ଖଣ୍ଡଗିରି: ସା‌ମାଜିକ ଅନୁଷ୍ଠାନ ‌ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ ଆର୍ମି ପକ୍ଷରୁ ହର୍ବାଲ ହୋଲି ଖେଳିବା, ଜଙ୍ଗଲରୁ ନିଆଁ ଲିଭ‌ାଇବା ଓ ପଶୁପକ୍ଷୀଙ୍କ ପାଇଁ ପାଣିପାତ୍ର ରଖିବା ନିମନ୍ତେ ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନରେ ଏକ ସମ୍ମିଳନୀ ଓ ପରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ ଡାକ୍ତର ସୁଶ୍ରୀ ଶତପଥୀ, ଡା. ମଙ୍ଗଳ ପ୍ରସାଦ ପ୍ରଧାନ, ଓଡ଼ିଶା ବୀର ମହାସଂଗ୍ରାମର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଶିକ୍ଷାବିତ୍‌ ଜଲିଲ୍‌ ଖାଁ, ବରମୁଣ୍ଡା କର୍ପୋରେଟର ପ୍ରଦୀପ ମିଶ୍ର, ସମାଜସେବୀ ଶାଶ୍ବତୀ ଦାସ, ଗଣେଶ୍ବର ସିଂ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ। ରାସାୟନିକ ରଙ୍ଗରେ ହୋଲି ଖେଳିବା ଦ୍ବାରା ଚର୍ମରୋଗ ସମେତ ଆଖି, ନାକ, କାନ ଆଦି ଇନ୍ଦ୍ରୀୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ।

Advertisment

ସେହିପରି ବାୟୁମଣ୍ଡଳ ମଧ୍ୟ ପ୍ରଦୂଷିତ ହୋଇଥାଏ। ତେଣୁ ହଳଦୀ, ଚନ୍ଦନ, ନିମ୍ବ ଆଦିର ଚୁର୍ଣ୍ଣରେ ହୋଲି ଖେଳିବା ଆବଶ୍ୟକ। ଏହା ଦ୍ବାରା ଶରୀର ସୁରକ୍ଷିତ ରହିବା ସହିତ ଆମ ସଂସ୍କୃତି ଓ ପରମ୍ପରା ବଜାୟ ରହିବ। ସେହିପରି ପଶୁପକ୍ଷୀମାନେ ଖରାଦିନେ ପାଣି ପାଉ ନଥିବାରୁ ତାଙ୍କ ପାଇଁ ପାଣିପାତ୍ର ଓ ଜଙ୍ଗଲ ଜଳିବା‌ ସମୟରେ ଯଥୋଚିତ ଓ ତ୍ବରିତ ପଦକ୍ଷେପ ନେବା ପାଇଁ ଅତିଥିମାନେ ଆହ୍ବାନ ଦେଇଥିଲେ। ଏହି ଅବସରରେ ହର୍ବାଲ ହୋଲି ଖେଳିବା ସହିତ ଏକ ସଚେତନତା ଶୋଭାଯାତ୍ରା କରାଯ‌‌ାଇଥିଲା।