲକ୍ଷ୍ୟରେ କୋଭିଡ୍‌ ହସ୍ପିଟାଲରେ ରୋଗୀ ଭର୍ତ୍ତି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ, ବିଏମ୍‌ସି ଓ ଘରୋଇ ହସ୍ପିଟାଲ ମଧ୍ୟରେ ଏକପ୍ରକାରର ବୁଝାମଣା ହୋଇଥିବା ସମ୍ପର୍କିତ ଫୋନ୍‌ ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହୋଇଥିଲା। ଏହା ଏକ ବୈଦ୍ୟୁତିକ ଗଣମାଧ୍ୟମର ୱେବସାଇଟରେ ପ୍ରସାରିତ ହୋଇଥିଲା। ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଡିଓ ଟେପ୍‌ରେ କଥା ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରିବା ସହ ସମ୍ପୃକ୍ତ ସଂସ୍ଥାର ତିନିଜଣଙ୍କୁ ହାଜର ହେବା ପାଇଁ ନୋଟିସ୍‌ ଜାରି କରିଥିଲା।

ସମ୍ବନ୍ଧିତ ଖବର