ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଗୋଷ୍ଠୀକୁ ସାଥିରେ ସାମିଲ୍ କରିଛି ବିଏମ୍ସି। କୋଭିଡ୍ ସଚେତକ କିଛି ସ୍ଥାନୀୟ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ କୋଭିଡ୍ ସଚେତକ ମେଣ୍ଟର ଭାବେ କିଛି ଅଭିଜ୍ଞ ବ୍ୟକ୍ତି ଓ ଡାକ୍ତରଙ୍କୁ ସାମିଲ୍ କରାଯାଇଛି। ଏହି ଅବସରରେ କୋଭିଡ୍ ସଚେତକମାନଙ୍କୁ ଆଜି ସହିଦନଗର କଲ୍ୟାଣ ମଣ୍ଡପରେ କରୋନା ପ୍ରତିରୋଧ ପାଇଁ ତାଲିମ ଦିଆଯାଇଛି। ଏଥିସହ ‘ମୋ ଶପଥ, ନୂଆ ଅଭ୍ୟାସ’ ଅଭିଯାନର ଶୁଭାରମ୍ଭ ହୋଇଛି। ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏହାକୁ ଉଦଘାଟନ କରି କହିଛନ୍ତି, କରୋନା ପ୍ରତିରୋଧ କ୍ଷେତ୍ରରେ ଆସିଥିବା ପରିବର୍ତନ ଗୋଷ୍ଠୀ ସହଭାଗିତା ଯୋଗୁଁ ସମ୍ଭବ ହୋଇପାରିଛି।ଗୋଷ୍ଠୀସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରଥମେ ସହିଦନଗରରୁ ସଚେତକ କମିଟି ଗଠନ କରାଯାଇଛି। ଯେଉଁଥିରେ ୨୭ ଜଣ ସଚେତକ ସଦସ୍ୟ ରହିଥିବା ବେଳେ ୬ ଜଣ ମାର୍ଗଦର୍ଶକ ରହିଛନ୍ତି। ସଚେତନତା ସୃଷ୍ଟି ସହ ଗୋଷ୍ଠୀ ଉପରେ ନଜର ରଖିବା ଦାୟିତ୍ବ ସେମାନଙ୍କୁ ଦିଆଯାଇଛି। ୨୫ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତିମାନେ ସଚେତକ ସଦସ୍ୟ ରହିଥିବା ବେଳେ ଡାକ୍ତର, ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମାର୍ଗଦର୍ଶକ ଭାବେ ନିଆଯାଇଛି। ବିଜୁ ଯୁବବାହିନୀ, ଏସଏଚଜି, ଏନ୍ଜିଓ, ସ୍ଥାନୀୟ ସ୍ବେଚ୍ଛାସେବୀ, କ୍ଲବ ସଦସ୍ୟ ସଦସ୍ୟାଙ୍କୁ କୋଭିଡ ସଚେତକ ଭାବେ ନିଆଯାଇଛି। କୋଭିଡ୍ ସଚେତକ ମାର୍ଗଦର୍ଶକ ନାରାୟଣ ମହାପାତ୍ର କହିଛନ୍ତି, ଗୋଷ୍ଠୀର ବ୍ୟକ୍ତି ହିସାବରେ ବି ଆମର କିଛି ଦାୟିତ୍ବ ରହିଛି। ପ୍ରଶାସନ ଆମକୁ ଏହି ଦାୟିତ୍ବ ଦେଇଥିବା ବେଳେ ଏହାକୁ ନିଷ୍ଠାର ସହ ନିଭାଇବୁ ବୋଲି ସେ କହିଛନ୍ତି
ଏଥିସହ ଏକ ‘ସଚେତନ ଆପ୍’ର ଶୁଭାରମ୍ଭ ହୋଇଛି। ବିଏମ୍ସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ଉଦ୍ୟମରେ ଏହି ଆପ୍ କରାଯାଇଛି। sachetakapp.inକୁ ଯାଇ କିମ୍ବା ଗୁଗୁଲ୍ ପ୍ଲେ ଷ୍ଟୋର୍କୁ ଯାଇ ଜଣେ ସେଇ ଆପ୍କୁ ଡାଉନଲୋଡ୍ କରିପାରିବ। ପ୍ଲେ-ଷ୍ଟୋରରେ ଏହା ୪ଦିନ ମଧ୍ୟରେ ଉପଲବ୍ଧ ହେବ। ଏହାକୁ ଲୋଡ୍ କରିବା ପରେ ସବିଶେଷ ସ୍ବାସ୍ଥ୍ୟ ବିବରଣୀ ଦେବାକୁ ପଡ଼ିବ। ଏହା ଜରିଆରେ ପ୍ରଶାସନ ସେମାନଙ୍କ ପାଖେ ପହଞ୍ଚିପାରିବ ଏବଂ ତାଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହୋଇପାରିବ। ନୂଆ ସୂଚନାତ୍ମକ ଭିଡିଓ, ସରକାରୀ ବିଜ୍ଞପ୍ତି ଦେଖିବା ସହ ତାଙ୍କ ୱାର୍ଡର କେତେ ଲୋକ କ୍ବାରାଣ୍ଟିନ୍ରେ ଅଛନ୍ତି, କେତେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସେ ସମ୍ବନ୍ଧୀୟ ବିବରଣୀ ପାଇପାରିବେ। ଏହାବାଦ୍ ଏଥିରେ ଡାକ୍ତରଙ୍କୁ ପରାମର୍ଶ ପାଇଁ ‘କନ୍ସଲ୍ଟ’ ଅପ୍ସନ ରହିଛି। ଏହାକୁ ବ୍ୟବହାର କରି ୟୁଜରମାନେ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବାର୍ତା ଦେବା ସହ ଡାକ୍ତରଙ୍କଠାରୁ ପରାମର୍ଶ ପାଇପାରିବେ ବୋଲି ବିଏସ୍ସିଏଲ୍ର ପରାମର୍ଶଦାତା ପିନାକୀ ଦାସ କହିଛନ୍ତି। ଆୟୋଜିତ ସଭାରେ ବିଏମସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ଉପ କମିସନର ଶୁଭେନ୍ଦୁ କୁମାର ସାହୁ, ଆଡିସନାଲ ଅର୍ବାନ ପବ୍ଲିକ ହେଲ୍ଥ ଅଫିସର ଡାକ୍ତର ସି.ଭି.ଏସ.ଏନ ରାଓ, ହେଲ୍ଥ ସର୍ଭିସ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।