ଭୁବନେଶ୍ବର: ଚନ୍ଦକାସ୍ଥିତ ଇଡ୍କୋ ଇନକ୍ୟୁବେସନ୍ ସେଣ୍ଟର ତଥା ‘ଓ’ ହବ୍ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଦେଶୀ ଜ୍ଞାନକୌଶଳରେ ନିର୍ମାଣ ପାଇଁ ଚର୍ଚ୍ଚାରେ ଥିବା ରାଜ୍ୟ ସରକାରଙ୍କର ଏହି ପ୍ରକଳ୍ପ ଖୁବ୍ଶୀଘ୍ର ଉଦ୍ଘାଟନ ହେବ। ଇଡ୍କୋ ସିଏମ୍ଡି କ୍ରିଷ୍ଣ କୁମାର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ କ୍ଷେତ୍ର ପରିଦର୍ଶନ କରିବା ପରେ ଭିତ୍ତିଭୂମି ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏସ୍ଏମ କନ୍ସଲ୍ଟାଣ୍ଟ ଜରିଆରେ ବିସିବିସିପିଏଲ କରୁଥିବା ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟ ଦୁଇମାସ ଭିତରେ ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି।
ବୈଦେଶିକ ଜ୍ଞାନକୌଶଳରେ ତିଆରି ହେଉଥିବା ଏହି କାର୍ଯ୍ୟ ବିଗତ ଦିନରେ ବେଶ୍ ପ୍ରଶଂସିତ ହୋଇଛି। ଅଟାଳିକାରେ ଉଚ୍ଚକୋଟୀର ତାପ-ରହିତ କାଚ ଓ ସୂର୍ଯ୍ୟ ତାପ ନିବାରକ ଧାତବ ବ୍ୟବହାର ହୋଇଛି, ଯାହା ସୂର୍ଯ୍ୟତାପ, ସୂର୍ଯ୍ୟ କିରଣ, ଓଜନରଶ୍ମି ଓ ବାହ୍ୟ ପାଣିପାଗକୁ ସହ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଛି। ଏଥିରେ ଏକ ସ୍ବତନ୍ତ୍ର ଆବରଣ ପ୍ରଲେପ ଦିଆଯାଇଛି। ଏହାର ଡିଜାଇନ୍ ତରଙ୍ଗାୟିତ ଧାତବ ଛାୟା ଇଂରାଜୀ ଅକ୍ଷର ‘ଓ’ ପ୍ରତିବିମ୍ବ ତିଆରି କରୁଥିବାରୁ ଏହି କୋଠାର ନାମ ‘ଓ’ ହବ୍ ରଖାଯାଇଛି। ଏଥିରେ ପ୍ରଥମଥର ଅଗ୍ନି ନିର୍ବାପନ ଓ ଧୂଆଁ ନିଷ୍କାସନ ପାଇଁ ବୈଦେଶିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି। ଏଥିରେ ସମୁଦାୟ ଟାୱାର ‘କ’ ଓ ‘ଖ’ ରହିଛି। ଦୁଇ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ବିଭିନ୍ନ ଷ୍ଟାର୍ଟ-ଅପ୍ ଓ ଆଇଟି କମ୍ପାନିମାନଙ୍କୁ ସୁଲଭ ମୂଲ୍ୟରେ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି। ଇଡ୍କୋ ଇନ୍କ୍ୟୁବେସନ ସେଣ୍ଟର ସେଥିମଧ୍ୟରୁ ଅନ୍ୟତମ।