ବାପା ତୁମେ ଏକା ନୁହେଁ; କୌଳିକ ବୃତ୍ତିକୁ ଆଗେଇ ନେବା ମୁଁ ତୁମ ସହିତ ଅଛି ! ମୂର୍ତ୍ତି କାରିଗର ଅଭିମନ୍ୟୁଙ୍କୁ ଏମିତି ସାହସ ଦେଲେ ଝିଅ ସୋମା

ଭୁବନେଶ୍ବର: ଆଜିକାଲି ଝିଅମାନେ ବି କୌଣସି କାମରେ କମ ନୁହନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ସଫଳତା ଦେଖିବାକୁ ମିଳୁଛି। ଘରେ ପୁଅଟିଏ ଜନ୍ମ ହେଲେ ଭବିଷ୍ୟତରେ ବାପା ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବ ବୋଲି ଲୋକଙ୍କ ଧାରଣା ରହିଛି। କିନ୍ତୁ ଆଜିର ସମୟରେ ବି ଝିଅମାନେ ବାପାଙ୍କୁ କାମରେ ସାହାଯ୍ୟ କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

ନିକଟରେ ଝିଅଟିଏ ବାପାଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ କାମ କରୁଥିବାର ଘଟଣା ରାଜଧାନୀ ଭୁବନେଶ୍ୱର ଦେଖିବାକୁ ମିଳିଛି।

କଟକ କୁମ୍ଭାର ସାହିର କାରିଗର ଅଭିମନ୍ୟୁ ବେହେରା ଦୀର୍ଘ ୩୫ ବର୍ଷ ଧରି ଭୁବନେଶ୍ୱର ପଳାଶୁଣୀରେ ମା’ ଦୂର୍ଗାଙ୍କ ମୂର୍ତ୍ତି ତିଆରି କରି ଆସୁଛନ୍ତି । ଏହି କୌଳିକ ବୃତ୍ତିକୁ ଆଗେଇ ନେବା ପାଇଁ ବାପାଙ୍କୁ ସାଥ ଦେଇଛି ଝିଅ ସୋମା । ବୟସର ଅପରାହ୍ଣରେ ଉପନୀତ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଅଭିମନ୍ୟୁ ବେହେରାଙ୍କ ଝିଅ ଉଦ୍ୟମ କରିଛନ୍ତି, ଯାହା ପ୍ରଶଂସନୀୟ।

ବୟସ ହୋଇଯାଇଥିବାରୁ ମୂର୍ତ୍ତି ନିର୍ମାଣରେ ବାପା ଅଭିମନ୍ୟୁଙ୍କୁ କାମରେ ସହଯୋଗ ସହ ମୂର୍ତ୍ତି କାମ କରୁଛନ୍ତି ତାଙ୍କ ଝିଅ ସୋମା । ରୋଜଗାର ସହ କୌଳିକ ବୃତ୍ତି ଏକମାତ୍ର ପନ୍ଥା ଥିବାରୁ ଏହାକୁ ବଞ୍ଚାଇ ରଖିବାକୁ ପଡ଼ିବ ବୋଲି ସୋମା କହିଛନ୍ତି ।

ଦୀର୍ଘଦିନ ଧରି କାରିଗରି କାମ କରୁଥିବା ବେଳେ ସରକାରୀ ସହାୟତା କି କଳାକାର ଭତ୍ତା ମିଳୁ ନଥିବାରୁ ସୋମା କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପଟେ ସୋମାଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ପଳାଶୁଣୀ ପୂଜା କମିଟି ।

ସମ୍ବନ୍ଧିତ ଖବର