‘ଆଜ୍ଞା ଆଜି ଅଟୋ ଭଡ଼ା ଫ୍ରି…’

ଭୁବନେଶ୍ବର : ବନ୍ଦେ ମାତରଂ… ଆସନ୍ତୁ ଆଜ୍ଞା… ଆଜି ଅଟୋ ଭଡ଼ା ଫ୍ରି… ଆସନ୍ତୁ…। ଜଣେ ୪୦ ବର୍ଷୀୟ ବୟସ୍କ ବ୍ୟକ୍ତି ନିଜ ଅଟୋରେ ଏକ ପୋଷ୍ଟର ମାରି ଜାତୀୟ ପତାକା ଉଡ଼ାଇ ଯାତ୍ରୀମାନଙ୍କୁ ମାଗଣାରେ ନେବା ପାଇଁ ଡାକୁଥିବା ଦେଖି ଆମେ କିଛି କ୍ଷଣ ଅଟକିଗଲୁ। କିଛି ଯାତ୍ରୀମାନେ ଯେବେ ତାଙ୍କ ଅଟୋ ନିକଟକୁ ଆସି କାରଣ ଅଧିକ ଜାଣିବାକୁ ତାଙ୍କ ପାଖରେ ପହଞ୍ଚିବାରୁ ସେ ବଖାଣିଥିଲେ ବାକି କଥା। ନାଁ ତାଙ୍କର ସୁକାନ୍ତ କୁମାର ମଲ୍ଲିକ। ଘର ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ରେଞ୍ଚ ଶାସନରେ। ଏଭଳି ଚିନ୍ତା କାହିଁକି ମନକୁ ଆସିଲା ବୋଲି ପଚାରିବାରେ ସେ କହିଥିଲେ, ଆଜ୍ଞା ସବୁ‌ ଦିନେ ତ ବେପାର କରୁଛୁ। ହେଲେ ସେ ଜୀବନରେ କି ସାର୍ଥକତା। ତେଣୁ ବେଳେବେଳେ ଭଲ ଖୁସିର ଦିନରେ ଯାତ୍ରୀମାନଙ୍କୁ ନେବାରେ ଯୋଉ ଆନନ୍ଦ ତାହା ସାରା ବର୍ଷର ବେପାରରେ ମିଳେ ନାହିଁ। ଆଜି ବି ମୋ ଜନ୍ମଦିନ। ତେଣୁ କିଛି ଭଲ କାମ କରିବାର ଉଦ୍ଦେଶ୍ୟ ରଖି ‌ଏସବୁର ଆୟୋଜନ। ଏହା ଆଗରୁ‌ ଯେବେ ଭାରତୀୟ ଯବାନ ଅଭିନନ୍ଦନ ମୁକୁଳିଲେ ସେତେବେଳେ ମଧ୍ୟ ୨ ଦିନ ଅଟୋ ଯାତ୍ରୀମାନଙ୍କୁ ଏହିପରି ମାଗଣା‌ ସେବା ଦେଇଥିଲି। ଗତ ସପ୍ତାହରେ କାଉଡ଼ିଆମାନଙ୍କୁ ମଧ୍ୟ ରବିବାର ଓ ସୋମବାର ମାଗଣାରେ ନେଇଥିଲି।

ଏଥିପାଇଁ ମତେ କେହି କହି ନାହିଁ କି ପ୍ରୋତ୍ସାହିତ କରିନାହିଁ। ‌ମାତ୍ର ଯେବେ ଦେଶର କିଛି ମଙ୍ଗଳମୟ କାର୍ଯ୍ୟ ହୁଏ, ଦେଶର ଜନତା ହିସାବରେ ମୋ’ର ମଧ୍ୟ କିଛି କର୍ତବ୍ୟ ରହିଛି ବୋଲି ଭାବେ। ତେଣୁ ମୋ ବାଟରେ, ସାମର୍ଥ୍ୟ ମୁତାବକ ମତେ ଏଭଳି ମାଗଣା ଅଟୋ ସେବା ଦେବାକୁ ଭଲ ଲାଗେ ବୋଲି ସୁକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର