୧୦ ମହିଳାଙ୍କୁ ଅଭିରୁଚି ନାରୀ ପ୍ରତିଭା ସମ୍ମାନ

ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ ବିଶ୍ବ ମହିଳା ଦିବସ

ଭୁବନେଶ୍ବର: ପୂର୍ବରୁ ନାରୀମାନଙ୍କୁ ନେଇ ସମାଜରେ ଅନେକ ଋଢ଼ିବାଦୀ ରହିଥିଲେ ବି ସେତେବେଳେ ନାରୀ ସୁରକ୍ଷିତ ଥିଲା। ନାରୀ ଥିଲା ଦେବୀ ପଦବାଚ୍ୟ। ଧୀରେଧୀରେ କିଛି ଆକ୍ରମଣକାରୀ ଓ ଉତ୍ସୃଙ୍ଖଳ ବ୍ୟକ୍ତିଙ୍କଠାରୁ ନିଜ କନ୍ୟାକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହେଲା ବାଲ୍ୟବିବାହ ଓ ପରଦା ପ୍ରଥା ଭଳି ବହୁ କୁସଂସ୍କାର। ସମାଜ ପୁଣି ପରିବର୍ତ୍ତନମୁହାଁ ହୋଇଥିବା ବେଳେ ନାରୀମାନେ ବହୁ କ୍ଷେତ୍ରରେ ଆଗକୁ ବଢ଼ି ଦିନ ଅସ୍ତିତ୍ବ ଜାହିର କଲେଣି। ପୁରୁଷ-ନାରୀ ମଧ୍ୟର ସେଇ ଗାଢ଼ ରେଖା ଆସ୍ତେ ଆସ୍ତେ ଫିକା ପଡ଼ିବାକୁ ଲାଗିଥିଲେ ବି ମହିଳା ଏବେ ବି ଅସୁରକ୍ଷିତ ହୋଇପଡ଼ିଛି। ତା’ ସୁରକ୍ଷା ପାଇଁ ସବୁବେଳେ ପୁରୁଷଟିଏ ତାକୁ ଜଗି ରହୁଛି।

ଏହି ସ୍ଥିତିକୁ ବଦଳାଇବାର ସମୟ ଆସିଛି। ‘ସତ୍ୟନଗର ଲେଡିଜ୍‌ ଫୋରମ୍‌’ ପକ୍ଷରୁ ବିଶ୍ବ ମହିଳା ଦିବସ ଅବସରରେ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ‘ଅଭିରୁଚି ନାରୀ ପ୍ରତିଭା ସମ୍ମାନ’ ସମାରୋହରେ ଅତିଥି ଭାବେ ଯୋଗ ଦେଇ ଅତିଥିମାନେ ଏହା କହିଛନ୍ତି। ନାରୀକୁ ସମ୍ମାନ; ଏହି ସଂସ୍କାର ପ୍ରତିଟି ଘରୁ ଆରମ୍ଭ ହେଉ ବୋଲି ସମୟ ଏବେ ଆହ୍ବାନ ଦେଉଥିବା ଅତିଥିମାନେ ମତ ପୋଷଣ କରିଛନ୍ତି। କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖିକା ପ୍ରେମଲତା ଦେବୀ, ସମାଜସେବୀ ଅନୁରାଧା ମହାନ୍ତି ଓ ଶିଶୁ ନ୍ୟାୟ କମିଟି ସଦସ୍ୟା ଜୟଶ୍ରୀ ମହାପାତ୍ର ପ୍ରମୁଖ ଯୋଗଦେଇ ସମାଜରେ ନାରୀର ଭୂମିକା ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ୧୦ ବିଶିଷ୍ଟ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ସୁଶୀଲାବାଲା ପହିଙ୍କୁ ‘ଅଭିରୁଚି ସମାଜସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିବା ବେଳେ ବନିତା ମହାରଣାଙ୍କୁ ‘ଅଭିରୁଚି କର୍ମଣୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ସ୍ମାରକୀ ମହାନ୍ତି, ଶ୍ରୁତକୀର୍ତ୍ତି ତ୍ରିପାଠୀ, କବିତା ମହାନ୍ତି, ସୁସ୍ମିତା ମିଶ୍ର, ସୌମ୍ୟା ପରିଡ଼ା, ସୁସ୍ମିତା ସାହୁ, ଛନ୍ଦା ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ‘ମହିଳା କରୋନା ଯୋଦ୍ଧା ସମ୍ମାନ’ରେ ‘ସମ୍ବାଦ’ର ସାମ୍ବାଦିକା ସସ୍ମିତା ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଅନୁଷ୍ଠାନର ସଂପାଦିକା ଅନୁରାଧା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟା ଶୋଭିଦିତା ରାୟ, ଦୀପ୍ତିପ୍ରଭା ରଥ, ଆରାଧନା ସାହୁ, ସ୍ବର୍ଣ୍ଣବାଳା ନାୟକ, ଅବିନାଶ ଚୌଧୁରୀ, ସୋନାଲି ମହାପାତ୍ର, ଉମାରାଣୀ, ଡଲି ପ୍ରଭା ଓ ଜିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନି ଶତପଥୀ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧିତ ଖବର