ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ କୋଭିଡ୍‌ ପାଇଁ ମାତ୍ର ୨ଜଣ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋରିକ୍ସା ମହାସଂଘ ଦରବୃଦ୍ଧି କରିଛି। ମହାସଂଘର ନିଷ୍ପତ୍ତି ଅନୁସା‌ରେ, ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରିଜର୍ଭେସନ୍‌ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୫ ଟଙ୍କା ଧାର୍ଯ୍ୟ କରାଯାଇଛି। ମହାସଂଘର ସାଧାରଣ ସଂପାଦକ ବିଜୟ କୁମାର ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦେଇଛନ୍ତି।

Advertisment

ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଦୀର୍ଘ ବର୍ଷ ହେଲା ଅଟୋରିକ୍ସା ଯାତ୍ରୀ ପରିବହନ ଦରବୃଦ୍ଧି ପାଇଁ ମହାସଂଘ ଦାବି କରି ଆସୁଛି। କିନ୍ତୁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏନେଇ ନିରବ ରହି ଆସିଛି। ୨୦୦୫ ମସିହା ପରେ ଆଉ ଦରଧାର୍ଯ୍ୟ ହୋଇନାହିଁ। ଫଳରେ ଅଟୋରିକ୍ସା ଚାଳକମାନେ ବିନା ଦରଧାର୍ଯ୍ୟରେ ଅଟୋ ଚାଳନା କରୁଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଭୁଲ୍‌ ବୁଝାମଣା ଓ ଯାତ୍ରୀମାନଙ୍କ ସହ ଦରବୃଦ୍ଧି ପାଇଁ ଝଗଡ଼ା ହେଉଛି। ତେଣୁ ମହାସଂଘ ଏହି ଦରବୃଦ୍ଧି ନିଷ୍ପତ୍ତି ନେଇଛି।