‌ରେଡିଓ ଚକଲେଟ୍‌ ‘ଫ୍ୟାମିଲି ନଂ-୧’ର ଚତୁର୍ଥ ସଂସ୍କରଣ: ବାଜି ମାରିଲେ ଅଭିଷେକ, ସସ୍ମିତା ଓ ଶକୁନ୍ତଳାଙ୍କ ପରିବାର

ଭୁବନେଶ୍ୱର: ସୁନୋ ସୁନାଓ ସର୍ଟ ଅଡିଓ ଆପ୍‌ ସହଯୋଗରେ ରେଡିଓ ଚକଲେଟ୍‌ ପକ୍ଷରୁ ଆୟୋଜିତ ଫ୍ୟାମିଲି ନମ୍ବର-୧ର ଚତୁର୍ଥ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। ଆଜି ସଂଧ୍ୟାରେ ସ୍ଥାନୀୟ ଉତ୍କଳ କନିକା ଗ୍ୟାଲେରିଆଠାରେ ଆୟୋଜିତ ଗ୍ରାଣ୍ଡ ଫିନାଲେରେ ମୋଟ ୮ ପରିବାର ଭାଗ ନେଇଥିବା ବେଳେ ଅଭିଷେକଙ୍କ ପରିବାର ପ୍ରଥମ ଏବଂ ସସ୍ମିତା ଓ ଶକୁନ୍ତଳାଙ୍କ ପରିବାର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାତେଇବାରେ ସକ୍ଷମ ହୋଇଥିଲେ।

ସୂଚନାଯୋଗ୍ୟ, ଗତ ତିନି ମାସ ଧରି ଭୁବନେଶ୍ୱର ଓ କଟକ ମହାନଗର ନିଗମରେ ଏହି କାର୍ଯ୍ୟକ୍ରମ ଚାଲିଥିଲା। ପ୍ରତିଯୋଗିତାରେ ରୢାମ୍ପ ୱାକ୍, ଗୀତ, ନାଚ, ଅଭିନୟ ସହ ବିଚାରକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ୮ଟି ପରିବାର ଫାଇନାଲରେ ପ୍ରବେଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବିଚାରକ ଭାବେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ରୋଜୀ କିଚେନ୍‌ ସ୍ବତ୍ବାଧିକାରୀ ସରୋଜା‌ ଚୌଧୁରୀ, ଓଲିଉଡ୍‌ ଅଭିନେତ୍ରୀ ଉଷଶ୍ରୀ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ସୁନୋ ସୁ‌ନାଓ ପକ୍ଷରୁ ପୂର୍ବ ଆୟୋଜିତ ‘ସ୍ମୃତି ତୁମେ ଅକ୍ଷୟ’ ପ୍ରତିଯୋଗିତାରେ ଭାଗ ନେଇଥିବା ୭୦୦ ପ୍ରତିଯୋଗୀମାନଙ୍କ ମଧ୍ୟରୁ ବିଜୟୀ ୧୧ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲ‌ା।‌

ସୁନୋ ସୁନାଓର ସିଇଓ ମୋନାଲିସା ସାହୁ ଓ ପ୍ରତିଷ୍ଠାତା ସଦସ୍ୟ ଦେବେନ୍ଦ୍ର ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ ଗୀତ ଗାଇଥିବ‌ା ବେଳେ ବିକି ଡ୍ୟାନ୍ସଗ୍ରୁପ୍‌ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଆର୍‌.ଜେ ଅନିଲ ଓ ଆର୍‌.ଜେ ସୋନାଲି ପରିଚାଳନା କରିଥିଲେ। ରେଡିଓ ଚକଲେଟ୍‌ର ପ୍ରୋଗ୍ରାମିଂ ହେଡ୍‌ ଆର୍‌ଜେ ସଂଗ୍ରାମ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ରୁଚି କମ୍ପାନି ଓ ଆଲଡର୍ ଫର୍ଣ୍ଣିଚର୍‌ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର