ଭୁବନେଶ୍ବର,: ଟେଷ୍ଟିଂ ଟ୍ରାକ୍ରେ ଭୁଲ୍ ଗାଡ଼ି ଚାଳନା କରି ଆଉ ଲର୍ଣ୍ଣର୍ସ ଖସି ପାରିବେ ନାହିଁ। ନିୟମ ମୁତାବକ ସେମାନେ ଗାଡ଼ି ଠିକ୍ ଚଳାଉଛନ୍ତି କି ନାହିଁ? କେଉଁଠି କେଉଁଠି ତ୍ରୁଟି ରହୁଛି, ଏ ସବୁର ଟିକିନିଖି ଯାଞ୍ଚ ହେବ। ଏଣିକି ଅଟୋ ଡ୍ରାଇଭିଂ(ସ୍ବୟଂକ୍ରିୟ) ଟେଷ୍ଟିଂ ଟ୍ରାକ୍ରେ ଗାଡ଼ି ଚାଳନା ପରୀକ୍ଷା ହେବ। ପ୍ରଥମଥର ପାଇଁ ଖୋର୍ଦ୍ଧାସ୍ଥିତ ଆର୍ଟିଓ ଅଫିସ୍ ପରିସରରେ ଏହି ଟ୍ରାକ୍ ନିର୍ମାଣ ହେବାକୁ ଯାଉଛି।
ଏହି ଟ୍ରାକ୍ରେ ଉଭୟ ବାଇକ୍ ଓ କାର୍ ଚାଳକ ଗାଡ଼ି ଚାଳନା ପରୀକ୍ଷା ଦେବେ। ଏଥିପାଇଁ ସେଠାରେ ଜମି ଚିହ୍ନଟ ହୋଇଛି। ଦେଢ଼ ଏକର ଜମିରେ ଏହି ଟ୍ରାକ୍ ତିଆରି ହେବ। ଏଥିପାଇଁ ପୁଣେର ଏକ ସଂସ୍ଥା ‘ସିଆଇଆର୍ଟି’ ଏହି ଟ୍ରାକ୍କୁ ନିର୍ମାଣ କରିବ। ଟ୍ରାକ୍ଟି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ ହେବ। ଯେଉଁଥିରେ ଏକାଧିକ କ୍ୟାମେରା ଲାଗିବା ସହ କମ୍ପ୍ୟୁଟର ଦ୍ବାରା ପରିଚାଳିତ ହେବ। ଲର୍ଣ୍ଣର୍ସ ପରୀକ୍ଷା ଦେବା ସମୟରେ କ୍ୟାମେରା ସେମାନଙ୍କ ଉପରେ ନଜର ରଖିବ। ଯେଉଁଠି ତ୍ରୁଟି ହେବ, ତାହା ଚିହ୍ନଟ କରି କମ୍ପ୍ୟୁଟରରେ ଦର୍ଶାଇବ। ପୂର୍ବରୁ ପରୀକ୍ଷା ଦେବା ବେଳେ ଚାଳକ ତ୍ରୁଟି କରୁଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ କୋହଳ କରି ଦିଆଯାଉଥିଲା। ଟେଷ୍ଟ ଡ୍ରାଇଭ୍ରେ ପାସ୍ କରାଇ ଦିଆଯାଉଥିଲା। ହେଲେ ଅଟୋ ଡ୍ରାଇଭିଂ ଟେଷ୍ଟିଂରେ ଆଉ ସେମିତି ଅନିୟମିତତା ହୋଇପାରିବ ନାହିଁ। ପରୀକ୍ଷା ଦେବା ସମୟରେ ହିଁ ସମସ୍ତ ତଥ୍ୟ କମ୍ପ୍ୟୁଟର୍ରେ ଫିଡ୍ ହୋଇଯିବ। ଏହାଛଡ଼ା ଏହି ନୂଆ ଟ୍ରାକ୍ ଫଳରେ କମ୍ ସମୟରେ ବହୁ ଲର୍ଣ୍ଣର୍ସ ପରୀକ୍ଷା ଦେଇପାରିବେ। ଟ୍ରାକ୍ ନିର୍ମାଣ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।