ଅଟୋରିକ୍ସା ନା ଚଳନ୍ତା ପାର୍କ ! ଏକ ଚଳନ୍ତା ପାର୍କ ବୁଲୁଛି ରାଜଧାନୀର ରାଜରାସ୍ତାରେ

ଭୁବନେଶ୍ବର: ବାହାରକୁ ଏକ ଅଟୋରିକ୍ସା। କିନ୍ତୁ ଭିତରେ ବସିଗଲେ ଏକ ଚଳନ୍ତା ପାର୍କ ଭଳି ଅନୁଭବ ହେବ। ସୁନ୍ଦର ସୁନ୍ଦର ଔଷଧୀୟ ଗଛ, ଗଛରେ ଫୁଟନ୍ତା ଫୁଲର ମହକ ସାଙ୍ଗକୁ ପକ୍ଷୀଙ୍କ କାକଳି ଶୁଣିଲେ, କିଏ ବା ତାକୁ ପାର୍କ ବୋଲି ନ କହିବ! ପଞ୍ଜୁରୀ ଭିତରେ ଲଭ୍‌ ବାର୍ଡ, ବାଇଚଢ଼େଇ ଓ କିରା ଚଢ଼େଇଙ୍କ କିଚିରିମିଚିର ଶବ୍ଦ ଓ ବିଭିନ୍ନ ପ୍ରକାର ସୁଗନ୍ଧିତ ଫୁଲ ଗହଣ ବସି ଯାତ୍ରା କରୁଥିବାବେଳେ କିଏ ବା ବାହାରକୁ ଆଖି ପକାଇବାକୁ ମନ କରିବ! ଅଟୋ ଭିତରେ ଏହି ମିନି ପାର୍କ ଉପରୁ ନଜର ହଟେଇ କିଏ ବା ରାଜଧାନୀର କଂକ୍ରିଟ୍‌ ଜଙ୍ଗଲକୁ ଚାହିଁବାକୁ ଇଛା କରିବ! ଏମିତି ଏକ ଚଳନ୍ତା ପାର୍କ ବୁଲୁଛି ରାଜଧାନୀର ରାଜରାସ୍ତାରେ। ବିଶ୍ବାସ ନ ହେଲେ ମଧ୍ୟ ସତ। ସୁଜିତ୍ ଦିଗଲ୍‌ଙ୍କ ଏହି ଅଟୋ ତଥା ଚଳନ୍ତା ପାର୍କ ଏବେ ବେଶ୍ ଚର୍ଚ୍ଚାରେ।

ଫୁଲବାଣୀରୁ ଆସି ଭୁବନେଶ୍ବରରେ ଗତ ଦୁଇ ବର୍ଷ ହେଲା ସୁଜିତ୍ ଅଟୋ ଚଳାଉଛନ୍ତି। ତାଙ୍କ କହିବା କଥା ପ୍ରଥମେ ପ୍ରଥମେ ନୂଆ ସହରରେ ତାଙ୍କୁ ପୁରା ଏକୁଟିଆ ଏକୁଟିଆ ଲାଗୁଥିଲା। ଅଟୋରେ ଯାତ୍ରୀ ନଥିବାବେଳେ ବାପାମା’ ଭାଇଭଉଣୀଙ୍କ କଥା ମନେ ପଡ଼ୁଥିଲା। ପୂର୍ବରୁ ଗଛପତ୍ର, ପଶୁପକ୍ଷୀ ଓ ପ୍ରକୃତି ପ୍ରତି ତାଙ୍କର ଅହେତୁକ ଦୂର୍ବଳତା ଥିଲା। ତେଣୁ ତାଙ୍କ ମୁଣ୍ଡକୁ ହଠାତ୍ ଏକ ନୂଆ କଥା ଜୁଟିଲା। ଅଟୋରେ ସେହିମାନଙ୍କୁ ରଖି ପାରିଲେ, ଯାତ୍ରୀମାନଙ୍କୁ ଆକର୍ଷଣ କରିବା ପାଇଁ ଏହା ଏକ ଅଭିନବ ବାଟ ହୋଇପାରିବ ଓ ତାଙ୍କ ଏକଲା ପଣ ଦୂର ହୋଇପାରିବ ବୋଲି ସେ ଚିନ୍ତା କଲେ। ତେଣୁ ସେ ୨୦୨୦ ନୂଆବର୍ଷଠାରୁ ଏହି କାର୍ଯ୍ୟରେ ଲାଗିପଡ଼ିଲେ। ଅଟୋରେ ଗୋଟିଏ ଗୋଟିଏ ଫୁଲକୁଣ୍ଡ ଆଣି ଗଛ ଲଗାଇ ରଖିଲେ। ପରେ ପରେ ଅଟୋରେ ଘିଁ କୁଆଁରୀ ଗଛଠାରୁ ଆରମ୍ଭ କରି ବିଭିନ୍ନ ଫୁଲଗଛ, ଟେବୁଲ୍‌ ପ୍ଲାଣ୍ଟ୍‌, ମନି ପ୍ଲାଣ୍ଟ୍‌, ସିଜିନ୍‌ ଫ୍ଲାୱାର୍‌ ଓ ବିଭିନ୍ନ ରକମର ୧୨ଟି ଗଛ ଲଗାଇଲେ। ଏଥିସହ ଚଢ଼େଇ ରଖିବା ମଧ୍ୟ ଆରମ୍ଭ କଲେ। ୨ଟା ପଞ୍ଜୁରୀରେ ୩ଟା ଲଭ୍‌ ବାର୍ଡ, ବାଇ‌ଚଢେଇ, କିରା ଆଦି ୭ଟା ଚଢ଼େଇ ରଖିଲେ। ଗୋଟେ ଆକ୍ବାରିୟମ୍‌ରେ ମାଛ ବି ରଖିଲେ। ଫଳରେ ତାଙ୍କ ଅଟୋ ଏକ ମିନି ପାର୍କ ହୋଇଗଲା। ଏହା ଦ୍ବାରା ‌ତାଙ୍କୁ ଆଉ ଏକୁଟିଆ ଅନୁଭୂତ ହେଉନାହିଁ। ଏହା ତାଙ୍କ ପରିବାର ହୋଇ ଯାଇଛି ବୋଲି ସେ କହିଛନ୍ତି।

ଫଳରେ ଏଣିକି ତାଙ୍କ ଅଟୋରେ ଯାତ୍ରୀମାନେ ଆଉ ଚୁପ୍‌ଚାପ୍‌ ବସୁ ନାହାନ୍ତି। ତାଙ୍କ ସହ ଗପସପ ହୋଇ ଯାତ୍ରା କରୁଛନ୍ତି। ଅଟୋରେ ଫୁଲକୁଣ୍ଡ, ପଞ୍ଜୁରୀ ଓ ଆକ୍ବାରିୟମ୍‌ ଆଦି ରହିଥିବାରୁ ସେ ଅଟୋରେ ଖୁନ୍ଦାଖୁନ୍ଦି କରି ଯାତ୍ରୀ ନିଅନ୍ତି ନାହିଁ। ଅତିବେଶୀରେ ୩ ଜଣ ଯାତ୍ରୀଙ୍କୁ ସେ ଅଟୋରେ ବସାନ୍ତି। ଏବେ କରୋନା କଟକଣା ପାଇଁ ମୁହଁରେ ମାସ୍କ ନଥିଲେ ସେ ଯାତ୍ରୀ ଉଠାଉନାହାନ୍ତି। ଅଟୋରେ ବସିବା ପୂର୍ବରୁ ଯାତ୍ରୀମାନଙ୍କୁ ସାନିଟାଇଜର୍‌ ଦେଉଛନ୍ତି। ବଡ଼ କଥା ହେଉଛି ପଟିଆ ରାସ୍ତାରେ ଏବେ ସୁଜିତ୍‌ଙ୍କ ଅଟୋକୁ ବହୁ ଯାତ୍ରୀ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ଅଟୋରେ ବସିବା ମଉକା ପାଇଲେ, ଯାତ୍ରୀମାନେ ଖୁସି ହେଉଛନ୍ତି।

ସମ୍ବନ୍ଧିତ ଖବର