ବୌଦ୍ଧ ସନ୍ନ୍ୟାସୀଙ୍କ ପଦଯାତ୍ରା, ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିବେ

ଭୁବନେଶ୍ବର: ପରିବେଶ ସୁରକ୍ଷା, ଲିଙ୍ଗଗତ ସମାନତା ଓ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ପେଲ୍‌ ଦୃକ୍‌ପା ଚାରିଟେବଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ‘ଇକୋ ପଦଯାତ୍ରା’ ଆଜି ଆରମ୍ଭ ହୋଇଛି। ଭାରତ ସ୍କାଉଟ ଆଣ୍ଡ ଗାଇଡସ୍‌ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୩୧ ତାରିଖରେ ରତ୍ନଗିରିରେ ଶେଷ ହେବ। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପଦଯାତ୍ରାକୁ ଶୁଭାରମ୍ଭ କରି କହିଲେ, ଓଡ଼ିଶାରେ ଥିବା ବୌଦ୍ଧ ସ୍ମାରକୀସ୍ଥଳୀ ରାଜ୍ୟର ଗୌରବକୁ ବଢ଼ାଉଛନ୍ତି। ବୌଦ୍ଧ ସନ୍ନ୍ୟାସୀମାନଙ୍କ ଏପରି ଅଭିନବ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାର ବୌଦ୍ଧ ସ୍ଥଳୀଗୁଡ଼ିକ ସାରା ବିଶ୍ବର ଲୋକଲୋଚନକୁ ଆସିପାରିବ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଅର୍ଚନା ପଟ୍ଟନାୟକ, ଯୁଗ୍ମ ନିର୍ଦେଶକ ୟୁ କେ ପତି, ସୁନୀଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ୟାଲୱାଙ୍ଗ ଦୃକ୍‌ପା ଓ ଦୃକପା ତୁସ୍କି ରିନପୋଚେଙ୍କ ନେତୃତ୍ବରେ ଦୃକାପ ବଂଶର ୧୦୦ରୁ ଊର୍ଧ୍ବ ବୌଦ୍ଧ ଧର୍ମଗୁରୁ, ନନ ଏବଂ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ୨୦୦ରୁ ଊର୍ଧ୍ବ ବୌଦ୍ଧ ଧର୍ମାବଲମ୍ବୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଏମାନେ ୧୪୦କିମି ରାସ୍ତା ଅତିକ୍ରମ କରି ପରିବେଶ ସୁରକ୍ଷା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବେ। ଆଠ ଦିନର ଏହି ଯାତ୍ରାରେ ସେମାନେ ଧଉଳି, ଉଦୟଗିରି, ଲଳିତଗିରି ଓ ରତ୍ନଗିରି ଭ୍ରମଣ କରିବେ। ଏହି ଯାତ୍ରାରେ ଅଂଶଗ୍ରହଣକାରୀମାନେ ଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା କରିବେ।

ସମ୍ବନ୍ଧିତ ଖବର