‘କାଗଜବିହୀନ ବିଧାନସଭା’ ପ୍ରକଳ୍ପକୁ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ‘ଓଡ଼ିଶା ଆସେମ୍ବଲି ଜର୍ଣ୍ଣି ଟୁୱାର୍ଡସ୍‌ ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ (ପେପରଲେସ୍‌ ଆସେମ୍ବଲି)’ (କାଗଜବିହୀନ ବିଧାନସଭା) ପ୍ରକଳ୍ପକୁ ସର୍ବଭାରତୀୟସ୍ତରରେ ସମ୍ମାନିତ କରାଯାଇଛି। ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ମୋତିଲାଲ ନେହରୁ ନାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଭାରତୀୟ କର୍ମଶାଳାରେ ଓଡ଼ିଶା ବିଧାନସଭାକୁ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ ତରଫରୁ ୧୯ତମ ସିଏସ୍‌ଆଇ ଏସ୍‌ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ-୨୦୨୧ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଏହି ଏକଦିବସୀୟ କର୍ମଶାଳାରେ ଭାରତରୁ ବଛାବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକୁ ମନୋନୀତ କରାଯାଇ ଏହା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥି ଶତପଥୀ ଭାଗନେଇ ଓଡ଼ିଶା ବିଧାନସଭାର ପେପରଲେସ୍‌ ଅଫିସ୍‌ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଶତପଥୀଙ୍କ ସମେତ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ, ବିଧାନସଭାର ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଆରତି ମିଶ୍ର ପ୍ରମୁଖ ଯୋଗଦେଇ ଆହ୍ଲାବାଦ୍‌ ଉଚ୍ଚ ନ୍ୟାୟାଳୟର ବିଚାରପତି ଅଜିତ ସିଂହଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହାପରେ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସୌଜନ୍ୟରୁ ମୁଖ୍ୟ ଅତିଥିଙ୍କୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର