ମୋ ଇ-ରାଇଡ୍‌ ଯୋଜନା ବନ୍ଦ ଦାବିରେ ଅଟୋ ଶୋଭାଯାତ୍ରା

ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଥିବା ମୋ ଇ-ରାଇଡ୍‌ ଯୋଜନାକୁ ତୁରନ୍ତ ବନ୍ଦ କରିବା ଦାବିରେ ଆଜି ଲୋୟର ପିଏମ୍‌ଜିରେ ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଗ୍ରୁପ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ଅଟୋଚାଳକ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଅଟୋ ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରାଉ କରିବାକୁ ଯିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପରେ ସେମାନଙ୍କ ପ୍ରତିନିଧି ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସ୍ମାର୍ଟସିଟି ଅନ୍‌ଲାଇନ ଅଟୋ ଗ୍ରୁପ୍‌ର ସଭାପତି ଦୀନବନ୍ଧୁ ନାୟକଙ୍କ ଅଭିଯୋଗ ଅନୁଯାୟୀ, କରୋନା ମହାମାରୀ ସମୟରେ ଅଟୋ ଚାଳକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ତଥାପି ଏହାକୁ ଖାତିର ନକରି ସେମାନେ ରୋଗୀଙ୍କୁ ମେଡିକାଲ ନେବା, ଅମ୍ଳଜାନ ସିଲିଣ୍ଡର୍‌ ବୋହିବା, ରକ୍ତଦାନ ଭଳି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ନେଇଥିଲେ। ସେମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ଦିଆଗଲାନାହିଁ କି କରୋନା ଜନିତ ମୃତ୍ୟୁ ସହାୟତା ମିଳିଲା ନାହିଁ। ସେମାନେ ଫାଇନାନ୍‌ସ କମ୍ପାନିଙ୍କ ଜୁଲମର ଶିକାର ହେଉଥିବା ବେଳେ ସରକାର ସେମାନଙ୍କ ପାଇଁ ରେଟ୍‌ ଚାର୍ଟ କରୁନାହାନ୍ତି। ସେମାନେ ଏଭଳି ଦୁର୍ଦ୍ଦିନରେ ଗତି କରୁଥିବା ବେଳେ ସରକାର ମୋ ଇ-ରାଇଡ୍‌ ଆରମ୍ଭ କରିଛନ୍ତି। କ୍ରୁଟ୍‌ ପରିଚାଳିତ ବ୍ୟାଟେରି ଅଟୋ ଚଳାଚଳ ଦ୍ବାରା ସେମାନଙ୍କ ରୋଜଗାର ଓ ଜୀବନ ଜୀବିକା ପ୍ରଭାବିତ ହେବ। ଏହା ସେମାନଙ୍କ ପେଟକୁ ଲାତ ସଦୃଶ ହୋଇଛି। ସରକାର ସେମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା ନକରି ମୋ ଇ-ରାଇଡ୍‌ ଶୁଭାରମ୍ଭ କରିଛନ୍ତି। ତୁରନ୍ତ ରେଟ୍‌ ଚାର୍ଟ ପ୍ରକାଶ କରିବାକୁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର