ଯାଞ୍ଚରୁ ବର୍ତ୍ତିଲାନି ବିଏମ୍‌ସି ଗାଡ଼ି, ଅଟୋ ଚାଳକ ଦେବେ ୨୭,୫୦୦

ଭୁବନେଶ୍ୱର: ଗାଡ଼ି ଯାଞ୍ଚ ବେଳେ ଜରିମାନାରୁ ବିଏମ୍‌ସିର ଗାଡ଼ି ବର୍ତ୍ତି ନାହିଁ। ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ କାମ ପାଇଁ ଭଡ଼ାସୂତ୍ରରେ ଆସିଥିବା ଏକ ଟ୍ରକ୍‌କୁ ଆଜି ୧୫ ହଜାର ଟଙ୍କା ଜରିମାନା ହୋଇଛି। ନାଲ୍‌କୋ ଛକରେ ଆରଟିଓ-୨ ପକ୍ଷରୁ ହୋଇଥିବା ଯାଞ୍ଚ ବେଳେ ମାଲ୍‌ବାହୀ ଗାଡ଼ିରେ ଯାତ୍ରୀ ପରିବହନ କରୁଥିବାରୁ ୫ ହଜାର ଟଙ୍କା ଓ ପରମିଟ୍‌ ନଥାଇ ଚଳାଉଥିବାରୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଚାଳକ ସୁନ୍ଦରପଦାର ଶିବନାରାୟଣ ପ୍ରଧାନ ଟଙ୍କା ଦେଇ ପାରିନଥିବାରୁ ଗାଡ଼ିକୁ ଜବତ କରାଯାଇଛି। ବୈଧ କାଗଜପତ୍ର ଦେଖାଇବା ପରେ ଗାଡ଼ି ନେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଗାଡ଼ି ଭଡ଼ାସୂତ୍ରରେ ଲାଗିଥିବାରୁ ଏଥିରେ ବିଏମ୍‌ସିର କୌଣସି ସମ୍ପର୍କ ନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ବୈଧ କାଗଜପତ୍ର ଦାଖଲ ନ କରି କିଭଳି ସରକାରୀ ସଂସ୍ଥାରେ ଗାଡ଼ି ଭଡ଼ା ଲାଗିଥିଲା ପ୍ରଶ୍ନ ଉଠିଛି।

ସେହିଭଳି ଆରଟିଓ-୧ ପକ୍ଷରୁ ଯାଞ୍ଚ ବେଳେ ଆଜି ଏକ ଅଟୋ ଚାଳକକୁ ୨୭ ହଜାର ୫ଶହ ଟଙ୍କା ଜରିମାନା କରାଯାଇଛି। ଚାଳକ ହେଉଛି ଖୋର୍ଦ୍ଧା ବୋଲଗଡ଼ର କବୀନ୍ଦ୍ର ସାହୁ। ଏହାର ମାଲିକ ତମାଣ୍ଡୋ ବିଜିପୁରର ରବୀନ୍ଦ୍ର ସାହୁ। ବାଣୀବିହାର ଛକରେ ଯାଞ୍ଚ ଚାଲିଥିବା ବେଳେ ଅଟୋ ଧରାପଡ଼ିଥିଲା। ପ୍ରଦୂଷଣ ବାବଦକୁ ୧୦ ହଜାର ଜରିମାନା ହୋଇଥିବା ବେଳେ ପଞ୍ଜୀକରଣ ହୋଇନଥିବାରୁ ୫ ହଜାର, ପରମିଟ୍‌ ନଥିବାରୁ ୧୦ ହଜାର, ବୀମା ନଥିବାରୁ ୨ ହଜାର ଏଭଳି ୨୭ ହଜାର ୫ଶହ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଅଟୋ ଚାଳକ ଜରିମାନା ଦେଇପାରିନଥିବାରୁ ଅଟୋ ଜବତ ହୋଇଛି।

ସମ୍ବନ୍ଧିତ ଖବର