ସ୍କୁଲ୍‌ ଅଟୋକୁ ପିଟିଲା ଅଟୋ, ଅଳ୍ପକେ ବର୍ତିଗଲେ ୮ ଛାତ୍ର

ଖଣ୍ଡଗିରି: ମଙ୍ଗଳବାର ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ କଳିଙ୍ଗ ଷ୍ଟୁଡିଓ ଛକରେ ଏକ ସ୍କୁଲ ଅଟୋ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଅଟୋରେ ଥିବା ୮ ଜଣ କୁନି କୁନି ଛାତ୍ରଛାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଖଣ୍ଡଗିରି ଥାନା ପୁଲିସ ଉଦ୍ଧାର କରି ଫାଷ୍ଟଏଡ୍‌ ଚିକିତ୍ସା ଦେବା ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ପୂର୍ବାହ୍ଣରେ ଏକ ଅଟୋ ସ୍କୁଲ୍‌ ଅଟୋକୁ ଅତିକ୍ରମ କଲାବେଳେ ଭାରସାମ୍ୟ ହରାଇ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଅଟୋର ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ସେହି ଅଟୋରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ନିଅାଁ ଲିଭାଇବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲା। ୮ ଜଣ ଶିଶୁ ଏହି ଦୁର୍ଘଟଣାରୁ ବର୍ତି ଯାଇଥିଲେ ବି ଏହି ଅଘଟଣ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ ଧରଣର ଅଘଟଣ ଟଳି ଯାଇଥିଲେ ବି ଏଥିପାଇଁ ଅଭିଭାବକ, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନର ଦାୟିତ୍ୱହୀନତାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

ସୂଚନାନୁସାରେ ବରମୁଣ୍ଡାସ୍ଥିତ ଏକ ଶିଶୁମନ୍ଦିର ଛୁଟି ହେବା ପରେ ୮ ଜଣ ଛାତ୍ରଛାତ୍ରୀଙ୍କୁ ଘରେ ଛାଡ଼ିବାକୁ ଅଟୋ (ଓଆର୍‌୦୨ଏକ୍ସ–୯୪୭୬)ଟି ପାଇକରାପୁର ଅଞ୍ଚଳକୁ ଯାଉଥିଲା। କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଏହି ଅଟୋକୁ ଅନ୍ୟ ଏକ ଅଟୋ (ଓଆର୍‌୦୨ଏଜି-୧୨୫୬) ଅତିକ୍ରମ କରିବାକୁ ଉଦ୍ୟମ କଲାବେଳେ ଭାରସାମ୍ୟ ହରାଇ ସ୍କୁଲ ପିଲାଙ୍କ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଦୁଇଟିଯାକ ଅଟୋ ଓଲଟି ପଡ଼ିଥିଲା। ସ୍କୁଲ ପିଲାଙ୍କ ଅଟୋ ଚାଳକ ଗାଡ଼ିରୁ ବାହାରି ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲା। ଅଟୋ ଭିତରେ ୮ ଜଣଯାକ ଶିଶୁ ଚାପିଚୁପି ହୋଇଯାଇଥିଲେ ବି ସୌଭାଗ୍ୟକୁ ସମସ୍ତେ ଗାଡ଼ି ଭିତରେ ହିଁ ଥିଲେ। କେହି ବାହାରକୁ ଛିଟିକିି ପଡ଼ିି ନଥିଲେ। ତେଣୁ କାହାର କିଛି ବଡ଼ ଧରଣର କ୍ଷତି ହୋଇ ନଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ନିରାପଦରେ ବାହାର କରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପିଲାମାନଙ୍କୁ ନେଇ ସେମାନଙ୍କ ବିଦ୍ୟାଳୟରେ ପହଞ୍ଚାଇଥିଲା। ପୁଲିସ ସହାୟତାରେ ଶିକ୍ଷକମାନେ ଫାଷ୍ଟ ଏଡ୍‌ ଚିକିତ୍ସା କରାଇବା ସହ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। କିଛିି ପିଲାଙ୍କର ସାମାନ୍ୟ ଖଣ୍ଡିଆଖାବରା ହୋଇଥିଲେ ହେଁ ଚିକିତ୍ସା ପରେ ସେମାନେ ଘରକୁ ଫେରିିଛନ୍ତି। ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଅଟୋ ଚାଳକ ଭୟରେ ସେଠାରୁ ଫେରାର୍‌ ହୋଇଯାଇଥିଲା। ଛୋଟ ପିଲାଙ୍କ ଅଟୋକୁ ଧକ୍କା ଦେଇଥିବାରୁ ଉତ୍ତ୍ୟକ୍ତ ଲୋକେ ସେହି ଅଟୋରେ ନିଅାଁ ଲଗାଇ ଦେଇଥିଲେ। କିନ୍ତୁ ପୁଲିସ ନିଅାଁକୁ ଆୟତ୍ତ କରିଥିଲା। କିଛି ଯୁବକ ଘଟଣାସ୍ଥଳରେ ଗଣ୍ଡଗୋଳକୁ ବଢ଼ାଇବାକୁ ପାଇଁ ଉଦ୍ୟମ କରୁଥିବାରୁ ପୁଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ କରିନେଇଥିଲା। ଦୁର୍ଘଟଣା ନେଇ ଥାନାରେ ସ୍କୁଲ କର୍ତ୍ତୃପକ୍ଷ, ଅଟୋ ଚାଳକ କି କୌଣସି ଅଭିଭାବକ ଲିଖିତ ଅଭିଯୋଗ କରି ନଥିବା ଜଣାପଡ଼ିଛିି।

ସମ୍ବନ୍ଧିତ ଖବର