ଭୁବନେଶ୍ବର,୨୬/୭(ଇମିସ): କରୋନା ସଂକଟ କାଳରେ ଫାଇନାନ୍ସ କମ୍ପାନିମାନେ ଋଣ ଆଦାୟ କରିବା ପାଇଁ କରୁଥିବା ଜୁଲମ୍ ବିରୋଧରେ ଆଜି ଅନ୍ଲାଇନ୍ ଅଟୋ ଚାଳକମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାସ୍ତା ଉପରେ ଗାଡ଼ି ରଖି ଥାଳି ବାଡ଼େଇବା ସହ ଭିକ ମାଗି ଆନ୍ଦୋଳନ କରିଛନ୍ତି। କିସ୍ତି କୋହଳ କରିବା ସହ ସୁଧ ଛାଡ଼ କରିବା ଭଳି ଅନ୍ୟାନ୍ୟ ଦାବିରେ ସେମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ସହଯୋଗ କରିବାକୁ ସେମାନେ ଦାବି ରଖିଛନ୍ତି।
ସ୍ମାର୍ଟ ସିଟି ଅନ୍ଲାଇନ୍ ଅଟୋ ଗ୍ରୁପ୍ ସଂଘର ଅଧ୍ୟକ୍ଷ ଦୀନବନ୍ଧୁ ନାୟକଙ୍କ ଅଭିଯୋଗ ଅନୁସାରେ; କରୋନା ପାଇଁ ଲକ୍ଡାଉନ୍ ସଟ୍ଡାଉନ୍ ଲାଗୁ ହୋଇଥିବାରୁ ସେମାନଙ୍କ ଅଟୋ ଚଳାଚଳ ବନ୍ଦ ହୋଇଯାଇଛି। ସେମାନଙ୍କ ଅଟୋ କେବଳ ଅନ୍ଲାଇନ୍ ବୁକିଂ ଉପରେ ନିର୍ଭର କରୁଛି। ମାତ୍ର କରୋନା ପାଇଁ ଲୋକେ ବା ଯାତ୍ରୀମାନେ ଅନ୍ଲାଇନ୍ ଅଟୋ ଭଡ଼ା କରିବାକୁ ଇଚ୍ଛା କରୁନାହାନ୍ତି। ଫଳରେ ସେମାନେ ରୋଜଗାର ହରାଇ ଘରେ ବସିଛନ୍ତି। ପରିବାର ଚଳାଇବାକୁ ପାଖରେ ପଇସାଟିଏ ନାହିଁ। ଭୋକ ଉପାସରେ ପିଲାଛୁଆ ଘରେ ପଡ଼ିଛନ୍ତି। ଅଥଚ ଏଭଳି ନିଅଣ୍ଟିଆ ସମୟରେ ଫାଇନାନ୍ସ କମ୍ପାନିମାନେ ସେମାନଙ୍କ ଉପରେ ଜୁଲମ୍ ଚଳାଇ ଆସୁଛନ୍ତି। ମାସିକ କିସ୍ତି ଦାବି କରି ଗାଳିମନ୍ଦ କରୁଛନ୍ତି। ରାସ୍ତାରୁ ଗାଡ଼ି ଛଡ଼ାଇ ନେଉଛନ୍ତି। ତେଣୁ ଭଡ଼ାଟିଏ ମିଳିଲେ ବି ଗାଡ଼ି ଧରି ରାସ୍ତାକୁ ଆସିବାକୁ ଭୟ ଲାଗୁଛି।
ରୋଜଗାର ନଥିବାରୁ ପରିବାର ଚଳାଇବା କଷ୍ଟ ଓ ତା’ ସାଙ୍ଗକୁ ଫାଇନାନ୍ସ କମ୍ପାନିମାନଙ୍କ ଜୁଲମ୍ ସେମାନଙ୍କ ଜୀବନକୁ ଦୁର୍ବିଷହ କରିପକାଇଛି। ତେଣୁ ଏଭଳି ସ୍ଥିତିରେ କେବଳ ରାଜ୍ୟ ସରକାର ସେମାନଙ୍କ ସାହା ଭରସା ବୋଲି ସେମାନେ କହିଛନ୍ତି। ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇ କିସ୍ତି କୋହଳ କରିବା ସହ ସୁଧ ଛାଡ଼ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହିତ ଲକ୍ଡାଉନ୍ ୨ ମାସର କିସ୍ତିକୁ ୬ ମାସ ଘୁଞ୍ଚାଇବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ସର୍ବୋପରି ପୂରା କିସ୍ତିର ଅବଧି ଆଉ ୨ ବର୍ଷ ବଢ଼ାଇ ଦିଆଯାଉ ବୋଲି ସଂଘ ଦାବି କରିଛି।