ଚନ୍ଦ୍ରଶେଖରପୁର: ସମାଜରେ ଏକ ପ୍ରମୁଖ ବ୍ୟାଧି ଭାବରେ ଉଭା ହୋଇଥିବା ମଧୁମେହ(ଡାଇବେଟିସ୍‌)ର ନିୟନ୍ତ୍ରଣ ପାଇଁ ଗଣସଚେତନତା ସୃଷ୍ଟି କରାଯିବ। ଏହି କ୍ଷେତ୍ରରେ କରାଯାଉଥିବା ଗବେଷଣାରେ ଉନ୍ନତି ଓ ନୂଆ ନୂଆ ଗବେଷଣାକୁ ଗୁରୁତ୍ୱ ଦିଆଯିବ। ଏନେଇ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ପୋଷ୍ୟ ଗ୍ରାମ ଯୋଜନା ଆରମ୍ଭ ହୋଇଛି। ରାଜସ୍ଥାନର ଏକ ଗ୍ରାମକୁ ପ୍ରଥମ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରାଯାଇଛି। ଏହା ଉପରେ ବିସ୍ତତ ଆଲୋଚନା ଏବଂ ପର୍ଯ୍ୟାଲୋଚନା ନିମନ୍ତେ ସର୍ବଭାରତୀୟ ସ୍ତରରେ ମଧୁମେହ ଉପରେ ଗବେଷଣା ଜାରି ରଖିଥିବା ଅନୁଷ୍ଠାନ ରିସର୍ଚ୍ଚ ସୋସାଇଟି ଫର୍‌ ଦି ଷ୍ଟଡି ଅଫ୍‌ ଡାଇବେଟିସ୍‌ ଇନ୍‌ ଇଣ୍ଡିଆ (ଆର୍‌ଏସ୍‌ଏସ୍‌ଡିଆଇ)ର ୪୫ତମ ବାର୍ଷିକ ଉତ୍ସବର ଉଦ୍‌ଘାଟନୀ ସମାରୋହରେ ଆଜି ଏପରି ମତ ପ୍ରକାଶ ପାଇଛି। ଏହି ସମ୍ମିଳନୀରେ ଦେଶ ବିଦେଶରୁ ଏଯାବତ୍‌ ପ୍ରାୟ ୪୮୦୦ ଚିକିତ୍ସକ, ବିଶେଷଜ୍ଞ ଯୋଗଦେଇଛନ୍ତି।

Advertisment

ଚତୁର୍ଥ ଥର ନିମନ୍ତେ ରାଜଧାନୀର ଜନତା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୀର୍ଷକ ରହିଛି ‘ଗର୍ଭାବସ୍ଥାରେ ଡାଇବେଟିସ୍‌’। ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିରାମୟ ଯୋଜନାରେ ମଧୁମେହ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ହେବା ନେଇ ସୂଚନା ଦେଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଆର୍‌ଏସ୍‌ଏସ୍‌ଡିଆଇର ସଭାପତି ଡ. ସରିତା ବଜାଜ, ସମ୍ପାଦକ ବିଏମ୍‌ ମକ୍କର, ଅନ୍ତର୍ଜାତୀୟ ଡାଇବେଟିସ୍‌ ଫେଡେରେସନ (ଆଇଡ଼ିଏଫ୍‌)ର ସଭାପତି ତଥା ବିଶିଷ୍ଟ ମଧୁମେହ ବିଶେଷଜ୍ଞ ସୌକତ ସଦାକତ୍‌, ଆୟୋଜକ କମିଟିର ଚେୟାରମ୍ୟାନ୍‌ ତଥା ଏସ୍‌ସିବି ମେଡିକାଲ କଲେଜ୍‌ ର ଡିନ୍‌ ପ୍ରିନ୍ସିପାଲ୍‌ ଡ. ସିଦ୍ଧାର୍ଥ ଦାସ, ସେକ୍ରେଟାରି ଡ. ଜୟନ୍ତ କୁମାର ପଣ୍ଡା, ଡ. ରାଜୀବ ଚାଓ୍ଵଲା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବାର୍ଷିକ ସମ୍ମିଳନୀରେ ଡାଇବେଟିସ୍‌ ଜନିତ ଚିକିତ୍ସା, ନିରାକରଣ ଓ ସଚେତନତା ଉପରେ ଆଲୋଚନା ହେବ।