ଅଗଷ୍ଟ କ୍ରାନ୍ତି ଦିବସ, ଅଖଣ୍ଡ ଭାରତର ବହ୍ନି ପ୍ରଜ୍ଜ୍ବଳିତ ହେଉଥାଉ

ଭୁବନେଶ୍ବର: ଅଖଣ୍ଡ ଭାରତର ପୁନଃ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୧୯୪୭ରୁ ଖଣ୍ଡ ବିଖଣ୍ଡିତ ଦେଶକୁ ପୁନଃ ବିଶ୍ବ ବନ୍ଦନୀୟ ଭାରତରେ ପରିଣତ କରିବାର ସମୟ ଆସିଛି। ଏହି ଅଖଣ୍ଡ ଭାରତର ବହ୍ନି ଆମ ହୃଦୟରେ ନିରନ୍ତର ପ୍ରଜ୍ଜ୍ବଳିତ ହେଉଥାଉ। ଏଭଳି ବକ୍ତବ୍ୟ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ୍‌ କହିଲେ, କ୍ରାନ୍ତିର ଅର୍ଥ ରକ୍ତପାତ ନୁହେଁ, ବରଂ ପରିବର୍ତନ। ଭାରତକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ସ୍ବାଧୀନତା ସଂଗ୍ରାମରେ କିଏ ସ୍ବଦେଶୀ ବସ୍ତ୍ର ବୁଣୁଥିଲା ତ କିଏ ସତ୍ୟାଗ୍ରହରେ ସାମିଲ୍‌ ହୋଇଥିଲା। ଏହା ବି ଥିଲା କ୍ରାନ୍ତି। ଯାହା ‘ଭାବ’ରେ ଯୁକ୍ତ ଓ ‘ଅହଙ୍କାର’ରୁ ମୁକ୍ତ ଥିଲା ବୋଲି ସେ କହିଥିଲେ।

ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାର ଯେଉଁ ସ୍ଥାନକୁ ମହାତ୍ମା ଗାନ୍ଧୀ ଯାଇଛନ୍ତି ସେ ସ୍ଥାନକୁ ଗାନ୍ଧୀ ସର୍କିଟ୍‌ ଭାବେ ଘୋଷଣା କରାଯାଉଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହା ଡାକପାଳ ଡ. ସନ୍ତୋଷ କୁମାର କାମିଲା ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗୀୟ ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ ଓ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସମ୍ବଲପୁରର ୯୩ ବର୍ଷୀୟ ଦେବେନ୍ଦ୍ର ଗୁପ୍ତା, ଭଦ୍ରକର ୯୨ ବର୍ଷୀୟ ରାମହରି ଗୋସ୍ବାମୀ ଓ ଶ୍ୟାମସୁନ୍ଦର ବେହେରାଙ୍କୁ ସମ୍ବର୍ଧିତ କରାଯାଇଥିଲା। ରାଜ୍ୟ ଅଭିଲେଖାଗାର ଓ ପୂର୍ବାଞ୍ଚଳ ଜାତୀୟ ଅଭିଲେଖାଗାର ପୂର୍ବାଞ୍ଚଳ ଶାଖାର ମିଳିତ ସହଯୋଗରେ ଭାରତ ଛାଡ଼ ଆନ୍ଦୋଳନ ସମ୍ବନ୍ଧିତ ତଥ୍ୟ ଭିତ୍ତିକ ପ୍ରଦର୍ଶନୀ ଆକର୍ଷଣ ସାଜିଥିଲା। ଭାରତୀୟ ଡାକ ବିଭାଗ ପକ୍ଷରୁ ଗାନ୍ଧୀଜୀଙ୍କ ସମ୍ବନ୍ଧିତ ଡାକଟିକଟ ପ୍ରଦର୍ଶିତ ହୋଇଥିଲା। ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଡାକ ବିଭାଗ ପ୍ରସ୍ତୁତ ବିଶେଷ ଲଫାପା ‌ଉନ୍ମୋଚିତ ହୋଇଥିଲା। ସୁଚେତା ପ୍ରିୟଦର୍ଶିନୀ ସଭାକୁ ସଂଯୋଜନା କରିଥିଲେ। ଉଦ୍‌ଘାଟନୀ ସଭା ପରେ ପ୍ରାଚୀତାରାଙ୍କ ଦ୍ବାରା ଅଗଷ୍ଟ କ୍ରାନ୍ତି ଭିତ୍ତିକ ଗଳ୍ପ କଥନ ଓ ଅଭିନୟ ଦେଖିବାକୁ ମିଳିଥିଲା। ଶେଷରେ ଅନୁବାଦକ ଡ. ଯତୀନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ‘ଅଗଷ୍ଟ କ୍ରାନ୍ତି ଓ ଗାନ୍ଧୀଜୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅଭିରାମ ବିଶ୍ବାଳ, ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ପ୍ରହ୍ଲାଦ କୁମାର ସିଂହ ପ୍ରମୁଖ ଶୀର୍ଷକ ବିଷୟ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର