ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଥମିବାର ନାଁ ଧରୁନି। ଗୋଟିଏ ପଟେ ବିଏମ୍ସି ଡେଙ୍ଗୁକୁ ନେଇ ସଚେତନତା ମାତ୍ରା ବଢ଼ାଇଥିବା ବେଳେ ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତକାଲି ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦୫ ରହିଥିବା ବେଳେ ଏହି ସଂଖ୍ୟା ଆଜି ୫୬୩ରେ ପହଞ୍ଚିଛି। ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ ଆଉ ୫୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ, ବିଏମ୍ସି ଡେଙ୍ଗୁ ସଚେତନତାକୁ ନେଇ ତତ୍ପର ହୋଇଛି। ବିଏମସି ଏଥିପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ଅଭିଯାନ ଜାରି ରଖିଛି। ଏଯାଏ ୫ ହଜାରର ୫୪୮ଙ୍କ ଘରେ ବିଏମ୍ସିର ସଚେତନତା ଟିମ୍ ପହଞ୍ଚିଥିବା ବେଳେ ପ୍ରାୟ ୨୩ ହଜାର ଲୋକଙ୍କୁ ସଚେତନ କରାଯାଇଛି। ୧୯୮୪ ମଶାଙ୍କ ଉତ୍ପତ୍ତି ସ୍ଥଳ ନଷ୍ଟ କରାଯାଇଥିବା ବେଳେ ୬୪୩ ଜାଗାରୁ ଡେଙ୍ଗୁ ମଶାଙ୍କ ଲାର୍ଭା ଚିହ୍ନଟ ହୋଇଛି। ବିଏମ୍ସିର ୩ଟି ଜୋନ୍ରେ ୯ ଟି ସ୍ବତନ୍ତ୍ର ଟିମ୍ ଘରଘର ବୁଲୁଛି। ଆଜି ସକାଳ ସାଢ଼େ ୫ଟାରୁ ସ୍ବଚ୍ଛସାଥୀ ଓ ଅନ୍ୟ ଅଧିକାରୀମାନେ ନୀଳାଦ୍ରିବିହାରର ଏଟିଏମ୍ ଛକ ତାରିଣୀ ବସ୍ତି, ଡମଣା ଛକ ନିକଟ ଡମଣା ହାଟା ବସ୍ତି ବୁଲିଥିଲେ। ସେହିଭଳି ଆଉ ଏକ ଟିମ୍ ଆଇଡି ମାର୍କେଟ୍ ନିକଟ ଗାନ୍ଧୀ ବସ୍ତି, ମାଳିସାହି, ସହିଦନଗର, କୁଲିବସ୍ତି ପ୍ରଭୃତି ଅଞ୍ଚଳରେ ବୁଲି ସଚେତନ କରିଥିଲେ। ଏହି ସଚେତନତା ଅଭିଯାନ ସମୟରେ ଅବ୍ୟବହୃତ ଟାୟାର, ଅବ୍ୟବହୃତ ଫୁଲକୁଣ୍ଡ, ପ୍ରଭୃତି ଜାଗାରେ ଔଷଧ ସ୍ପ୍ରେ କରାଯାଇଥିଲା। ସେହିଭଳି ଫଗିଙ୍ଗ୍ ମେସିନ୍ ମଧ୍ୟ ଗଳି ଗଳି ବୁଲିଥିଲା। ଏହି ସଚେତନତା ଅଭିଯାନରେ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍, ସ୍ଲୋଗାନ୍, କାଉନ୍ସେଲିଂ କରା ଯାଇଥିଲା। ସ୍ବଚ୍ଛସାଥୀଙ୍କ ସମେତ ଏନ୍ଜିଓ ସଦସ୍ୟ ଓ ଅଧିକାରୀମାନ ସାମିଲ ହୋଇଥିଲେ। ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଡେପୁଟି କମିସନର(ରାଜସ୍ବ)ଶ୍ରୀମନ୍ତ ମିଶ୍ର, ଅତିରିକ୍ତ ସହରାଞ୍ଚଳ ସ୍ବାସ୍ଥ୍ୟାଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ମୂଖ୍ୟ ସ୍ବାସ୍ଥ୍ୟାଧୀକାରୀ ଡା. ବସନ୍ତ ମିଶ୍ର, ଜେଡ୍ଡିସି ପୁରନ୍ଦର ନନ୍ଦ, ଅଂଶୁମାନ ରଥ ଓ ରବିନାରାୟଣ ଜେଠୀ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dengue-awareness.jpg)