ଉପରେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡ଼ିବା ଆରମ୍ଭ କରିବା ମାତ୍ରେ ପତାକା ତଳେ ସମବେତ ସ୍ବରରୁ ଭାସିଉଠିଲା ‘ଜନ ଗଣ ମନ ଅଧିନାୟକ ଜୟ ହେ...’। ପରେପରେ ଗଗନପବନ ପ୍ରକମ୍ପିତ କରି ଚାଲିଲା ‘ଭାରତ ମାତା କି ଜୟ’, ‘ତ୍ରିରଙ୍ଗା ପତାକା କି ଜୟ’, ‘ବନ୍ଦେ ମାତରଂ’, ‘ଇନ୍କିଲାବ୍ ଜିନ୍ଦାବାଦ୍’, ‘ମହାତ୍ମା ଗାନ୍ଧୀ କି ଜୟ’, ‘ନେତାଜୀ ସୁଭାଷ ବୋଷ କି ଜୟ’, ‘ଜବାହରଲାଲ୍ ନେହରୁ କି ଜୟ’ ଭଳି ରୋମାଞ୍ଚଭରା ସ୍ଲୋଗାନ୍। ସେମିତି ରାସ୍ତାରେ ତ୍ରିରଙ୍ଗା ଶୋଭାଯାତ୍ରା ଭିତରୁ ବି ଭାସିଆସୁଥିଲା ‘ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି’ ଓ ‘ଇଶ୍ବର ଆଲ୍ଲା ତେରେ ନାମ୍, ସବ୍କୋ ସନ୍ମତି ଦେ ଭଗବାନ’ ଭଳି ଦେଶାତ୍ମବୋଧକ ସଂଗୀତର ଧୁନ୍। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଥିଲା ଏକ ଅପୂର୍ବ ଶିହରଣ। ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଜଧାନୀରେ ଏମିତି ଥିଲା ମାହୋଲ। ବିଦ୍ୟାଳୟ, ମହାବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କ୍ଲବ୍, ଯୁବକ ସଂଘ ଭଳି ସାମାଜିକ ସଂଗଠନରେ ଏମିତି ପାଳିତ ହୋଇଯାଇଛି ସ୍ବାଧୀନତା ଦିବସ।
ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ
ଏଜିଛକ ସ୍ଥିତ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟରେ ପ୍ରଧାନ ମହାଲେଖାକାର ରାଜନୀତି କୁମାର ଓ ମହାଲେଖାକାର ଅଡିଟ-୨ କାର୍ଯ୍ୟାଳୟରେ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଉପମହାଲେଖାକାର ଶ୍ରୀରାଜ ଅଶୋକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟାଳୟର କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା। ପ୍ରଧାନ ମହାଲେଖାକାର ରାଜ କୁମାର ତାଙ୍କ ଅଭିଭାଷଣରେ ଦେଶର ଉନ୍ନତି ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଯେପରି ଠିକ ମାର୍ଗରେ ବିନିଯୋଗ ହୋଇ ପାରିବ, ସେଥିପାଇଁ ନିରପେକ୍ଷ ଭାବେ ଦୃଷ୍ଟି ଦେବାକୁ ହେବ ବୋଲି କହିଥିଲେ। ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଦେଶ ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ପତାକା ଉତ୍ତୋଳନ ଉତ୍ସବରେ ଉପମହାଲେଖାକାର ସୁଶ୍ରୀ ତାନ୍ୟା ଆମ୍ବାସ୍ତା, ସୁଶାନ୍ତ ରଞ୍ଜନ, ସଞ୍ଜୟ କୁମାର, ବିକାଶ କୁମାର, ସଚିନ କ୍ରିଷ୍ଣା କୌଶିକ, ବିମଲେଶ କୁମାର ଉପସ୍ଥିତ ଥିଲେ। ଏହି ଅବସରରେ ବିଗତ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ନୃତ୍ୟ, ସଂଗୀତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଲେଖା ଅଧିକାରୀ ଶରତ ଚନ୍ଦ୍ର ନାୟକ, ମନୋରଞ୍ଜନ ପାଣିଗ୍ରାହୀ, ବି.ବି ରାୟ, ଅରୁଣ କୁମାର ସେଠୀ, ପରି ସରକାର, ସହକାରୀ ଲେଖା ଅଧିକାରୀ ଭି. ଆନନ୍ଦ ଭଟ୍ଟ, ରମାକାନ୍ତ ମିଶ୍ର, ଚିନ୍ମୟ ହୋତା, ସରୋଜ ବାରିକ ପରିଚାଳନା କରିଥିଲେ।