ଚନ୍ଦ୍ରଶେଖରପୁର: ଗତଥର ଅବହେଳା କାରଣରୁ କେବଳ ସାଲିଆସାହିରେ ଡେଙ୍ଗୁ ୪ ମୁଣ୍ଡ ନେଇଥିଲା। ଚଳିତ ବର୍ଷ ମଧ୍ୟ ମୌସୁମୀ ପୂର୍ବରୁ ରାଜଧାନୀର ବିଡିଏ କଲୋନି ଭଳି ଅଞ୍ଚଳରେ ଡେଙ୍ଗୁ ଏହାର କାୟା ବିସ୍ତାର କଲାଣି। ତେଣୁ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ତତ୍ପରତା ପ୍ରକାଶ କରିଛି ବିଏମ୍ସି। ବିଏମ୍ସି, ସିଟି ହେଲ୍ଥ ସୋସାଇଟି, ପ୍ଲାନ୍ ଇଣ୍ଡିଆ ଓ ସିଓ୍ଵାଇଏସ୍ଡ଼ି ପକ୍ଷରୁ ମିଳିତ ଭାବେ ରାଜଧାନୀରେ ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଜିଠୁଁ ଏକ ଡେଙ୍ଗୁ ପ୍ରଜ୍ଞାପନ ମେଢ଼ ବୁଲିବ। ଏହି ମେଢ଼ ରାଜଧାନୀର ୭୦ ଜନପଦ ଓ ୧୦ ସହରାଞ୍ଚଳ ବସ୍ତି ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ଡେଙ୍ଗୁପ୍ରବଣ ସାଲିଆସାହିରୁ ଏହି କାର୍ଯ୍ୟକ୍ରମକୁ ମେୟର ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ କର୍ପୋରେଟର୍ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପ୍ଲାନ୍ ଇଣ୍ଡିଆ ପକ୍ଷରୁ ପାଇଲଟ୍ ପ୍ରକଳ୍ପ ଭାବରେ ନିଆଯାଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୂର୍ଣ୍ଣ ରାଜଧାନୀରେ ଡେଙ୍ଗୁ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ସଂସ୍ଥା ପକ୍ଷରୁ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଘରେ ଘରେ ଡେଙ୍ଗୁ ସମ୍ପର୍କିତ ସୂଚନା ସମ୍ବଳିତ ଲିଫ୍ଲେଟ ବଣ୍ଟନ କରାଯିବ। ଏହାସହିତ ଡେଙ୍ଗୁ ରୋଗୀ ଚିହ୍ନଟ ବ୍ୟବସ୍ଥା ମଧ୍ୟ ଏହି ସଂସ୍ଥା ନେବ। ଡେଙ୍ଗୁ ରୋଗୀଙ୍କ ସଂପର୍କରେ ସୂଚନା ମିଳିଲେ ତୁରନ୍ତ ସିଟି ହେଲ୍ଥ ବିଭାଗ ଓ ବିଏମ୍ସିକୁ ଏବାବଦରେ ରିପୋର୍ଟ ପ୍ରଦାନ କରିବେ। ଏହି ଡେଙ୍ଗୁ ପ୍ରଜ୍ଞାପନ ମେଢ଼ ବୁଲୁଥିବା ସ୍ଥାନଗୁଡ଼ିକରେ ଫଗିଂ କରାଯିବ। ବିଏମ୍ସିର ପରିମଳ ବିଭାଗ, ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି। ବିଭିନ୍ନ ପଥପ୍ରାନ୍ତ ନାଟକ, ଗୋଷ୍ଠୀଗତ ସଭା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଡେଙ୍ଗୁ ସଂପର୍କରେ ସଚେତନତା ସୃଷ୍ଟି କରାଯିବାର ଯୋଜନା ରହିଥିବା ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ରେଡିଓ ଚକ୍ଲେଟ ୧୦୪ ଏଫ୍ଏମ୍ ମଧ୍ୟ ଏହି ପ୍ରକିୟାରେ ସହଯୋଗୀ ଭାବରେ ସାମିଲ ହୋଇ ଡେଙ୍ଗୁ ନିରାକରଣ ବାବଦରେ ବାର୍ତା ଦେବ। ପୂର୍ବ ବର୍ଷରେ ଡେଙ୍ଗୁକୁ ନେଇ ଅକଳରେ ପଡ଼ିଥିବା ବିଏମ୍ସି ଚଳିତ ବର୍ଷ କିନ୍ତୁ ଡେଙ୍ଗୁକୁ ନେଇ ଆଉ କୌଣସି ରିସ୍କ ନେବାକୁ ଚାହୁଁନଥିବା ସ୍ପଷ୍ଟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓ୍ଵାର୍ଡ଼ ନଂ-୧୩ରେ ସଚେତନତା
ବିଏମ୍ସି ଓ୍ଵାର୍ଡ଼ ନଂ-୧୩ ଅନ୍ତର୍ଗତ ବିଡିଏ କଲୋନିରେ ଅସମୟରେ ଡେଙ୍ଗୁ ବ୍ୟାପିବା ପରେ ପ୍ରଶାସନ ପୂର୍ବରୁ ସାଧାରଣ ଲୋକେ ସଚେତନ ହୋଇଛନ୍ତି। ଏନେଇ କର୍ପୋରେଟର୍ ସୌଭାଗ୍ୟ ରଂଜନ ବାରିକଙ୍କ ନେତୃତ୍ୱରେ ଆଜି ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ହାତରେ ଡେଙ୍ଗୁ ନିରୋଧୀ ବାର୍ତ୍ତା ସମ୍ବଳିତ ପ୍ଲାକାଡ୍ର୍ ଧରି ମହିଳା ପୁରୁଷଙ୍କ ସମେତ ଯୁବଗୋଷ୍ଠୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନୀଳମାଧବ ବସ୍ତିରୁ ଆରମ୍ଭ ହୋଇଥିବା ଏହି ସଚେତନତା ଯାତ୍ରା ସିଅନ ବସ୍ତି, ଅନନ୍ତ ବସ୍ତି ହୋଇ ବିଡିଏ କଲୋନିରେ ସମାପ୍ତ ହୋଇଥିଲା। ଓ୍ଵାର୍ଡର ଶତାଧିକ ଜନସାଧାରଣ, ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଫଳରେ ବସ୍ତି ଅଞ୍ଚଳରେ ବାସ କରୁଥିବା ଲୋକମାନେ ଡେଙ୍ଗୁ ସମ୍ପର୍କରେ ପ୍ରାଥମିକ ସୂଚନା ପାଇବାର ସୁବିଧା ପାଇପାରିଥିବା ପ୍ରକାଶ। ଏହି କାର୍ଯ୍ୟକ୍ରମ ସାଧାରଣରେ ପ୍ରଶଂସାର ବିଷୟ ପାଲଟିଛି।