ମାଷ୍ଟରକ୍ୟାଣ୍ଟିନ୍‌ରେ ଅଟୋଚାଳକଙ୍କ ତୁମୁଳକାଣ୍ଡ: ଦେଢ଼ ଘଣ୍ଟା ଅଟକିଗଲା ସ୍ମାର୍ଟ ଜନପଥ, କାର୍ ଚାଳକଙ୍କୁ ଟାଣି ଆଣି ପିଟିଲେ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଅଟୋଷ୍ଟାଣ୍ଡ ଉଚ୍ଛେଦକୁ ବିରୋଧ କରି ଆଜି ଶତାଧିକ ଅଟୋଚାଳକ ହଙ୍ଗାମା ସୃଷ୍ଟି କରିଥିଲେ। ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକରେ ଶହଶହ ଅଟୋ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ଦେଢ଼ ଘଣ୍ଟା କାଳ ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ସ୍ମାର୍ଟ ଜନପଥର ଏହି ସମ୍ବେଦନଶୀଳ ତଥା ଜନଗହଳିପୂର୍ଣ୍ଣ ଛକରେ ଅଟୋଚାଳକମାନେ ଘଣ୍ଟା ଘଣ୍ଟା ଧରି ହଜାର ହଜାର ଲୋକଙ୍କୁ ହଇରାଣ କରିଥିଲେ ବି ପୁଲିସ ହାତ ଟେକି ଦେଇଥିଲା।
ସ୍ମାର୍ଟ ଜନପଥରେ ରାସ୍ତା ପ୍ରଶସ୍ତୀକରଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଆଜି ଉଚ୍ଛେଦ କାର୍ଯ୍ୟକ୍ରମ ଥିଲା। ମଧ୍ୟାହ୍ନରେ ବିଏସ୍‌ସିଏଲ୍‌ ଉଚ୍ଛେଦ ସ୍କ୍ବାଡ୍‌ ପୁଲିସ ବଳ ସହ ଛକରେ ପହଞ୍ଚିଥିଲେ। କିନ୍ତୁ ହଠାତ୍ ଆରମ୍ଭ ହୋଇଥିଲା ଅଟୋଚାଳକମାନଙ୍କ ବିକ୍ଷୋଭ। ସେମାନେ ଉଚ୍ଛେଦ ସ୍କ୍ବାଡକୁ ଘେରିଯାଇଥିଲେ। ପ୍ରାୟ ୧୨ ଶହ ଅଟୋ ମାଷ୍ଟରକ୍ୟାଣ୍ଟିନ୍‌ ଛକର ଚାରିକଡ଼ରେ ରାସ୍ତା ଉପରେ ସଜେଇ ହୋଇ ରହିଯାଇଥିଲା। ଏଥିଯୋଗୁଁ ଉକ୍ତ ଛକରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ଶ୍ରୀୟା ଟକିଜ୍ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ଓ ରାଜମହଲରୁ ଏହି ଛକ ପର୍ଯ୍ୟନ୍ତ ହଜାର ହଜାର କାର୍‌, ବାଇକ୍‌ ଫସି ରହିଥିଲେ। ଏମିତିକି ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିଲା। ସ୍କୁଲ ଛୁଟି ସମୟ ହୋଇଥିବାରୁ ଶହ ଶହ ସଂଖ୍ୟାରେ ସ୍କୁଲ୍, କଲେଜ ଛାତ୍ରଛାତ୍ରୀ ଫସି ଯାଇଥିଲେ। ଏହି ସମୟରେ ଜଣେ କାର୍‌ ଚାଳକ ଜାଣିନପାରି ଗାଡ଼ି ଭିତରକୁ ପୂରାଇ ଦେଇଥିଲେ। ଏକ ଜରୁରୀ କାର୍ଯ୍ୟ‌ ଥିବା କହୁଥିଲେ ବି ଅଟୋଚାଳକମାନେ ତାଙ୍କୁ କାର୍‌ ଭିତରୁ ଟାଣି ଆଣି ପିଟି ପକାଇଥିଲେ। ଅଟୋଚାଳକମାନେ ଏମିତି ଅଭାବନୀୟ କାଣ୍ଡ ଘଟାଉଥିଲେ ବି ପୁଲିସ ବଳ ନିରବଦ୍ରଷ୍ଟା ସାଜିଥିଲା।

ଅଟୋଚାଳକମାନଙ୍କ ଅଭିଯୋଗ ଯେ ଉଚ୍ଛେଦ ପାଇଁ ସେମାନଙ୍କୁ ପୂର୍ବରୁ ନୋଟିସ୍ ଦିଆଯାଇନଥିଲା। ସେମାନେ ବର୍ଷ ବର୍ଷ ଧରି ଏହି ଛକରେ ରହି ଲୋକଙ୍କୁ ସେବା ଯୋଗାଉଥିବା ସହ ସେମାନଙ୍କ ପରିବାର ଭରଣପୋଷଣ କରୁଛନ୍ତି। ତେଣୁ ସେମାନଙ୍କୁ ସେହି ଛକରେ ହିଁ ଥଇଥାନ କରିବାକୁ ସେମାନେ ଦାବି କରିଥିଲେ। ଏହି ଛକ ପାର୍କିଂରେ ସେମାନଙ୍କୁ ଅଟୋ ରଖିବାକୁ ସୁଯୋଗ ଦେବାକୁ ସେମାନେ ଦାବି କରିଥିଲେ। ବିଏସ୍‌ସିଏଲ୍‌ ଅଧିକାରୀଙ୍କ ସୂଚନାନୁସାରେ ଏହି ଉଚ୍ଛେଦ ପାଇଁ ସେମାନଙ୍କୁ ପୂର୍ବରୁ ନୋଟିସ୍ ଦିଆଯାଇଥିଲା। ମାତ୍ର ସେମାନେ ଏବେ ମାନୁନାହାନ୍ତି। ତେବେ ଶେଷରେ ଖାରବେଳନଗର ଥାନା ଅଧିକାରୀ ଅରୁଣ କୁମାର ସାହୁ ଓ ବିଏସ୍‌ସିଏଲ୍‌ ଅଧିକାରୀ ସେମାନଙ୍କ ସହ ଆଲୋଚନା କରି ରାସ୍ତାର ବାମ ପାର୍ଶ୍ବରେ ଅଟୋ ପାର୍କିଂ କରିବାକୁ ସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅଟୋଚାଳକମାନେ ରାସ୍ତା ଅବରୋଧରୁ ହଟିଥିଲେ।

ପୂର୍ବରୁ ଯାଇଛି ଦୁଇ ଜୀବନ
ପୂର୍ବରୁ ବାଣୀବିହାର ଛକରେ ଏକ ଛାତ୍ର ବିକ୍ଷୋଭ ବେଳେ ଜାମ୍‌ରେ ଫସିଥିବା ଏକ କାର୍‌ ଭିତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଠିକ୍‌ ସେମିତି ଗତ କିଛି ବର୍ଷ ତଳେ ବିକ୍ଷୋଭସ୍ଥଳରେ ଏକ ଆମ୍ବୁଲାନ୍‌ସ ଫସି ଯିବାରୁ ସେଥିରେ ଥିବା ଜଣେ ବାଳକର ଜୀବନଦୀପ ଲିଭି ଯାଇଥିଲା। ଆଜି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଠିକ୍‌ ସେମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନ ବାବଦରେ ଜଣାନଥିବାରୁ ହଜାର ହଜାର ଲୋକ ଏହି ଛକ ଦେଇ ଯାଉଥିଲେ। ମାତ୍ର ହଠାତ୍ ଅଟୋଚାଳକମାନେ ଛକକୁ ଅବରୋଧ କରିଦେଲେ। ଫଳରେ ବିଚରା କାର୍ ଚାଳକ ଆକ୍ରମଣର ଶିକାର ହେଲେ ଓ ଲୋକେ ଦହଗଞ୍ଜ ହେଲେ। ଏଥିପାଇଁ ଲୋକେ ପୁଲିସକୁ ଦାୟୀ କରିଛନ୍ତି। ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜଧାନୀରେ ପ୍ରତିଦିନ ଆନ୍ଦୋଳନ ହେଉଛି। ବିଭିନ୍ନ ଛକରେ ବିକ୍ଷୋଭ ଅନୁଷ୍ଠିତ ହେଉଛି। ତେଣୁ ପୁଲିସ ଗୁଇନ୍ଦା ବିଭାଗ ସତର୍କ ରହିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର